ନାଲ୍‌କୋରେ କୋଇଲା ସଂକଟ ଉତ୍କଟ: ପ୍ଲାଣ୍ଟ ଚାଲିବ ଆଉ ପାଞ୍ଚ ଦିନ!

ଗଚ୍ଛିତ ଅଛି ମାତ୍ର ଦେଢ ଲକ୍ଷ ଟନ୍‌ କୋଇଲା, ସମୀକ୍ଷା ପାଇଁ ଆଜି ଆସୁଛନ୍ତି ନିର୍ଦ୍ଦେଶକ

ନାଲକୋନଗର: ନାଲ୍‌କୋରେ କୋଇଲା ସଂକଟ ଉତ୍କଟ ରୂପ ନେଇଛି। ନିୟମିତ କୋଇଲା ଯୋଗାଣ ନହେବାରୁ ବର୍ତ୍ତମାନ ମାତ୍ର ଦେଢ଼ଲକ୍ଷ ଟନ୍‌ କୋଇଲା ଗଚ୍ଛିତ ଅଛି। ଏଥିରେ ୪୦ ହଜାର ଟନ କାର୍ପେଟ୍ କୋଲ୍‌ ଅଛି, ଯାହାକି ସମ୍ପୂର୍ଣ୍ଣ ଅନୁପଯୋଗୀ କୋଇଲା। ପ୍ରତିଦିନ ନାଲକୋ ୧୮ ହଜାରରୁ ୧୯ହଜାର ଟନ୍ କୋଇଲା ଆବଶ୍ୟକ କରୁଛି। ଏବେ ଡ୍ରାଇଭର ଆନ୍ଦୋଳନ ଯୋଗୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ବେଳେ ଆଉ ୫ ଦିନ ଭିତରେ ଗଚ୍ଛିତ କୋଇଲା ଶେଷ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ସ୍ଥିତିର ସମୀକ୍ଷା ପାଇଁ ଆସନ୍ତାକାଲି ନାଲକୋ ନିର୍ଦ୍ଦେଶକ ଉତ୍ପାଦନ (ଏସ୍‌ ଆଣ୍ଡ ପି) ବିଜୟ ଦାସ ନାଲକୋକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। କୋଇଲା ଯୋଗାଣ‌ ନେଇ ନାଲ୍‌କୋ ଓ ଏମ୍‌ସିଏଲ ମଧ୍ୟରେ ଚୁକ୍ତିନାମା ଅନୁଯାୟୀ ୨୦୧୮ ଏପ୍ରିଲରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏମ୍‌ସିଏଲ ବର୍ଷକୁ ୪୭ ଲକ୍ଷ ୧୬ ହଜାର ମେଟ୍ରିକ ଟନ୍‌ ଲିଙ୍କେଜ୍‌ କୋଇଲା ଓ ୯ ଲକ୍ଷ ମେଟ୍ରିକ ଟନ୍‌ ବ୍ରିଜ ଲିଙ୍କେଜ କୋଇଲା ନାଲ୍‌କୋକୁ ଯୋଗାଣ କରିବା କଥା। କିନ୍ତୁ ୨୦୨୧/୨୨ ଆର୍ଥିକ ବର୍ଷରେ ଏମସିଏଲ୍ ୩୯ ଲକ୍ଷ ଲିଙ୍କେଜ୍‌ କୋଇଲା ଓ ୩ ଲକ୍ଷ  ମେଟ୍ରିକ୍ ଟନ୍ ବ୍ରିଜ ଲିଙ୍କେଜ କୋଇଲା ଯୋଗାଣ କରିଥିଲା। ଏହା ଚୁକ୍ତିନାମା ଠାରୁ ୧୪ ଲକ୍ଷ ମେଟ୍ରିକ୍ ଟନ୍ କମ୍। ତେଣୁ ନାଲ୍‌କୋକୁ ରାଜ୍ୟ ଗ୍ରିଡ୍‌ରୁ ଜୁଲାଇ ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦୈନିକ ୨୦୦ ମେଗାୱାଟ ବିଦ୍ୟୁତ  କିଣିବାକୁ ପଡ଼ିଥିଲା। ପ୍ରତିବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ୫ ଲକ୍ଷ ଟନରୁ ଅଧିକ କୋଇଲା ଗଚ୍ଛିତ ରଖିବାକୁ ଥିବା ବେଳେ ଯୋଗାଣ ଅଭାବରୁ ନାଲକୋ ମାତ୍ର  ୩ ଲକ୍ଷ ଟନ କୋଇଲା ଗଚ୍ଛିତ ରଖିପାରିଥିଲା। କିନ୍ତୁ ପରେ ନିୟମିତ କୋଇଲା ଯୋଗାଣ ନହେବାରୁ ବର୍ତ୍ତମାନ ଦେଢ଼ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି। ଏଥିସହିତ ବର୍ଷାଦିନ ପୂର୍ବରୁ ଅଧିକ କୋଇଲା ଗଚ୍ଛିତ ରଖିବା ଦରକାର ହେଉଛି। କିନ୍ତୁ ଏମସିଏଲ୍ ହାରାହାରି ଦୈନିକ ୧୩ ହଜାରରୁ ୧୪ ହଜାର ଟନ୍ କୋଇଲା ନାଲ୍‌କୋକୁ ଯୋଗାଣ କରୁଛି। ଫଳରେ ନାଲକୋରେ ଗଚ୍ଛିତ କୋଇଲା ପରିମାଣ ହ୍ରାସ ପାଉଛି।

ଅନ୍ୟପକ୍ଷରେ, ଦୈନିକ ନାଲକୋ ସିପିପିର ୧୦ ୟୁନିଟ୍‌ ମଧ୍ୟରୁ ୮ଟି ୟୁନିଟରୁ ୯୧୦ରୁ ୯୧୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି। ସେଥିରୁ ସ୍ମେଲଟର୍ ପାଇଁ ୭୯୨ ମେଗାୱାଟ, ଦାମନଯୋଡି ପାଇଁ ୧୬ ମେଗାୱାଟ ବିଦ୍ୟୁତ୍‌ ଖର୍ଚ୍ଚ କରୁଥିବାବେଳେ ୧୦୦ ମେଗାୱାଟ ବିଦ୍ୟୁତ୍‌ ନିଜସ୍ବ ସହାୟକ ଖର୍ଚ୍ଚ କରୁଛି। ନାଲକୋକୁ ନିରନ୍ତର କୋଇଲା ଯୋଗାଣ ନହେଲେ ଏହାର ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ରାଜ୍ୟ ଗ୍ରିଡ୍ ମଧ୍ୟ ନାଲକୋକୁ ଆଉ ବିଦ୍ୟୁତ୍‌ ପ୍ରଦାନ ପାଇଁ ନିଜର ଅକ୍ଷମତା ପ୍ରକାଶ କରିସାରିଛି। ଏଭଳି ଅବସ୍ଥା ଲାଗି ରହିଲେ ନାଲକୋର ଅବସ୍ଥା ଆଗାମୀ ଦିନରେ ଅଧିକ ସଂକଟାପନ୍ନ ହେବ। ଦିନକୁ ଇ ଅକ୍ସନ୍ କୋଇଲା ଟ୍ରକ୍‌ରେ ୩ ହଜାରରୁ ୪ ହଜାର ଟନ୍ ଆସୁଥିବାବେଳେ ଡ୍ରାଇଭର ମହାସଂଘ ଧର୍ମଘଟ ଯୋଗୁଁ ତାହା ମଧ୍ୟ ଦୁଇଦିନ ହେଲା ବନ୍ଦ ରହିଛି। ଫଳରେ କୋଇଲା ସଂକଟ ନାଲକୋ ପାଇଁ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି।  ମାତ୍ର ୫ଦିନରୁ ୬ ଦିନ ପାଇଁ ମାତ୍ର କୋଇଲା ଗଚ୍ଛିତ ଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର