ବର୍ଷ ଶେଷ ସୁଦ୍ଧା ସମସ୍ତ ରେଳ ଇଂଜିନରେ ଲାଗିବ ବ୍ଲାକ୍‌ବକ୍ସ

ନୂଆଦିଲ୍ଲୀ: ଗତ ବର୍ଷ ବାଲେଶ୍ବରର ବାହନଗା ଷ୍ଟେସନରେ ହୋଇଥବା ଭୟାବହ ରେଳ ଦୁର୍ଘଟଣା ପରେ ରେଳ ସୁରକ୍ଷାକୁ ମଜଭୁତ କରିବ‌ା ପାଇଁ ଭାରତୀୟ ରେଳ ଦ୍ବାରା ଏକାଧିକ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ସୁରକ୍ଷିତ ପରିଚାଳନା ପାଇଁ ରେଳ ଇଂଜିନରେ ବ୍ଲାକବକ୍ସ ଲାଗାଇବା ଯୋଜନାକୁ କାର୍ଯ୍ୟକାରୀ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପ‌ାଇଛି। ଆଧୁନିକ ବୈଷୟିକ ପଦକ୍ଷେପ ଅନ୍ତର୍ଗତ ରେଳ ଇଂଜିନକୁ ଭଏସ‌୍ ଭିଡିଓ ରେକଡିଂ ସିଷ୍ଟମ୍‌ (ସିଭିଭିଆରଏଏସ)ରେ ଯୋଡ଼ି ଦିଆଯିବ। ରେଳ ଇଂଜିନର ସମସ୍ତ ପ୍ରକାର ଗତିବିଧିର ଭିଡିଓ ରେକର୍ଡିଂ ସିଷ୍ଟମ ଦ୍ବାରା ସମ୍ଭବ ହୋଇପାରିବ। ସିଭିଭିଆରଏଏସ୍‌ ଅନ୍ତର୍ଗତ ୪ ଟି କ୍ୟାମେରା ଲାଗିବ। ଦୁଇଟି ସିସିଟିଭି କ୍ୟାମେରା ରେଳ ଇଂଜିନ ଭିତରେ ଲୋକୋପାଇଲଟ ଓ ସହାୟକ ପାଇଲଟ ଉପରେ କେନ୍ଦ୍ରିତ ରହିବ। ତୃତୀୟ କ୍ୟାମେରା ଇଂଜିନର ବାହାର ଟ୍ରାକ୍‌ ଏବଂ ଚତୁର୍ଥ କ୍ୟାମେରା ଇଂଜିନର ଉପର ଭାଗର ଯେକୌଣସି ତ୍ରୁଟିକୁ ରେକର୍ଡିଂ କରିବ। ବିମାନ ଦୁର୍ଘଟଣା ଅନୁରୂପ ରେଳ ଦୁର୍ଘଟଣାର କାରଣ ଖୋଜିବାରେ ବ୍ଲାକବକ୍ସ ବିଶେଷ ସହାୟକ ହେବ ବୋଲି ମନ୍ତ୍ରାଳୟ ଆଶା କରୁଛି।

ମନ୍ତ୍ରାଳୟର ସୂତ୍ର ଅନୁସାରେ ଟ୍ରେନ ଦୁର୍ଘଟଣାର କାରଣକୁ ଚିହ୍ନଟ କରିବା ଏବଂ ଭବିଷ୍ୟତରେ ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ୨୦୧୮-୧୯ ରେଳ ବଜେଟରେ ସିଭିଭିଆରଏଏସ୍‌ ଲଗାଯିବା ନେଇ ଘୋଷଣା କରାଯାଇଥିଲା। ଏଥିପାଇଁ ୧୦୦ କୋଟି ଆବଣ୍ଟନ ମଧ୍ୟ କରାଯାଇଥିଲା। ପାଇଲଟ ପ୍ରକଳ୍ପ ଅନ୍ତର୍ଗତ କିଛି ରେଳ ଇଂଜିନରେ ଏହି ସିଷ୍ଟମକୁ ଲଗାଯାଇଥିଲା, ହେଲେ କୋଭିଡ ମହାମାରୀ ଯୋଗୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶିଥିଳତା ଆସିଥିଲା। ମିଳିଥିବା ସୂଚନା ଅନୁସାରେ ରେଳ ମନ୍ତ୍ରାଳୟ ବାହାନଗା ରେଳ ଦୁର୍ଘଟଣା ପରେ ରେଳ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପରିପେକ୍ଷୀରେ ଏହି ସିଷ୍ଟମକୁ ୧୫,୦୦୦ ରେଳ ଇଂଜିନରେ ଖଂଜିବାର ନିଷ୍ପତ୍ତି ନେଇଛି। ଅଦ୍ୟାବଧି ୪୭୧ଟି ଇଲେକଟ୍ରିକ ଇଂଜିନରେ ଏହି ସିଷ୍ଟମ ଲାଗିଛି। କିଛି ଡିଜେଲ ଇଂଜିନରେ ମଧ୍ୟ ଏହି ସିଷ୍ଟମକୁ ଲଗାଯାଇଛି। ଆଗାମୀ କିଛି ମାସ ଭିତରେ ସମସ୍ତ ଇଂଜିନରେ ଏହି ସିଷ୍ଟମକୁ ଲାଗୁ କରିଦିଆଯିବ। ଏଥିପାଇଁ ରେଲୱେ ସୂଚନା ପ୍ରଣାଳୀ(କ୍ରିସ) ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଜଣାପଡ଼ିଛି। ଟେଣ୍ଡର ଜମା କରିବାର ଅନ୍ତିମ ତାରିଖ ଚଳିତ ମାସ ୩୧ ରହିଛି।

ସମ୍ବନ୍ଧିତ ଖବର