ତ୍ରୁଟିପୂର୍ଣ୍ଣ ଏଏସ୍‌ଆର ହିପ୍ ଇମ୍ପ୍ଲାଣ୍ଟ କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ : ହିପ୍ ପ୍ରତିରୋପଣ ଅନୁଧ୍ୟାନ କମିଟି ଗଠିତ

ASI heep emplant

ଭୁବନେଶ୍ବର : ୨୦୦୬ ଓ ଏହାର ପରବର୍ତୀ ବର୍ଷଗୁଡ଼ିକରେ ୟୁକେସ୍ଥିତ ଡି ପଏ ଇଣ୍ଟରନେସନାଲ୍‌ ପକ୍ଷରୁ ପ୍ରସ୍ତୁତ ଏଏସ୍‌ଆର ତ୍ରୁଟିପୂର୍ଣ୍ଣ ହିପ୍ ଇମ୍ପ୍ଲାଣ୍ଟ ଯୋଗୁଁ କ୍ଷତିଗ୍ରସ୍ତ ହୋଇ ଅକର୍ମଣ୍ୟ ହୋଇଯାଇଥିବା ରୋଗୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ଯେଉଁ ରୋଗୀମାନେ ପ୍ରକୃତରେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ରାଜ୍ୟସ୍ତରୀୟ ପ୍ରତିରୋପଣ ଅନୁଧ୍ୟାନ କମିଟି ଗଠନ ହୋଇଛି। ଏହି କମିଟି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଏହାକୁ କେନ୍ଦ୍ରୀୟ କମିଟିକୁ ପଠାଇବେ।

ରାଜ୍ୟ ସରକାର ଗଠନ କରିଥିବା ଏହି କମିଟିରେ ଏସ୍‌ସିବି ମେଡିକାଲର ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡା.ଆର ଏନ୍ ଜେନା, ଏମ୍‌କେସିଜିସ୍ଥିତ ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡା.ଏ କେ ମିଶ୍ର, ଏସ୍‌ସିବି ମେଡିକାଲ କଲେଜରେ ରେଡିଓ ଡାଏଗ୍ନୋସିସ୍ ପ୍ରଫେସର ଡା.ଜୟଶ୍ରୀ ମହାନ୍ତି, ସିଡିଏସ୍‌ସିଓ ଭେଷଜ ନିୟନ୍ତ୍ରକ ଅରୁପ ଚାଟାର୍ଜୀ ଅଛନ୍ତି। ରାଜ୍ୟ ଭେଷଜ ନିୟନ୍ତ୍ରକ(ଭାରପ୍ରାପ୍ତ) ମାମୀନା ପଟ୍ଟନାୟକ ଏହାର ସଦସ୍ୟ ସଚିବ ରହିଛନ୍ତି। ସୂଚନା ଅନୁସାରେ, ୨୦୦୬ ମସିହାରେ ହିପ୍ ପ୍ରତିରୋପଣ ହୋଇଥିବା ଓ ରୋଗୀ ପ୍ରଥମ ଅସ୍ତ୍ରୋପଚାର ୧୦ବର୍ଷ ଭିତରେ ଏଏସ୍‌ଆର ଇମ୍ପ୍ଲାଣ୍ଟ ଲଗାଇଥିବା ରୋଗୀଙ୍କୁ ହିଁ ଏହି କ୍ଷତିପୂରଣ ମିଳିବ। ଏଥିପାଇଁ ‌ରୋଗୀମାନଙ୍କୁ ଅନଲାଇନ୍ ଜରିଆରେ ରାଜ୍ୟ କମିଟିକୁ ଆବେଦନ କରିବାକୁ ପଡ଼ିବ। କମିଟି ଏହାକୁ ଯାଞ୍ଚ କରିବା ପରେ କେନ୍ଦ୍ରୀୟ କମିଟି ନିକଟକୁ କ୍ଷତିପୂରଣ ପ୍ରଦାନ ପାଇଁ ପଠାଇବେ। ଏଏସ୍‌ଆର ଇମ୍ପ୍ଲାଣ୍ଟ ‌ଲଗାଇବା ଯୋଗୁଁ ଭିନ୍ନକ୍ଷମ ହୋଇ ଯାଇଥିବା ରୋଗୀମାନଙ୍କର ହୋଇଥିବା କ୍ଷତିକୁ ନଜରରେ ରଖି କ୍ଷତିପୂରଣ ବାବଦ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ରୀୟ ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦେଶ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ୨୦୦୬ ମସିହା ପରେ କେତେ ସଂଖ୍ୟକ ବ୍ୟକ୍ତି ଡିପଏ ଇଣ୍ଟରନେସନାଲର ଏଏସ୍‌ଆର ହିପ୍ ଇମ୍ପ୍ଲାଣ୍ଟ ଲଗାଇଛନ୍ତି ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ମାତ୍ର ଏହାଦ୍ବାରା କ୍ଷତିଗ୍ରସ୍ତ ରୋଗୀମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଔଷଧର ଦାମ ଯାଞ୍ଚ ପାଇଁ ଆରମ୍ଭ ହେବ ପିଏମ୍‌ଆରୟୁ ସେଲ୍

ରାଜ୍ୟରେ ଆରମ୍ଭ ହେବ ପ୍ରାଇସ ମନିଟରିଂ ରିସୋର୍ସ ୟୁନିଟ୍ ବା ପିଏମ୍‌ଆରୟୁ ସେଲ୍। ବଜାରରେ ଯେଉଁ ଔଷଧ ବିକ୍ରି ହେଉଛି ତାହାର ଦାମ୍ ଠିକ୍ ରହିଛି କି ଦୋକାନୀମାନେ ରୋଗୀମାନଙ୍କୁ ଶୋଷଣ କରୁଛନ୍ତି ତାହାର ଯାଞ୍ଚ କରିବ ପିଏମ୍‌ଆରୟୁ। ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ଏହାକୁ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟରେ ଏବେ ଔଷଧ ଗୁଣବତ୍ତାର ଯାଞ୍ଚକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଔଷଧର ଦାମ୍ ଯାଞ୍ଚ ନେଇ କୌଣସି ବ୍ୟବସ୍ଥା ନ ଥିଲା। ଔଷଧ ଦାମ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ଔଷଧ ଦାମ ନିୟନ୍ତ୍ରଣ ଆଇନ୍ ବା ଡିପିସିଏ ରହିଥିବା ବେଳେ ଜାତୀୟ ମୂଲ୍ୟ ନିର୍ଧାରଣ ପ୍ରାଧିକରଣ ବା ଏନ୍‌ପିପିଏ ଏହାକୁ ନିୟନ୍ତ୍ରିତ କରିଥାନ୍ତି। ଏହାସତ୍ବେ ମଧ୍ୟ ବଜାରରେ ବିକ୍ରି ହେଉଥିବା ଔଷଧର ଦାମ୍‌କୁ ନିୟନ୍ତ୍ରଣ କରିବା ସବୁ ସମୟରେ ସମ୍ଭବ ହେଉନାହିଁ। ଜିଲ୍ଲାସ୍ତରରେ ଥିବା ଡ୍ରଗ୍ ଇନ୍‌ସପେକ୍ଟର ବା ଡିଆଇ ଔଷଧର ଦାମ୍ ଅପେକ୍ଷା ଏହାର ଗୁଣବତ୍ତାକୁ ଅଧିକ ଗୁରୁତ୍ବ ଦେଉଛି। ତେଣୁ ବଜାରରେ ମିଳୁଥିବା ଔଷଧର ପ୍ରକୃତ ଦାମ୍ ଓ ଏହାକୁ ପ୍ରସ୍ତୁତ କରିଥିବା କମ୍ପାନି ସଂପର୍କରେ ପିଏମ୍‌ଆରୟୁ ଯାଞ୍ଚ କରିବ। ରାଜ୍ୟ ଔଷଧ ନିୟନ୍ତ୍ରଣ ନିର୍ଦେଶାଳୟ ପରିସରରେ ଏହି ସେଲ୍ କାର୍ଯ୍ୟ କରିବ। ରାଜ୍ୟ ଭେଷଜ ନିୟନ୍ତ୍ରକ ଏହାର ଆବାହକ ରହିଥିବା ସ୍ବାସ୍ଥ୍ୟ ସଚିବ ଏଥିରେ ଅଧ୍ୟକ୍ଷ ରହିଛନ୍ତି। ଏହାସହ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ, ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ମଧ୍ୟ ଏଥିରେ ସଦସ୍ୟ ରହିଛନ୍ତି। ଚଳିତମାସ ଶେଷ ସୁଦ୍ଧା କିମ୍ବା ଆସନ୍ତା ମାସର ପ୍ରଥମ ସପ୍ତାହରେ ଏହା କାର୍ଯ୍ୟ କରିବ ବୋଲି ଔଷଧ ନିୟନ୍ତ୍ରଣ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର