ସରକାରୀ ଜମି ଜବରଦଖଲ ଉଦ୍ୟମ ମାମଲା: ପ୍ରଶାସନର ମାପଚୁପ ଆରମ୍ଭ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ଚିଠି‌ ଲେଖିଲେ ଡିଏସଆର୍

ଜୟପୁର: ଅଲ୍ ଇଣ୍ଡିଆ ରେଡିଓ କେନ୍ଦ୍ର ‌କଲୋନି ନିକଟରେ ଥିବା ୩ଏକର ଜମିରେ ଜିଲ୍ଲା ଜମି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ପରିଚୟ ଗୃହ ନିର୍ମାଣ କରାଯିବ। ମଙ୍ଗଳବାର ଜବରଦଖଲ ସଂପର୍କରେ ସୂଚନା ପାଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଟାଉନ ରାଜସ୍ବ ନିରୀକ୍ଷକ ସୁରଜ ପଣ୍ଡାଙ୍କୁ ଧରି ଘଟଣାସ୍ଥଳକୁ ଯାଇ ତଦାରଖ କରି ଫେରିଥିଲେ। ଆଜି ପୁଣି ପୌରପାଳିକା ପକ୍ଷରୁ ଜମିର ମାପଚୁପ ହୋଇଛି। ସେଭଳି ଜିଲ୍ଲା ଜମି ଉପନିବନ୍ଧକ (ଡିଏସଆର) ନିଳାମ୍ବର ପୂଜାରୀ ବି ଆରଆଇ ଶ୍ରୀ ପଣ୍ଡାଙ୍କୁ ନେଇ ଘଟଣା ସ୍ଥଳର ତଦାରଖ କରି ଜବରଦଖଲ ଉଦ୍ୟମ କରୁଥିବା ଲୋକଙ୍କୁ ତାଗିଦ୍ କରି ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନେ ଶୁଣୁ ନଥିବାରୁ ସେ ଜୟପୁର ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଚିଠି କରିଥିବା କହିଛନ୍ତି।

ସୂଚନ‌ା ଅନୁଯାୟୀ, ସେହି ସ୍ଥାନରେ ଡିଏସଆର କାର୍ଯ୍ୟାଳୟ ପାଇଁ ତହସିଲ ପକ୍ଷରୁ ଏକ ଏକର ଜମି ଦିଆଯାଇଛି। କାର୍ଯ୍ୟାଳୟ ନିର୍ମାଣ ପାଇଁ ୨କୋଟିର ବ୍ୟୟବରାଦ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିଲା। ଏହା ସହ ଏଠାରେ ନିଅ ପକାଯିବା ସହ ନଳକୁଅ ବି ଖୋଲାଯାଇଥିଲା। ଅନୁଦାନ ନ ଆସିବା ଫଳ‌ରେ ଏହି ସ୍ଥାନ‌ ସେଭଳି ପଡ଼ି ରହିଥିଲା। ସେଭଳି ସେହି ସ୍ଥାନ ନିକଟରେ ପୌରପାଳିକାର ପରିଚୟ ଗୃହର ବି ନିର୍ମାଣ କରାଯିବା ଯୋଜନା ରହିଛି। ତେବେ‌ ଏହାର ବି କାମ ଆରମ୍ଭ ହୋଇ ନଥିବା ବେଳେ କିଛି ଜମି ମାପିଆ ଓ ଅସାମାଜିକ ମାନେ ଏହାର ସୁଯୋଗ ନେଇ କିଛି ଲୋକଙ୍କୁ ଜମି ଜବରଦଖଲ କରିବାକୁ ମତାଇଥିବା ପ୍ରଶାସନ ଯାଂଚ ବେଳେ ଜାଣିବାକୁ ପାଇଛି। ତେବେ ପ୍ରଶାସନ ପକ୍ଷରୁ ଏହି ଜମି ସହ ହାନାଗୁଡାର ୬ଏକର ସରକାରୀ ଜମିରେ ହୋଇଥିବା ଜବରଦଖଲ ଉଚ୍ଛେଦ କରିବା ଯୋଜନା ରହିଥିବା କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ।

 

ସମ୍ବନ୍ଧିତ ଖବର