ପୁଣି ଶକ୍ତି ବଢ଼ାଉଛନ୍ତି ମାଓବାଦୀ

ନୂଆ କରିଡ଼ରରେ ସକ୍ରିୟ ଅଛନ୍ତି, ପ୍ରଶିକ୍ଷଣ ଚାଲିଛି

ଖୁବ୍‌ ଶୀଘ୍ର ଅପରେସନ୍‌ ଆରମ୍ଭ କରିବା ନେଇ ଯୋଜନା

କୋରାପୁଟ/ରାୟଗଡ଼ା/ମାଲକାନଗିରି : ଅବିଭକ୍ତ କେରାପୁଟର ଲାଲ୍‌ କରିଡରରେ ମାଓ ମୁକାବିଲା ପାଇଁ ମୁତୟନ ଅଛନ୍ତି ବିଏସ୍‌ଏଫ, ସିଆରପିଏଫ୍‌,କୋବ୍ରା, ଏସ୍‌ଓଜି ଏବଂ ଡିଭିଏଫ ଯବାନ। ବ୍ୟାପକ ଫୋର୍ସ ମୁତୟନ ପରେ ନକ୍ସଲ ହିଂସା କିଛିଟା କମିଛି। ସରକାର ଏହାକୁ ନେଇ ବାହାସ୍ଫୋଟ ମାରୁଛନ୍ତି।

ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାଓବାଦୀ ଶକ୍ତିବୃଦ୍ଧି କରିବାରେ ଲାଗିପଡିଛନ୍ତି। ସଂଗଠନରେ ନୂତନ ନିଯୁକ୍ତି ଦିଆଯାଇ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯାଉଛି। କେବଳ ସେତିକି ନୁହେଁ, ଗୋଟିଏ ଜିଲ୍ଲା ସହ ଆଉ ଏକ ଜିଲ୍ଲାକୁ ଯୋଡ଼ିବା, ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟର ସୁରକ୍ଷିତ ଗଡ଼କୁ ଖୁବ୍‌ ସହଜରେ ଖସି ପଳାଇବା ପାଇଁ ବ୍ଲୁ ପ୍ରିଣ୍ଟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ପରିଣାମ ହେଲା, ସୁରକ୍ଷା ବଳର ନିୟମିତ କମ୍ବିଂ ମାଓବାଦୀଙ୍କ ଗରିଲା ଯୁଦ୍ଧକୁ ପ୍ରତିହତ କରିପାରୁ ନାହିଁ।

ବର୍ତ୍ତମାନ ଅବିଭକ୍ତ କୋରାପୁଟ ଜିଲ୍ଲାର ୩ଟି ଜିଲ୍ଲା ବିଶେଷ କରି କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଚାଲିଛି ମାଓବାଦୀଙ୍କ ରାଜ୍‌। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ, ମାଥିଲି ବ୍ଲକର ୫ଟି ପଞ୍ଚାୟତ, ପଡିଆ ଏବଂ କାଲିମେଳା ବ୍ଲକରେ ସେମାନଙ୍କ ଦବ୍‌ଦବା ପରିଲକ୍ଷିତ ହେଉଛି। ଚିତ୍ରକୋଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇ ନଦେବାରେ ସେମାନେ ସକ୍ଷମ ହୋଇଥିଲେ। ଏବେ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଞ୍ଚଳରେ ସେମାନଙ୍କ ଇସାରା ବେଶ୍‌ ପ୍ରଭାବୀ ହୋଇଛି।

ଇତିମଧ୍ୟରେ କୋରାପୁଟ ଜିଲ୍ଲାରେ କୌଣସି ବଡ ଧରଣର ଆକ୍ରମଣ କରି ନାହାନ୍ତି ମାଓବାଦୀ। ସେମାନେ ବଳ ବଢାଇବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସଂଗଠନକୁ ମଜବୁତ୍‌ କରିବା ସହ ଅଧିକ ଶିକ୍ଷିତ ଲୋକଙ୍କୁ ନିଜ ସହ ସାମିଲ କରିବା ଲକ୍ଷ୍ୟରେ କସରତ ଚଳାଇଥିବା ସୂଚନା ମିଳିଛି। ଏଥପାଇଁ ନନ୍ଦପୁର ଓ ପଟାଙ୍ଗୀ ଅଞ୍ଚଳକୁ ବ୍ୟବହାର କରୁଛନ୍ତି। ସେହି ଅଞ୍ଚଳର ଅଧିକାଂଶ ସ୍ଥାନରେ ପୁଲିସ ପହଞ୍ଚିପାରୁନି। ଏଣୁ ସେଠାରେ ସେମାନେ ଏକ ନିରାପଦ କରିଡର ତିଆରି କରି ନୂଆ ଲୋକଙ୍କୁ ତାଲିମ ଦେଉଛନ୍ତି। ଏଠାରୁ ଆନ୍ଧ୍ର ଓ ଛତିଶଗଡକୁ ଯିବା ମଧ୍ୟ ସେମାନଙ୍କ ପାଇଁ ସୁବିଧା ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରିରେ ସୁଙ୍କି ନିକଟ ଜାତୀୟ ରାଜପଥରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ୮ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ ମାଓବାଦୀ। ପରେ ନନ୍ଦପୁରରେ ଜଣେ ନବ ନିର୍ବାଚିତ ସରପଞ୍ଚଙ୍କୁ ହତ୍ୟା କରିଥିଲେ। ଏହା ବାଦ୍‌ ମାଓବାଦୀଙ୍କ ବଡ ଧରଣର ଆକ୍ରମଣ ପ୍ରାୟ ନାହିଁ। ସେମାନଙ୍କ ଗଡ କୁହାଯାଉଥିବା ବନ୍ଧୁଗାଁ ଓ ନାରାୟଣପାଟଣା ଅପେକ୍ଷାକୃତ ଶାନ୍ତ ଅଛି। ଶ୍ରୀକାକୁଲମ-କୋରାପୁଟ ଡିଭିଜନାଲ କମିଟି ଅଧୀନରେ ଥିବା ଏହି ଅଞ୍ଚଳରେ ଶକ୍ତି ସଂଗ୍ରହ କରାଯାଉଥିବା ପରିପ୍ରେକ୍ଷୀରେ ଅପରେସନ୍‌ ବନ୍ଦ ଥିବା କୁହାଯାଉଛି।

ଏପଟେ ମୁନିଗୁଡ଼ା, କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଞ୍ଚଳରେ ସେମାନେ କାୟା ବିସ୍ତାର କରିବା ଆରମ୍ଭ କଲେଣି। କଳାହାଣ୍ଡି- କନ୍ଧମାଳ ସହ ସମ୍ପର୍କ ରଖି ସେମାନେ ନୂଆ କ୍ୟାମ୍ପ କରୁଛନ୍ତି ଓ ମଝିରେ ମଝିରେ ଛୋଟ ଛୋଟ ଆକ୍ରମଣ ସେମାନଙ୍କ ସ୍ଥିତି ଜାହିର କରୁଛି। ଏଠାରେ ଛତିଶଗଡ଼ ମାଓବାଦୀଙ୍କ ଦବଦବା ବେଶ୍‌ ପରିଲକ୍ଷିତ ହେଉଛି।

ଆନ୍ଧ୍ର-ଓଡିଶା ବୋଡର ସ୍ପେସାଲ ଜୋନାଲ କମିଟି ନିୟନ୍ତ୍ରଣରେ ରହିଥିବା ୬ଟି ଡିଭିଜନ କମିଟି ମଧ୍ୟରୁ ୩ଟି ମାଲକାନଗିରି ଜିଲ୍ଲାରେ ସକ୍ରିୟ ଅଛନ୍ତି। ସେଗୁଡ଼ିକ ହେଲା ଆନ୍ଧ୍ର-ଓଡିଶା ବର୍ଡର ଡିଭିଜନ କମିଟି,ପୂର୍ବ-ବିଶାଖା ଡିଭିଜନ କମିଟି ଓ ବିଶାଖା-ମାଲକାନଗିରି-କୋରାପୁଟ ଡିଭିଜନ କମିଟି। ଏହାଛଡା ଛତିଶଗଡରେ ସକ୍ରିୟ ଥିବା ଦରଭା ଡିଭିଜନକୁ ମାଲକାନଗିରି ଜିଲ୍ଲାରେ ମାଥିଲି ବ୍ଲକର ୫ଟି ପଞ୍ଚାୟତକୁ ସଂପ୍ରସାରିତ କରାଯାଇଛି। ମାଥିଲି ବ୍ଲକର ମହୁପଦର,ସାଲିମି,କର୍ତ୍ତନପାଲୀ,ଟେମରୁପାଲୀ ଏବଂ କିଆଙ୍ଗ ପଞ୍ଚାୟତ ଦରଭା ଡିଭିଜନ କମିଟି ଦ୍ୱାରା ନିୟନ୍ତ୍ରିତ ହେଉଛି। ସବୁଠାରୁ ବଡ଼ କଥା ହେଲା, ପୁଲିସକୁ ଚ୍ୟାଲେଞ୍ଜ କରି ମାଓବାଦୀ ତୋଟାଗୁଡ଼ାରେ ନିଜର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ଯେ କୌଣସି ମୁହୂର୍ତରେ ସେମାନେ ଅପରେସନ୍‌ ଜୋରଦାର କରିପାରନ୍ତି ବୋଲି ସୂଚନା ମିଳୁଛି।

ସମ୍ବନ୍ଧିତ ଖବର