ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍‌: ୧୭୧ ମୃତକଙ୍କ ପରିବାରର ଗୋଟିଏ ଫୋନ୍‌ ‌ନମ୍ବର!

ଗୋଟିଏ ପଞ୍ଚାୟତରେ ୧୫ ମାସ‌ରେ ମରିଛନ୍ତି ୨୨୦ଜଣ

କେନ୍ଦୁଝର : ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍‌ ପାଇଁ ଆପଣା ଯାଇଛି ଭିନ୍ନ ଭିନ୍ନ ତରିକା। କେଉଁଠି ଜଣେ ବ୍ୟକ୍ତିଙ୍କୁ ଦୁଇଥର ମାରି ଦିଆଯାଇଛି ତ ଆଉ କେଉଁଠି ୪ ବର୍ଷ ତଳେ ମରିଥିବା ବ୍ୟକ୍ତିଙ୍କୁ ଏବେ ମରିଛି ଦର୍ଶାଇ ଅର୍ଥ ଉଠାଯାଇଛି। ଏଭଳି ସ୍ଥିତିରେ ଆଉ ଏକ ନୂତନ ତଥ୍ୟ ପଦାକୁ ଆସିଛି। ମାତ୍ର ୧୫ ମାସ ମଧ୍ୟରେ ହାଟଡିହି ବ୍ଲକ୍‌ର ବାଲିବରେଇ ପଞ୍ଚାୟତରେ ୨୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ସବୁଠୁ ଚକିତ କଲା ଭଳି ୧୭୧ଜଣ ହିତାଧିକାରୀଙ୍କ ପାଇଁ ବ୍ୟବହାର ହୋଇଛି ଗୋଟିଏ ମୋବାଇଲ୍‌ ଫୋନ୍‌ ନମ୍ବର। ତେଣୁ ଏଥିରେ ବଡ଼ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ବାଲିବରେଇ ପଞ୍ଚାୟତରେ ୧୫ ମାସ ମଧ୍ୟରେ ୨୨୦ ଜଣଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ପାଇଁ ଆବେଦନ କରାଯାଇଛି। ସେ ମଧ୍ୟରୁ ୨୧୯ଜଣଙ୍କୁ ଏହି ଯୋଜନାରେ ଟଙ୍କା ଦିଆଯାଇଛି ବୋଲି ଦର୍ଶାଯାଇଛି। ସରକାରୀ ତଥ୍ୟ ଅନୁସାରେ, ବାଲିବରେଇ ଗ୍ରାମର ସନାତନ ନାଏକଙ୍କ ଗତ ମାର୍ଚ୍ଚ୨୧ ତାରିଖରେ ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି । ଏଥିପାଇଁ ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଏପ୍ରିଏଲ ୨୨ ତାରିଖରେ ୨୦୦୦ ଟଙ୍କା ଦିଆଯାଇଛି ବୋଲି ଦର୍ଶାଯାଇଛି। ସେହିପରି ପୂର୍ଣ୍ଣ ନାଏକ, ରତ୍ନା ନାଏକ, କାଶୀନାଥ ନାହାକ, ରାଇସେନ ମୁର୍ମୁଙ୍କର ଗତ ମାର୍ଚ୍ଚ ମାସରେ ମୃତ୍ୟୁ ଦର୍ଶାଇ ପରିବା ସଦସ୍ୟଙ୍କୁ ଏପ୍ରିଲ ମାସରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଦିଆଯାଇଛି। ମୋଟ୍‌ ୨୨୦ ଜଣଙ୍କ ମଧ୍ୟ‌ରୁ ଅନ୍ୟ କୌଣସି ମୃତବ୍ୟକ୍ତିଙ୍କ ଠିକଣା ସରକାରୀ ୱେବସାଇଟ୍‌ରେ ଦିଆଯାଇ ନାହିଁ। ମାତ୍ର ସେମାନଙ୍କ ନାମରେ ଟଙ୍କା ଉଠିଛି ବୋଲି ଦର୍ଶାଯାଇଛି।

ଦ୍ବିତୀୟତଃ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ନେବାକୁ ହେଲେ ସାଧାରଣତଃ ମୃତବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ମୋବାଇଲ ନମ୍ବର ଆବେଦନପତ୍ରରେ ରହିବା କଥା। ଆବେଦନକାରୀ ନିଜର ଆଧାରକାର୍ଡ଼, ଆୟ ପ୍ରମାଣପତ୍ର, ଫଟୋ, ମୋବାଇଲ୍ ନମ୍ବର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ରାସନ୍ କାର୍ଡ ସହ ସମ୍ପର୍କୀୟଙ୍କ ମୃତ୍ୟୁର ୧୫ ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିବାର ନିୟମ ରହିଛି। ତେବେ ଏହି ୨୨୦ ଜଣଙ୍କ ମଧ୍ୟରୁ ୧୭୧ ଜଣଙ୍କ ମୃତ ବ୍ୟକ୍ତଙ୍କ ନାମ ପାଇଁ ମାତ୍ର ଗୋଟିଏ ନମ୍ବର ବ୍ୟବହାର ହୋଇଛି। ଯେଉଁ ନମ୍ବରଟି ହେଉଛି ୯୯୩୭୬୮୯୩୫୪। ବ୍ୟବହାର ହୋଇଥିବା ମୋବାଇଲ୍‌ ନମ୍ବରଟି ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କର ବୋଲି ଚର୍ଚ୍ଚା ହେଉଛି। ୨୦୨୧ ଜାନୁଆରି ୧ ତାରିଖରୁ ୨୦୨୨ମାର୍ଚ୍ଚ ୨୨ ତାରିଖ ମଧ୍ୟରେ ଗୋଟିଏ ପଞ୍ଚାୟତରୁ ଏତେ ସଂଖ୍ୟକ ଲୋକ ମଲେ କେମିତି ବୋଲି ପ୍ରଶ୍ନ ଉଠୁଛି। ଏଥିସହ ସରକାରୀ ତଥ୍ୟରେ ଦର୍ଶାଯାଇଥିବା ମୃତ୍ୟୁ ତାରିଖ ସହିତ ଅନେକଙ୍କ ବାସ୍ତବ ମୃତ୍ୟୁ ତାରିଖ ମେଳ ଖାଉ ନଥିବାରୁ ଘୋଟାଲା ହୋଇଥିବା ସନ୍ଦେହ କରଯାଉଛି।

ସମ୍ବନ୍ଧିତ ଖବର