ଦଲାଲଙ୍କ କବ୍‌ଜାରେ ବିଏଡ୍ ଛାତ୍ରଛାତ୍ରୀ; ଲକ୍ଷାଧିକ ଟଙ୍କା ନେଇ ଅଭିଯୁକ୍ତ ଫେରାର

ଦଶରଥପୁର : ଛାତ୍ରଛାତ୍ରୀଙ୍କୁ ବିଏଡ୍ ସାର୍ଟିଫିକେଟ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ଜନୈକ ଯୁବକ ଲକ୍ଷାଧିକ ଟଙ୍କା ଠକିନେଇଛି। ଠକାମିର ଶିକାର ହୋଇଥିବା ଜାଣିବା ପରେ ସଂପୃକ୍ତ ଛାତ୍ରଛାତ୍ରୀ ମଙ୍ଗଳପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଛଞ୍ଚଣା ଗ୍ରାମର ସୁଶାନ୍ତ କୁମାର ଜେନା (୩୫) ସ୍ଥାନୀୟ ଅଞ୍ଚଳର ରଶ୍ମିତା ମହାନ୍ତି, ବନ୍ଦନା ଘଡ଼ାଇ, ଅପରାଜିତା ବେହୁରିଆ, ପ୍ରଶାନ୍ତ ବାରିକ, ଚିନ୍ମୟୀ ଜେନା, ଅଜିତ୍ କୁମାର ମଲ୍ଳିକ, ଦୀପ୍ତି ସାମଲ, ପଦ୍ମିନୀ ସାମଲ ଓ ସ୍ୱାତୀ ରାଉତଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବିଏଡ୍ ଶିକ୍ଷାଗତ ପ୍ରମାଣପତ୍ର ଯୋଗାଇ ଦେବାକୁ କହି ଟଙ୍କା ନେଇଥିଲେ। ପ୍ରଥମ ଓ ଦ୍ୱିତୀୟ କିସ୍ତିରେ ୪୦ ହଜାର ଲେଖାଏଁ ଟଙ୍କା ନେଇଥିଲେ। ଏହାପରେ ଗତ ୨୦୧୯ ଜାନୁଆରି ୪ ତାରିଖ ଛାତ୍ରଛାତ୍ରୀମାନେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ୨୦୨୦ରେ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା ପାଇଁ ସୁଶାନ୍ତ ୯ଜଣ ଛାତ୍ରଛାତ୍ରୀଙ୍କଠାରୁ ପୁନର୍ବାର ୪୦ ହଜାର ଲେଖାଏଁ ଟଙ୍କା ନେଇଥିଲେ। ମହାମାରୀ କରୋନା କଟକଣା ଯୋଗୁଁ ତୃତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି କହିବା ସହ ବିନା ପରୀକ୍ଷାରେ ପାସ୍ କରାଇଦେବାକୁ କହି ପୁଣି ଥରେ ଟଙ୍କା ନେଇଥିଲେ। ପରୀକ୍ଷା ଦେଇ ନଥିବାରୁ ଏହି ୯ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ନଥିଲା।

ଏହା ଜାଣିବା ପରେ ସେମ‌ାନେ ସୁଶାନ୍ତଙ୍କୁ ପଚାରିବାରୁ ବ୍ୟାକ୍ ସିଷ୍ଟମରେ ପରୀକ୍ଷା କରାଇ ଦେବାକୁ କହି ସେ ପୁନର୍ବାର ସମସ୍ତ ଛାତ୍ରଛାତ୍ରୀଙ୍କଠାରୁ ୨୦ ହଜାର ଲେଖାଏଁ ନେଇଥିଲେ। ସୁଶାନ୍ତଙ୍କ କହିବା ମୁତାବକ ୯ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା। ଆବଶ୍ୟକ ପରୀକ୍ଷା ଫି’ ପୈଠ କରାଯାଇ ନଥିବା ଉତ୍ତର ମିଳିଥିଲା। ଏ ବିଷୟରେ ସେମାନେ ସୁଶାନ୍ତଙ୍କୁ ପଚାରିବାରୁ ସେ ଓଲଟା ଆଶାଳୀନ ଭାଷାରେ ଗାଳିଗୁଲଜ କରି ବିଭିନ୍ନ ଧମକ ଦେଇଥିଲେ। ପରେ ମୋବାଇଲ୍‌ ଫୋନକୁ ସୁଇଚ୍ ଅଫ୍ କରିଦେଇଥିଲେ। ସୁଶାନ୍ତଙ୍କୁ ଯୋଗାଯୋଗ କରିବାରେ ଅସଫଳ ହେବା ପରେ ଶନିବାର ରାତିରେ ମଙ୍ଗଳପୁର ଥାନାରେ ସୁଶାନ୍ତଙ୍କ ବିରୋଧରେ ଠକେଇ ଅଭିଯୋଗ କରିଛନ୍ତି। ମଙ୍ଗଳପୁର ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସୁଶାନ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର