କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଅଧା : ଆଶ୍ରମକୁ ଫେରିଲେ ସୁରବାବା

ଭୁବନେଶ୍ୱର/ବାଲିଅନ୍ତା : ବହୁଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ସୁରବାବା ଓରଫ ସୁରେନ୍ଦ୍ର ମିଶ୍ର ଶୁକ୍ରବାର ସଂଧ୍ୟାରେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ନିଜର ସମର୍ଥକଙ୍କ ସହିତ ସେ ସିଧା ଝିଣ୍ଟି ଶାସନସ୍ଥିତ ନିଜ ଆଶ୍ରମକୁ ଯାଇଥିଲେ। ଖବର ପ୍ରଚାରିତ ହୋଇଗଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଆଶ୍ରମ ପକ୍ଷରୁ ଯଥାସମ୍ଭବ ଗୋପନୀୟତା ଅବଲମ୍ବନ କରାଯାଇଥିଲା। ତାଙ୍କୁ ବାଳକାଟି ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତା ଦେଇ ଆଶ୍ରମକୁ ନିଆଯାଇଥିଲା । ଏପରିକି ସ୍ଥାନୀୟ ପୁଲିସ୍‌କୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇନଥିଲା ।

ସୁରବାବା ସୁପ୍ରିମକୋର୍ଟରୁୁ ସର୍ତ୍ତମୂଳକ ଜାମିନ୍‌ ପାଇବା ଦିନଠାରୁ ଆଶ୍ରମରେ ଗତ କିଛି ଦିନ ହେବ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ବାବା ଗତକାଲି ସଂଧ୍ୟାରେ ଆଶ୍ରମକୁ ଫେରି ଆସିଥିବା ଜାଣିବା ପରେ ଆଜି ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆଶ୍ରମରେ ପହଞ୍ଚିଥିଲେ। ପୁଣି ଗହଳି ଲାଗିଥିଲା। ଦୀର୍ଘ ଦିନ ଧରି ବନ୍ଦ ଥିବା କେତେକ ଦୋକାନ ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଥିଲା।

ସୁରବାବାଙ୍କୁ ସୁପ୍ରିମ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ ତାଙ୍କ ବଡ଼ ପୁଅ ତ୍ରିଲୋଚନ ମିଶ୍ର କିନ୍ତୁ ଜେଲ୍‌ରୁ ମୁକୁଳି ନାହାନ୍ତି। ଉଭୟ ବାପ ପୁଅଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ ମିଳିଛି। କିନ୍ତୁ ତ୍ରିଲୋଚନଙ୍କ ଜାମିନ ନିର୍ଦ୍ଦେଶନାମା ଭୁବନେଶ୍ୱର ଜିଲ୍ଲା କୋର୍ଟରେ ଉପସ୍ଥାପିତ ହୋଇପାରିନାହିଁ।

ପ୍ରକାଶଥାଉକି, ୨୦୧୫ ମସିହା ଅଗଷ୍ଟ ମାସରେ ସୁରବାବଙ୍କ ବିରୋଧରେ ଜମି ଠକେଇ, ଜାଲିଆତି, ହତ୍ୟାକାଣ୍ଡ, ମହିଳାଙ୍କୁ ଯୌନ ନିର୍ଯାତନା ଆଦି ବିଭିନ୍ନ ଅଭିଯୋଗ ହୋଇଥିଲା। ଅଗଷ୍ଟ ମାସ ୩୦ ତାରିଖରେ ହଜାର ହଜାର ସଂଖ୍ୟାରେ ଲୋକ ଆଶ୍ରମ ଉପରେ ଆକ୍ରମଣ କରିଥିଲେ। ଆଶ୍ରମରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ବିଳମ୍ବିତ ରାତିରେ କମିସନରେଟ୍‌ ପୁଲିସ ସୁରବାବା ଓ ତାଙ୍କ ଦୁଇ ପୁଅ ତ୍ରିଲୋଚନ, ବିରଞ୍ଚିଙ୍କୁ ଗିରଫ କରିଥିଲା। ଗିରଫଦାରୀ ପରେ ମାମଲାକୁ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଆଶ୍ରମରେ ଚଢ଼ଉ କରି ଗୁଳିଗୋଳା, ବନ୍ଧୁକ, ଲକ୍ଷାଧିକ ଟଙ୍କା, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଦି ଜବତ କରିଥିଲା। ତେବେ ଏହାପରେ ତଦନ୍ତର ଗତି ଧିରେ ଧିରେ ଶିଥିଳ ଧରିଥିଲା।

ସମ୍ବନ୍ଧିତ ଖବର