ବ୍ୟଞ୍ଜନ ଦ୍ବାଦଶୀ: ରାଧାକାନ୍ତ ଦେବଙ୍କୁ ଲାଗିହେଲା ୬୪ ପ୍ରକାର ଖାଦ୍ୟ

ଡେଲାଙ୍ଗ : ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ ପାଳନ ଅବସରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସାଉରିଆ ପଞ୍ଚାୟତ ଅଧୀନ ଘୋରଡିଆ ଗ୍ରାମର ଆରାଧ୍ୟ ରାଧାକାନ୍ତ ଦେବଙ୍କ ମଠରେ ଠାକୁରଙ୍କୁ ୬୪ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ଲାଗି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଅନୁଯାୟୀ ଘୋରଡିଆ ରାଧାକାନ୍ତ ଦେବଙ୍କ ମଠରେ ଆଜି ପ୍ରାତଃରୁ ନୀତିକାନ୍ତି ସମ୍ପନ୍ନ ହେବା ପରେ ଷୋଡ଼ଶ ଉପଚାରରେ ଶ୍ରୀଜିଉଙ୍କୁ ବାଳଭୋଗ ଆଦି ନୈବେଦ୍ୟ ଉପଚାର କରାଯାଇଥିଲା। ମଧ୍ୟାହ୍ନ ଧୂପରେ ରାଧାକାନ୍ତ ଦେବଙ୍କୁ ପୂଜାର୍ଚ୍ଚନା କରାଯାଇ ସାଦା ଓ ମିଠାଅନ୍ନ, ଖେଚୁଡ଼ି, ଡାଲି, ତରକାରୀ, ଭଜା, ସନ୍ତୁଳା, ଖଟା, ଶାଗ, ଶୁଖିଲା ଭୋଗ, ଫଳମୂଳ, କ୍ଷୀରି ଆଦି ୬୪ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି କରାଯାଇଥିଲା।

ଘଣ୍ଟଘଣ୍ଟା, କାହାଳୀ, ସଂକୀର୍ତ୍ତନ ସାଙ୍ଗକୁ ଶ୍ରଦ୍ଧାଳୁମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ମଠ ପରିସର ପ୍ରକମ୍ପିତ ହୋଇଉଠିଥିଲା। ମୁଖ୍ୟ ପୁରୋଧା ତ୍ରିବିକ୍ରମ ମିଶ୍ର ଓ ଗୀତା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଠାକୁରଙ୍କ ପୂଜା ନୀତିକାନ୍ତି ଓ ବ୍ୟଞ୍ଜନ ଆଦି ପ୍ରସ୍ତୁତି କାର୍ଯ୍ୟ ତୁଲାଇଥିଲେ। ରାଧାକାନ୍ତ ଦେବଙ୍କ କ୍ଷମତାପ୍ରାପ୍ତ ଅଧିକାରୀ ଦୁଃଶାସନ ମଙ୍ଗରାଜ, ସୋମନାଥ ମଙ୍ଗରାଜ, ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଠାକୁରଙ୍କ ବ୍ୟଞ୍ଜନ ଦ୍ବାଦଶୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ସାଉରିଆ ପଞ୍ଚାୟତ ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ୍, ଘନିପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର, ଯୁବ ସମାଜସେବୀ ନୀଲେନ୍ଦ୍ର ଜେନାଙ୍କ ସମେତ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସନ୍ତୋଷ କୁମାର ପଟ୍ଟନାୟକ, ଦିଲୀପ କୁମାର ଧାଉଡିଆ, ଚିତ୍ତରଞ୍ଜନ ଜେନା ଓ ଚନ୍ଦ୍ରଶେଖର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର