ଆନ୍ଧ୍ରର ଆଉ ଏକ ଚାଲ: ଆନ୍ଧ୍ରରେ ରହିବାକୁ ଚାହୁଁଥିବା ନେଇ ଆଦିବାସୀଙ୍କଠାରୁ ଲେଖାଇ ନେଇଛନ୍ତି ଏଜେଣ୍ଟ

କୋରାପୁଟ: କୋଟିଆରେ ରହୁଥିବା ନୀରିହ ଆଦିବାସୀଙ୍କ ସହ ଖେଳୁଛନ୍ତି ଆନ୍ଧ୍ର ପ୍ରଶାସନ ଓ ରାଜନେତା। ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇବା ପରେ ଏବେ ଖେଳିଛି ଆଉ ଏକ ଚାଲ। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମପୁଞ୍ଜର ୨୨ଟି ଗାଁ ଲୋକଙ୍କୁ ନିଜ ଆଡକୁ ଟାଣି ନେବାକୁ କରିଛି ଆଉ ଏକ ଅପପ୍ରୟାସ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟ ପରେ ଏହି ଖେଳ ଖେଳିଛି ଆନ୍ଧ୍ର। ଏହି ଗ୍ରାମପୁଞ୍ଜରେ ରହିଥିବା ଆଦିବାସୀଙ୍କୁ ନିଜ ଆଡକୁ ଟାଣିବାକୁ ବିଜୟନଗରରମ ଜିଲ୍ଲାପାଳ, ସାଲୁର ମଣ୍ଡଳ ଅଧିକାରୀ ଓ ପିଓ ଆଇଟିଡିଏଙ୍କୁ କାଳେ ଏହି ଗାଁ ଗୁଡିକର ଲୋକେ ଆନ୍ଧ୍ରରେ ରହିବାକୁ ଲିଖିତ ଦେଇଛନ୍ତି। ଯେଉଁଦିନ ଦୁଇ ମୁଖ୍ୟମନ୍ତ୍ରୀ ସୀମା ବିବାଦକୁ ନେଇ ଭୁବନେଶ୍ବରରେ ସାକ୍ଷାତ କରୁଥିଲେ ସେହି ସମୟରେ ଆନ୍ଧ୍ରର ଏଜେଣ୍ଟ ବିଭିନ୍ନ ଗାଁର ଲୋକଙ୍କଠାରୁ ଏସମ୍ପର୍କରେ ଲେଖାଇ ନେଇଥିବା ଜଣାପଡିଛି। ଏନେଇ ବିସ୍ତୃତ ଭାବେ ସାଲୁର ବିଧାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଥିବା ଜଣାପଡିଛି।

ଆନ୍ଧ୍ର ପ୍ରଶାସନର କହିବା ଅନୁଯାୟୀ, ବିଜୟନଗରମ ଜିଲ୍ଲା ସାଲୁର ମଣ୍ତଳରେ ରହିଛି ଏହି ବିବାଦୀୟ କୋଟିଆ ଅ˚ଚଳ।  ସୀମାନ୍ତରେ ଥିବା ୨୨ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧୢରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଓଡ଼ିଶା ସରକାରଙ୍କ ହିସାବ ଅନୁଯାୟୀ, କୋଟିଆ ପଞ୍ଚାୟତରେ ୨୮ଟି ଗାଁ ଓ ୧୨ଟି ପଡାଗ୍ରାମ ରହିଛି। ଏମିତି ମୋଟ ୪୦ଟି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୮୭୬୪ଜଣ ଲୋକ ରହୁଛନ୍ତି। ପଞ୍ଚାୟତର ଏହି ୪୦ଟି ଗ୍ରାମରୁ ୨୭ଟି ଗାଁ ବିବାଦୀୟ ହୋଇ ରହିଛି। ସେଥିରୁ ୨୧ଟି ରାଜସ୍ବ ଗ୍ରାମ ଓ ୬ଟି ପଡାଗ୍ରାମ। ଏଗୁଡିକ ହେଲା କୋଟିଆ, ଗ˚ଜେଇ ପଦର, ମାଡକାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କନାଦୋରା, ହର ମାଣ୍ତିଙ୍ଗି, ସିଡିବାଲସା, ମହିପାଣି, ଉପର ସେମ୍ଭି, ତଳ ସେମ୍ଭି, ଧୂଳି ପଦର, ଆରଜୁ ବାଲସା, ତାଡି ବାଲସା, ନାରେଡି ବାଲସା, ପନିକି, ରଣାସି˚ ଓ ସୀମାଗାଡା। ବିବାଦୀୟ ହୋଇ ରହିଥିବା ପଡା ଗ୍ରାମଗୁଡିକ ହେଲା ତଳ ଗ˚ଜେଇ ପଦର, କୁରୁଡି ପଦର, ଜାନିଗୁଡା, ପାନକୁବାଲସା, ଟାଙ୍କର ବାଲସା ଓ ଉପର ପନିକି। ତେବେ କୋଟିଆ ପଞ୍ଚାୟତରେ ଥିବା ବରାବନ୍ଧ, ଥୁରିଆ, ମାଥଲାମ୍ବ, ଗୁମେଲ ପଦର, ତଳ କାଣ୍ଟି, କାଟ୍ରାଗୁଡା ଓ ସୁଳିଆମାରୀ ଗ୍ରାମକୁ ନେଇ କୌଣସି ବିବାଦ ନାହିଁ। ସେହିପରି ଉପର ବରାବନ୍ଧ, କରଞ୍ଜଗୁଡା, ଟାଉ ପଦର, ଫୁଲପଦର, କୋଡିଆମ୍ବ ଓ ସାଲେମ ପଦର ପରି ୬ଟି ପଡା ଗ୍ରାମ ନିର୍ବିବାଦୀୟ ହୋଇ ରହିଛି। ତେବେ ଏହି ଗୁଡିକରେ ରହିଥିବା ସାଲୁର ବିଧାୟକଙ୍କ ପ୍ରରୋଚନାରେ କାର୍ଯ୍ୟ କରୁଥିବା ଆନ୍ଧ୍ର ଏଜେଣ୍ଟଙ୍କ ମାଧ୍ୟମରେ ଦାବି ପତ୍ର ଲେଖାଇ ନିଆଯାଇଥିବା ଜଣାପଡିଛି। ସେମାନେ କାଳେ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ଆନ୍ଧ୍ରରେ ମିଶିବେ। ସେଠାରୁ ଯାହା ମିଳିବ ସେଥିରେ ଚଳିବେ ବୋଲି ଲେଖି କରିଦେଇଥିବା ଖୋଦ ସାଲୁର ବିଧାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତ କରି ସୀମା ବିବାଦ ସହ ଅନ୍ୟ ପ୍ରକଳ୍ପର ସହଯୋଗ କରୁଥିବେଳେ କିପରି ଏପରି ବିବାଦୀୟ ସୂଚନା ଖୋଦ ସାଲୁର ବିଧାୟକ ପିଡ୍ଡିକା ରାଜନ୍ନା ଦୋରା ତାଙ୍କ ସାମାଜିକ ଗଣାମଧ୍ୟମରେ ଲେଖିଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଦୁଇ ରାଜ୍ୟର ମୁଖ୍ୟଶାସନ ସଚିବ ସ୍ତରୀୟ କମିଟି ଗଠନ ହେବାକୁ ରହିଥିବାବେଳେ ଜଣେ ବିଧାୟକଙ୍କ ଏପରି କାର୍ଯ୍ୟ ବିବାଦକୁ ଟାଣି ଆଣିଛି। ଗତକାଲି  କୋରାପୁଟରେ ସର୍ବଦଳୀୟ ବୈଠକ ବସିଥିବାବେଳେ  ସେଥିରେ ଏହି ବିଷୟରେ ଆଲୋଚନା ହୋଇଥିଲା। ଆଜି  ସାଲୁର ବିଧାୟକଙ୍କ ଏପରି କାର୍ଯ୍ୟକୁ ନେଇ ସର୍ବଦଳୀୟ ନେତାଏ ତୀବ୍ର ଅସନ୍ତୋଷ କରିଛନ୍ତି।

ସମ୍ବନ୍ଧିତ ଖବର