ମନ୍ଥର ଗତିରେ ଚାଲିଛି ଝଞ୍ଜାବତୀ ବ୍ରିଜ୍ ନିର୍ମାଣ, ଆନ୍ଧ୍ର-ଓଡ଼ିଶା ରୁଟରେ ଟ୍ରାଫିକ୍ ସମସ୍ୟା ଜଟିଳ

ରାୟଗଡ଼ା: ୨୦୧୮ ଏପ୍ରିଲରେ ନିର୍ମାଣ ସରିବାର ଥିଲା। ୨୦୨୧ ସରିବାକୁ ବସିଲାଣି। ଅଥଚ ବ୍ରିଜ୍ ନିର୍ମାଣ ସରିପାରୁନି। ରେଲୱେ ବ୍ରିଜ୍ ମଡେଲରେ ହେବାକୁ ଥିବା ଝଞ୍ଜାବତୀ ବ୍ରିଜର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ତତ୍ତ୍ବାବଧାନରେ ଚାଲିଥିବା ବେଳେ ଡିଜାଇନିଂ ସମସ୍ୟା, ଠିକାସଂସ୍ଥାର ଅବହେଳା ଯୋଗୁ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ବ୍ରିଜ୍। ଫଳରେ ବିପଦସଙ୍କୁଳ ଶହେ ବର୍ଷର ପୁରୁଣା ବ୍ରିଜ୍ ଦେଇ ଯାନବାହନ ଚଳାଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ରାୟଗଡ଼ାରୁ ବିଶାଖାପାଟଣାକୁ ସଂଯୋଗ ହୋଇଥିବା ରାଜପଥରେ ରହିଛି ଝଞ୍ଜାବତୀ ବ୍ରିଜ୍। ସହରର ମଝିଘରିଆଣୀ ମନ୍ଦିର ନିକଟରେ ଥିବା ଏହି ବ୍ରିଜ୍ ଶହେରୁ ଉର୍ଦ୍ଧ୍ବ ବର୍ଷ ତଳେ ନିର୍ମାଣ ହୋଇଥିଲା। ପୁରୁଣା ବ୍ରିଜ୍ ଅଣଓସାରିଆ ଯୋଗୁ ଯାନବାହନ ଚଳାଚଳରେ ସମସ୍ୟା ହେବାରୁ ନୂତନ ବ୍ରିଜ୍ ନିର୍ମାଣ ପାଇଁ ୨୦୧୬ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତାବ ଯାଇଥିଲା। ବିଭାଗୀୟ ଅନୁମୋଦନ ପରେ ୧୯ କୋଟି ୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ବ୍ରିଜର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ୨୦୧୭ ଏପ୍ରିଲ୍ ମାସରେ କାମ ଆରମ୍ଭ ହୋଇଥିଲା।

୨୦୧୮ ଏପ୍ରିଲ୍ ସୁଦ୍ଧା ନିର୍ମାଣ କାମ ଶେଷ ପାଇଁ ଟେଣ୍ଡର ହ‌ାତେଇଥିବା ମୋକାମ୍ବିକା କନଷ୍ଟ୍ରକସନ୍‌ କମ୍ପାନୀକୁ ବିଭାଗୀୟ ନିର୍ଦେଶ ଥିଲା। କିନ୍ତୁ ନଦୀସ୍ତରରୁ ବ୍ରିଜର ଉଚ୍ଚତା ୨ ଶହ ଫୁଟ ଉଚ୍ଚରେ ଥିବା ନିର୍ମାଣ ସମୟରେ ଠିକା କମ୍ପାନୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନାକେଦମ୍ ହେବାକୁ ପଡିଥିଲା। ଉଭୟ ପାର୍ଶ୍ବ ପିଲରକୁ ଛାଡ଼ିଲେ ନଦୀମଝିରେ ପିଲର ନିର୍ମାଣ ସମ୍ଭବ ନଥିବାରୁ ରେଳ ବିଭାଗ ବ୍ରିଜ୍ ମଡେଲରେ ନିର୍ମାଣ ପାଇଁ ଡିଜାଇନିଂ ହୋଇଥିଲା। ଦୁଇପାର୍ଶ୍ବ ପିଲର ନିର୍ମାଣ ଇତି ମଧ୍ୟରେ ଶେଷ ହୋଇଥିବା ବେଳେ ଦୁଇପାର୍ଶ୍ବକୁ ଯୋଡ଼ିବାକୁ ଥିବା ବ୍ରିଜ୍ କାମର ଡିଜାଇନିଂ ଦୁଇ ଥର ପରିବର୍ତ୍ତନ ହେବା ସହ ଏଷ୍ଟିମେଟରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଯାହାକୁ ବିଭାଗୀୟ ଅନୁମୋଦନ ମିଳିବାରେ ବିଳମ୍ବ ପରେ ଠିକା ସଂସ୍ଥା କାମ କରିବାକୁ ମନା କରି ଦେଇଥିଲା। ୨୦୨୦ରେ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ନିର୍ମାଣଧୀନ ଝଞ୍ଜାବତୀ ବ୍ରିଜ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ପରେ ନୂତନ ଏଷ୍ଟିମେଟକୁ ଅନୁମୋଦନ ମିଳିଥିଲା। ହେଲେ ଏଯାବତ୍ କାମ ଆରମ୍ଭ ହୋଇପାରୁନି।

