ପାହାଡ଼ରେ ‘ବଳି’ ଉଦ୍ୟମ ବେଳେ ଖସିଆସିଲା ନାବାଳକ: ଦମ୍ପତିଙ୍କୁ ହାତ ବାନ୍ଧି ୨ କିମି ଚଲାଇଲା ପୁଲିସ

କପ୍ତିପଦା/ଶାଳଚୁଆ: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ପୁଅକୁ ବଳି ଦେବାକୁ ଉଦ୍ୟମ କରିଛନ୍ତି ବାପାମାଆ। ହେଲେ ସୌଭାଗ୍ୟକୁ ୭ ବର୍ଷର ପୁଅ ମରଣମୁହଁରୁ ଖସି ଆସି ପାଖ ଗାଁ ଲୋକଙ୍କ ଆଗରେ ଖୋଲିଦେଲା ବାପାମାଆଙ୍କ ଗୁମର। ପୁଅ ଖସିଯିବା ପରେ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ରାତିତମାମ ଜଙ୍ଗଲରେ ଲୁଚି ରହିଥିଲେ ବାପାମାଆ। ଶେଷରେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନୁଦଡ଼ିହା ପଞ୍ଚାୟତ କୁକୁନ୍ଦରାଣୀ ହୁଡ଼ି (ଛୋଟ ପାହାଡ଼) ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ପୁଲିସ ଏହାକୁ ମିଛ ଘଟଣା ବୋଲି ଦାବି କରୁଛି। ସୂଚନା ଅନୁଯାୟୀ; ଗତକାଲି ସନ୍ଧ୍ୟାରେ ଉଦଳା ଥାନା ଛୋଟରାୟପୁର ଅଞ୍ଚଳର ସିଦ୍ଧ ମାରାଣ୍ତି ଓ ଫୁଲ ମାରାଣ୍ତି ନିଜର ୭ ବର୍ଷର ନାବାଳକ ପୁଅକୁ ମାମୁ ଘରକୁ ବୁଲାଇ ନେବାକୁ କହି କପ୍ତିପଦା ଥାନା ନୁଦଡ଼ିହା ଅଞ୍ଚଳକୁ ଆସିଥିଲେ। ବିଳମ୍ବିତ ରାତିରେ ପୁଅକୁ ନିକଟସ୍ଥ କୁକୁନ୍ଦରାଣୀ ହୁଡ଼ିକୁ ନେଇ ବଳି ଦେବାକୁ ଉଦ୍ୟମ କରିଥିଲେ। ତେବେ ବାଳକଟି ସେଠାରୁ ଖସି ଆସି ବାଟରେ ଅଣନିଃଶ୍ବାସୀ ହୋଇ ଦୌଡ଼ୁଥିବା ବେଳେ ସ୍ଥାନୀୟ କିଛି ଯୁବକ ତାକୁ ଅଟକାଇ ଘଟଣା ବାବଦରେ ଜାଣିବାକୁ ପାଇଥିଲେ। ପରେ ସେମାନେ ଉକ୍ତ ଦମ୍ପତିଙ୍କୁ ଖୋଜ‌ାଖୋଜି କରି ନ ପାଇ ପୁଲିସକୁ ଖବର ଦେଇଥିଲେ। ଏପଟେ ସିଦ୍ଧ ଓ ଫୁଲ ରାତିତମାମ ଗାଁ ପାଖ ହାଣ୍ତିଫୁଟା ଜଙ୍ଗଲ ଭିତରେ ରହିଥିଲେ। ଆଜି ମଧ୍ୟାହ୍ନରେ ସ୍ଥାନୀୟ ଲୋକେ ଉଭୟଙ୍କୁ କାବୁ କରିବା ପରେ ନୁଦଡ଼ିହା ଫାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା। ଜଙ୍ଗଲ ପାଖରୁ ପ୍ରାୟ ୨ କିମି ଯାଏ ଉକ୍ତ ଦମ୍ପତିଙ୍କୁ ହାତବାନ୍ଧି ଚଲାଇ ଚଲାଇ ଆଣିବା ପରେ ଏକ ଅଟୋରେ ସେମାନଙ୍କୁ ଫାଣ୍ତିକୁ ନେଇଥିଲା ପୁଲିସ।

ତେବେ ପୁଅକୁ ବଳି ଦେବା ଉଦ୍ୟମ ଘଟଣାକୁ ନୁଦଡ଼ିହା ଫାଣ୍ଡି ଅଧିକାରୀ କ୍ଷୀରୋଦଚନ୍ଦ୍ର ପାତ୍ର ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା; ଗତକାଲି ସନ୍ଧ୍ୟାରେ ସିଦ୍ଧ ନିଜ ସ୍ତ୍ରୀ ଓ ପୁଅକୁ ଧରି ହାଣ୍ଡିଫୁଟାସ୍ଥିତ ଭଉଣୀ ଘରକୁ ଯାଉଥିଲେ। ବାଟରେ ସର୍ବଣା ହାଟପଡ଼ିଆରେ ସ୍ବାମୀସ୍ତ୍ରୀ ପ୍ରଚୁର ହାଣ୍ଡିଆ ପିଇଥିଲେ। ପରେ କୁକୁନ୍ଦହୁଡ଼ି ରାସ୍ତା ଦେଇ ଯାଉଥିବା ବେଳେ ଅତ୍ୟଧିକ ନିଶାଗ୍ରସ୍ତ କାରଣରୁ ସେମାନେ ହୁଡ଼ି ନିକଟରେ ଥିବା ଏକ ନଡ଼ାଗଦା କଡ଼ରେ ଶୋଇ ପଡ଼ିଥିଲେ। ଅନ୍ଧାରରେ ଭୟଭୀତ ହୋଇ ପୁଅ ବିକାଶ ଉଭୟଙ୍କୁ ଘରକୁ ଚାଲ ବୋଲି କହିବାରୁ ବାପା ରାଗରେ ତ‌ତେ ଛେଦ (ବଳି) ପକାଇବି ବୋଲି କହିଥିଲା। ଫଳରେ ପୁଅଟି ଭୟଭୀତ ହୋଇ ସେଠାରୁ ପଳାଇ ଆସିଥିଲା। ଘଟଣା ସଂପର୍କରେ ଥାନାରେ କେହି ଅଭିଯୋଗ କରିନାହାନ୍ତି। ତେଣୁ ଦମ୍ପତିଙ୍କୁ ଛାଡ଼ି ଦିଆଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର