ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପଦପୂର୍ଣ୍ଣ ସେବା, ଭଙ୍ଗା ହ୍ବିଲ ଚେୟାର ଓ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ

ଜୟପୁର: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରେ ବିପଦପୂର୍ଣ୍ଣ ସେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭଙ୍ଗାଦଦରା ହ୍ବିଲ ଚେୟାର ଓ ଷ୍ଟ୍ରେଚରରେ ରୋଗୀବୁହା ଭଳି ନିତିଦିନିଆ ସେବା ଏହାର ଏକ ଜ୍ବଳନ୍ତ ଉଦାହରଣ ସାଜିଛି। ଗୁରୁତର ରୋଗୀ ଆସିଲେ ଏଭଳି ସେବାକୁ ଦେଖି ଭୟଭୀତ ହୋଇପଡୁଛନ୍ତି। ଅନେକ ରୋଗୀ ତଳକୁ ଖସି ପଡୁଥିବାବେଳେ ସମ୍ପର୍କୀୟଙ୍କ ସୁରକ୍ଷାରୁ ବର୍ତ୍ତି ଯାଉଥିବା ବି ଦେଖିବାକୁ ମିଳୁଛି। ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଯଦି ଏଭଳି ଅବ୍ୟବସ୍ଥା ତେବେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ସେବା କିଭଳି ବ୍ୟବସ୍ଥିତ ଥିବ ତାହା ସହଜେ ଅନୁମେୟ।

ଜୟପୁରଠାରେ ରହିଛି ଜିଲ୍ଲା ଚିକିତ୍ସାଳୟ। ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏବଂ ଆନ୍ଧ୍ରରୁ ବି ଦୈନିକ ଶତାଧିକ ରୋଗୀ ଆସିଥାନ୍ତି। ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରି ନାହିଁ। ଏମ୍‌ସିଏଚ୍‌ କୋଠାରେ ଜିଲ୍ଲା ଚିକିତ୍ସାଳୟ ଚାଲିଛି। ଚିକିତ୍ସା ସେବାକୁ ବ୍ୟାପକ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ରୋଗୀଙ୍କ ପାଇଁ ସାମାନ୍ୟ ହ୍ବିଲ୍ ଚେୟାର ଓ ଷ୍ଟ୍ରେଚର ପ୍ରତି ଗୁରୁତ୍ବ ଦେବାକୁ ମେଡିକାଲ କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି। ଗୋଟିଏ ପରେ ଗୋଟିଏ ହ୍ବିଲ୍ ଚେୟାର ଓ ଷ୍ଟ୍ରେଚର ଭାଙ୍ଗିଗଲାଣି। ସେଥିରେ ରୋଗୀକୁ ନେବା ବିପଦ ରହୁଛି। ହ୍ବିଲ୍ ଚେୟାର ସିଟ୍ ଚିରି ଯାଇ ତଳକୁ ଓହଳି ରହୁଛି । ତାହାର ଚକ ମଧ୍ୟ ବାହାରି ପଡିଥିବା ବେଳେ ସୁତୁଲି ବାନ୍ଧି କାମ ଚଳାଯାଉଛି। ରୋଗୀ ବସିଲେ ଗୋଡ ରଖିବା ପାଇଁ ଫୁଟ୍ ରେଷ୍ଟ ମଧ୍ୟ ନାହିଁ, ତାହାକୁ ମରାମତି କରାଯାଉନାହିଁ। କୌଣସି ରୋଗୀ ଅବଚେତନ ଅବସ୍ଥାରେ ଆସିଲେ ସେହି ଭଙ୍ଗା ହ୍ବିଲ୍ ଚେୟାରରେ ନେବାକୁ ପଡୁଛି। ସାମାନ୍ୟ ଅସାବଧାନ ହେଲେ ତଳେ ପଡିଯିବା ଭୟ ରହୁଛି। ଗୁରୁତର ଅବସ୍ଥାରେ ‌ରୋଗୀଙ୍କୁ ପ୍ରାଣ ବିକଳରେ ଡାକ୍ତରଙ୍କ ନିକଟକୁ ଏଥିରେ ନେବା ଛଡ଼ା ଅନ୍ୟପନ୍ଥା ନାହିଁ। ବହିଃବିଭାଗରେ ଚିକିତ୍ସା ପରେ ‌ରୋଗୀକୁ ବିଭିନ୍ନ ୱାର୍ଡକୁ ଷ୍ଟ୍ରେଚରରେ ନ‌େଲେ ସେହି ଷ୍ଟ୍ରେଚର ସେଠାରେ ହିଁ ପଡ଼ି ରହୁଛି। ବହିଃବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ସେହି ଷ୍ଟ୍ରେଚର ଆସିବା ଯାଏଁ ଅପେକ୍ଷା କରିବାକୁ ପଡୁଛି।

 

ସବୁଠୁ ଦୁଃଖର ବି‌ଷୟ ହେଲା ଷ୍ଟ୍ରେଚରରେ ରୋଗୀକୁ ବୋହି ନେବା ପାଇଁ ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଓଟିରେ ଡ୍ୟୁଟି ପାଇଁ ସେମାନଙ୍କୁ ନିୟୋଜିତ କରାଯାଉଥିବାରୁ ଆଟେଣ୍ଡାଣ୍ଟଙ୍କ ଅଭାବ ରହୁଛି। ଫଳରେ ରୋଗୀଙ୍କ ସମ୍ପର୍କୀୟ ନଥିଲେ ରୋଗୀଙ୍କୁ ନେବା କଷ୍ଟକର ହୋଇପଡୁଛି। ଅନେକ ସମୟରେ ସୁରକ୍ଷା କର୍ମୀ ଓ ହେଲ୍ପଡେସ୍କ କର୍ମଚାରୀ ସହାୟତା କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍.ଏନ୍.ମିଶ୍ରଙ୍କ କହିବାନୁଯାୟୀ ହ୍ବିଲ୍ ଚେୟାର ଓ ଷ୍ଟ୍ରେଚରଗୁଡିକ ଭାଙ୍ଗି ଯାଇଛି। ବହିଃବିଭାଗ ନିକଟରେ ଥିବା ସୁରକ୍ଷା କର୍ମୀ ଓ ହେଲ୍ପଡେସ୍କ କର୍ମଚାରୀ ରୋଗୀ ବୋହିବାରେ ସହଯୋଗ କରୁଛନ୍ତି। ସେବା ପାଇଁ ଥିବା ଭଙ୍ଗା ସାମଗ୍ରୀଗୁଡିକୁ ତୁରନ୍ତ ମରାମତି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର