ବିଜେପୁରରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କଲେ ଅଶୋକ ପାଣିଗ୍ରାହୀ

ବିଜେପୁର: ବିଜେପି ବିରୋଧରେ ପ୍ରତିଶୋଧ ନେବାକୁ ବୋଧେ ପଣ କରି ନେଇଛନ୍ତି ବିଜେପିରୁ ଇସ୍ତଫା ନେଇଥିବା ନେତା ଅଶୋକ ପାଣିଗ୍ରାହୀ | ବିଜେପି ଛାଡ଼ିଥିବା ନେତା ଅଶୋକ ପାଣିଗ୍ରାହୀ ଆଜି କହିଛନ୍ତି ଯେ ବିଜେପୁର ଉପ-ନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ | ବିଜେପିକୁ ଉଚିତ ଜବାବ ଦେବୁ, ବିଜେଡି ପାଇଁ ପ୍ରଚାର କରିବୁ | ସେହିପରି ବିଜେପୁରର ବିକାଶ ପାଇଁ ଶାସକ ଦଳକୁ ସମର୍ଥନ ଦେବୁ ବୋଲି ଅଶୋକ କହିଛନ୍ତି | ଏଠାରେ ସୂଚନା ଥାଉ କି ଶନିବାର ଦିନ ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ। ଦଳ ତାଙ୍କୁ ଅବହେଳା କରୁଥିବାରୁ ସେ ଇସ୍ତଫା ଦେଉଥିବା ଦର୍ଶାଇଥିଲେ । ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢ଼ୁଥିଲା ବେଳେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇଥିଲେ।

ତେବେ ୨୦୦୪ ମସିହାରୁ ଲଗାତର ତିନିଟି ନିର୍ବାଚନରେ ବିଜେପୁର ଆସନ କଂଗ୍ରେସ ହାତକୁ ଗଲା। କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନି ଥର କଂଗ୍ରେସ ଟିକେଟ୍‌ରେ ସେଠାରୁ ଜିତିଥିଲେ। ତେବେ ଶ୍ରୀ ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳରେ ଜଣେ ଟାଣୁଆ ବିଜେଡି ନେତା ଭାବେ ପୂର୍ବରୁ ଗଣା ଯାଉଥିଲେ। ସୁବଳ ସାହୁଙ୍କ ମୃତ୍ୟୁ ପରେ ୨୦୧୮ରେ ହୋଇଥିବା ଉପ ନିର୍ବାଚନରେ ଶ୍ରୀ ପାଣିଗ୍ରାହୀ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିଲେ।

କିନ୍ତୁ ସ୍ବର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କଲା। ଫଳରେ ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ଉପ ନିର୍ବାଚନରେ ପ୍ରାର୍ଥୀ ହେଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଗତ ସାଧାରଣ ନିର୍ବାଚନରେ ବିଜେପି ଶ୍ରୀ ପାଣିଗ୍ରାହୀଙ୍କୁ ଟିକେଟ୍‌ ନ ଦେଇ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କଲା। ଉପନିର୍ବାଚନରେ ବି ଶ୍ରୀ ଗଡ଼ତିଆଙ୍କୁ ଦଳ ପୁଣି ପ୍ରାର୍ଥୀ କଲା। ଏପରିକି ବିଜେପି ପକ୍ଷରୁ ବିଜେପୁର ପାଇଁ ପ୍ରସ୍ତୁତ ହେଉଥିବା ରଣନୀତିରେ ଶ୍ରୀ ପାଣିଗ୍ରାହୀଙ୍କୁ କୌଣସି ଗୁରୁତ୍ବ ଦିଆଗଲା ନାହିଁ କି ପ୍ରଚାର କାର୍ଯ୍ୟରେ ତାଙ୍କୁ ସାମିଲ କରାଗଲା ନାହିଁ। ଏହା ପରଠାରୁ ଶ୍ରୀ ପାଣିଗ୍ରାହୀ ଅସନ୍ତୁଷ୍ଟ ହୋଇପଡ଼ିଥିଲେ। ଗଣମାଧ୍ୟମ ସାମ୍ନାରେ ନିଜର ଅସନ୍ତୋ‌ଷ ବି ଜାହିର କରିଥିଲେ।

ସମ୍ବନ୍ଧିତ ଖବର