ବ୍ରିଜ୍ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଦୁଇ ରାଜ୍ୟ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଚଳାଚଳରେ ପ୍ରତିଦିନ ଲୋକଙ୍କୁ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଅଣଓସାରିଆ ପୋଲ ଦେଇ ଭାରିଯାନ ଚଳାଚଳ କରିପାରୁନଥିବାରୁ ଘଣ୍ଟାଘଣ୍ଟା ଧରି ରାଜପଥରେ ଭିଡ଼ ଜମୁଛି। ଫଳରେ ମେଡ଼ିକାଲ୍ ସହ ଅନ୍ୟ ଜରୁରି କାମରେ ଏହି ରାଜପଥରେ ଯାତାୟାତ କରୁଥିବା ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାୟଗଡ଼ା ଜିଲ୍ଲା ସଦର ମହକୁମା ପାଇଁ ଝଞ୍ଜାବତୀ ବ୍ରିଜ୍ ବହୁ ଗୁରୁତ୍ବ ବହନ କରୁଛି। ରାୟଗଡ଼ା ସଦର ବ୍ଲକର ୬ଟି ପଞ୍ଚାୟତବାସୀ ବ୍ରିଜ୍ ଅପରପାର୍ଶ୍ବରେ ବସବାସ କରୁଛନ୍ତି। ଏଥି ସହିତ ପିତାମହଲକୁ ରାୟଗଡ଼ା ଶିଳ୍ପାଞ୍ଚଳ ଭାବେ ଘୋଷଣା କରାଯାଇଛି। ଶିଳ୍ପାଞ୍ଚଳରେ ଅନେକ କ୍ଷୁଦ୍ର, ମଧ୍ୟମ ଶିଳ୍ପ ଗଢ଼ି ଉଠିଥିବା ବେଳେ ନିକଟରେ ଏଲପିଜି ଗ୍ୟାସ୍ ବଟଲିଂ ପ୍ଲାଣ୍ଟ୍ ଶୁଭାରମ୍ଭ ହୋଇଛି। ୮ଟି ଜିଲ୍ଲାକୁ ଏହି ପ୍ଲାଣ୍ଟରୁ ଗ୍ୟାସ୍ ବିତରଣ ହେଉଛି। ଅନ୍ୟପକ୍ଷରେ ରାୟପୁର-ବିଶାଖାପାଟଣାକୁ ଏହି ରାଜପଥ ସଂଯୋଗ କରୁଥିବାରୁ ଶହଶହ ମାଲବାହୀ ଯାନବାହନ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଏହି ଦୃଷ୍ଟିରୁ ବ୍ରିଜ୍ ନିର୍ମାଣକୁ ପୂର୍ତ୍ତ ବିଭାଗ ଗୁରୁତ୍ବ ଦେବା ବଦଳରେ ଖାମଖିଆଲି ଭାବେ ବର୍ଷ ପରେ ବର୍ଷ ଗଡ଼ାଇ ଚାଲିଛି। ପୁରୁଣା ବ୍ରିଜ୍ ଦେଇ ୧୦ ଟନରୁ ଅଧିକ ଲୋଡ୍ ଥିବା ଯାନବାହନ ଚଳାଚଳ ଉପରେ ପରିବହନ ବିଭାଗ ରୋକ୍ ଲଗାଇଛି। କିନ୍ତୁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ବିପଦସଙ୍କୁଳ ବ୍ରିଜ୍ ଦେଇ ହିଁ ଯାତାୟାତ ଚାଲିଛି।

ସମ୍ବନ୍ଧିତ ଖବର