ସୂଚନାଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ: ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଅଘଟଣ

ଭଦ୍ରକ/ଅସୁରାଳି: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଗଢ଼ିଆଳି ପଞ୍ଚାୟତର ଉଚ୍ଚପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ସ୍କୁଲ୍‌ କାନ୍ଥରେ ଡେରା ହୋଇଥିବା କଂକ୍ରିଟ୍‌ ସୂଚନାଫଳକ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଉପରେ ଭାଙ୍ଗିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଉଛନ୍ତି; ଉଚ୍ଚପଦା ଗ୍ରାମର ସୌଭାଗ୍ୟ ନାୟକଙ୍କ ପୁଅ ଅସିତ (୬)। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବି କରି ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ଅବରୋଧ କରିଥିବା ବେଳେ ଆର୍ଥିକ ସହାୟତା ପରେ ସ୍ଥିତି ସ୍ବଭାବିକ ହୋଇଛି।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅସିତ ଶିକ୍ଷକଙ୍କ ଅଗୋଚରରେ ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ବିଦ୍ୟାଳୟ କାନ୍ଥରେ ଡେରା ହୋଇଥିବା ଏକ ଫଟା କଂକ୍ରିଟ୍‌ ସୂଚନାଫଳକ ତାଙ୍କ ଉପରେ ଭାଙ୍ଗିପଡ଼ିଥିଲା। ଫଳରେ ଅସିତ ତା
ତଳେ ଚାପି ହୋଇ ଯାଇଥିଲେ। ଏହା ଦେଖି ନିକଟ ସ୍କୁଲ୍‌ରେ ପାଚିକା ଭାବେ କାମ କରୁଥିବା ଜୟନ୍ତୀ ନାୟକ ଦୌଡ଼ିଆସି ନାତିକୁ ଉଦ୍ଧାର କରିଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିକଟରେ ଥିବା ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ମେଡିକାଲ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ଉର୍ମିଳା ନାୟକ ଓ ସହକାରୀ ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥିବା ବେଳେ ପୁଲିସ ଉଭୟଙ୍କୁ ଉଦ୍ଧାର କରି ଟାଉନ୍ ଥାନା ନେଇଥିଲା। ଅନ୍ୟପଟେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଅବହେଳା ଓ ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରି ଶତାଧିକ ଲୋକ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ଉଚ୍ଚପଦା ଛକରେ ଶବ ଧରି ରାସ୍ତା ଅବରୋଧ କରିଥିଲେ। ତେବେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରତିଶ୍ରୁତି ପରେ ରାତି ୮ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର