ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି: ୨୪ରେ ଯୋଗ ଦେଉନାହାନ୍ତି ବୈଜୟନ୍ତ

କେନ୍ଦ୍ରାପଡ଼ା: ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ସେଥିରେ ଅବସାନ ଘଟାଇଛନ୍ତି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଆଜି ଏଠାକୁ ଗସ୍ତରେ ଆସିଥିବା ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଗୋପସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଦଳର ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ କିପରି ଅଧିକ ସଂଖ୍ୟକ ବିଜେପି କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ‌ ଦେବେ ସେ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତଙ୍କ ବିଜେପିରେ ଯୋଗ ଦେବା ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଏଭଳି ‌କୌଣସି ଯୋଜନା ନାହିଁ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ବିଜେପିରେ ଆରମ୍ଭ ହୋଇଥିବା ଗୋଷ୍ଠୀ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ୧୦ ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ସଦସ୍ୟ ଖୁଲମଖୁଲା ବିଦ୍ରୋହର ନାରା ଦେଇଛନ୍ତି। ଜିଲ୍ଲା ବିଜେପି ସଭାପତିଙ୍କ ଅନଭିଜ୍ଞତା ପାଇଁ ଦଳ ରସାତଳକୁ ଚାଲି ଯାଇଥିବା ସେମାନେ ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜକନିକା ବ୍ଲକର ଓଳାଭର ଜନ ପରାମର୍ଶ ସଭାରେ ଜନସାଧାରଣଙ୍କ ଉପସ୍ଥିତି ବେଶ୍‌ ନଗଣ୍ୟ ଥିଲା ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଜିଲ୍ଲାରେ ସଦ୍ୟ ସମାପ୍ତ ଜନପରାମର୍ଶ ପଦଯାତ୍ରାରେ ଖର୍ଚ୍ଚ ହେବାକୁ ଥିବା ଦଳୀୟ ପାଣ୍ଠିର ଦୂରୁପଯୋଗ ସମ୍ପର୍କରେ ମଧ୍ୟ ସେମାନେ ରାଜ୍ୟ ସଭାପତିଙ୍କ ନିକଟରେ ଆପତ୍ତି ଉଠାଇଛନ୍ତି। ଯଦି ରାଜ୍ୟ ସଭାପତି ଏହି ଅଭିଯୋଗଗୁଡିକର ସଠିକ ଢଙ୍ଗରେ ବିଚାର ନ କରନ୍ତି ତେବେ ଏମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଶୁଣାଇଛନ୍ତି। ତେବେ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ଏପରି ଅଭିଯୋଗ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ବିଜେପିର କେତେକ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଦଳରୁ ଇସ୍ତଫା ଦେବାକୁ ଯାଉଥିବା ସ˚ପର୍କରେ ରାଜ୍ୟ ସଭାପତି ଶ୍ରୀ ପଣ୍ତା କହିଥିଲେ ଯେ, ଦଳର ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ ଦଳରେ ଅଛନ୍ତି ଓ ରହିବେ ା

ସମ୍ବନ୍ଧିତ ଖବର