ବିବାଦ ଓ ରାଜନୀତି ଜାଲରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବାରଣ ସତ୍ତ୍ବେ ଅଟକୁନି ଖନନ, ଚାଲିଛି ନିର୍ମାଣ

ସନ୍ଦେହ ବଢ଼ାଇଲା ନିର୍ମାଣ ଶୈଳୀ, ଚିଠି ଲେଖିଲେଣି ପ୍ରତ୍ନତତ୍ତ୍ବ ବିଭାଗ, ଏତଲା ଦେବା ପାଇଁ କୁନ୍ଥ କୁନ୍ଥ କାହିଁକି?

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗଟି ଧୀରେ ଧୀରେ ଜଟିଳ ରୂପ ନେଲାଣି। ଗୋଟିଏ କି ଦୁଇଟି ନୁହେଁ; ଇତିମଧ୍ୟରେ ପ୍ରତ୍ନତତ୍ତ୍ବ ବିଭାଗ ଏକାଧିକ ଚିଠି ଲେଖି ନିର୍ମାଣ ବନ୍ଦ କରିବାକୁ କହିଛନ୍ତି, ଡିପିଆର୍ ମାଗିଛନ୍ତି। ହେଲେ କର୍ତ୍ତୃପକ୍ଷ ଏହାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗକୁ ନେଇ ଭକ୍ତ, ବିଭିନ୍ନ ସଂଗଠନ, ଆଇନଜୀବୀ, ରାଜନୈତିକ ଦଳ ମାଳ ମାଳ ପ୍ରଶ୍ନ ଉଠାଇବା ସହିତ ପ୍ରକଳ୍ପକୁ ସନ୍ଦେହ କରୁଥିବା ବେଳେ କର୍ତ୍ତୃପକ୍ଷ ଅତ୍ୟନ୍ତ ବେଫିକର ଭାବେ ନିର୍ମାଣ ଜାରି ରଖିଛନ୍ତି। ପଶ୍ଚିମଦ୍ବାର ହେଉ କି ଦକ୍ଷିଣଦ୍ବାର, ଯେଉଁ ଜାଗାରେ ଖନନ ଚାଲିଥିଲା, ସେଠି ଏବେ ଏକାଧିକ ଘର ଠିଆହେଲାଣି। ଜୋରସୋରରେ କାମ ଚାଲିଛି। ନିକଟରେ ଡିଜିଙ୍କୁ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ୭୭ ବର୍ଷୀୟ ଭକ୍ତ ପ୍ରଫୁଲ୍ଲ କୁମାର ସାହୁ ଆଜି ଖୋଲା ଧମକ ଦେଇଛନ୍ତି ଯେ ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇ ସରକାର ଐତିହ୍ୟ ସୁରକ୍ଷାର ଡିଣ୍ଡିମ ପିଟିବା ହାସ୍ୟାସ୍ପଦ ମନେ ହେଉଛି। ଯଦି ଏହି ନିର୍ମାଣ ତୁରନ୍ତ ବନ୍ଦ ନ ହୁଏ, ଶ୍ରୀମନ୍ଦିର ନିକଟରେ ସେ ଅନଶନ କରିବେ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ସହିତ ଏଏସ୍ଆଇ ଏବଂ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହ ବଳୟ ଭିତରେ। ଏଏସ୍‌ଆଇ କର୍ତ୍ତୃପକ୍ଷ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବଳ ଚିଠି ଲେଖି ଦାୟିତ୍ବ ଛାଡିଛନ୍ତି। ଯଦି ନିୟମ ଓ ଆଇନ ବାହାରେ କିଛି ବି ନିର୍ମାଣ ହେଉଛି ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ଜଳ ଜଳ; ତେବେ ଥାନାରେ ଏଫ୍‌ଆଇଆର୍ ଦେବା ଲାଗି କର୍ତ୍ତୃପକ୍ଷ କୁନ୍ଥକୁନ୍ଥ କାହିଁକି ହେଉଛନ୍ତି? ଏମିତି କି ବାଧ୍ୟବାଧକତା ରହିଛି ଯେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏତେ ବଡ଼ ପ୍ରସଙ୍ଗ ଉପରେ ନିରବ ରହିଛନ୍ତି। ଓଡ଼ିଶାର ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ ନିରବ କାହିଁକି? ରାଜ୍ୟ ବିଜେପିର ଆଚରଣ ଓ କେନ୍ଦ୍ରୀୟ ନେତାଙ୍କ ଆଚରଣ ଭିତରେ ଯୋଜନ ଯୋଜନ ବ୍ୟବଧାନ କାହିଁକି?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଏବେ ବିବାଦ ଭିତରେ ଛନ୍ଦି ହୋଇଗଲାଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସହିତ ଏହି ପ୍ରସଙ୍ଗଟି ଜଡିତ ହୋଇଥିବାରୁ ଏବଂ ନିର୍ମାଣକୁ ନେଇ ସାଧାରଣରେ ସନ୍ଦେହ ମୋଚନରେ କର୍ତ୍ତୃପକ୍ଷ ଏଯାଏ ବିଫଳ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଠଗଡାକୁ ଚାଲିଆସିଲେଣି। ଯେଉଁ ଆସ୍ଥା ଓ ବିଶ୍ବାସ ରଖି ରାଜ୍ୟବାସୀ ଏହି ପ୍ରକଳ୍ପ ଆରମ୍ଭ ଦିନରେ ସରକାରଙ୍କୁ ଆଖିବୁଜା ସମର୍ଥନ କରିଥିଲେ, ଗତ ଦିନରେ କର୍ତ୍ତୃପକ୍ଷଙ୍କ କାରନାମା କାରଣରୁ ପ୍ରସଙ୍ଗକୁ ନେଇ କୋର୍ଟରେ ମାମଲା ହେଲାଣି, ଆଇନଜୀବୀ ରାସ୍ତାକୁ ଓହ୍ଲାଇଛନ୍ତି। ଭକ୍ତ ଖୋଲା ବିରୋଧ କଲେଣି, ହାଇକୋର୍ଟରେ ମାମଲା ହୋଇଛି ଏବଂ ପୁରୀରୁ ବିଧାନସଭା ଏବଂ ଲୋକସଭା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ପହଞ୍ଚିସାରିଲାଣି। ଦିନକୁ ଦିନ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଗତ ଫେବ୍ରୁଆରି ୫ ତାରିଖରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଆରମ୍ଭ ହୋଇଥିଲା। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୁରୀ କାର୍ଯ୍ୟାଳୟ ତରଫରୁ ଓବିସିସି ଡିଭିଜନ୍‌-୧ର ବରିଷ୍ଠ ପ୍ରକଳ୍ପ ମ୍ୟାନେଜରଙ୍କୁ ଚିଠି(ନଂ-୧/ପୁରୀ/ଇଏନ୍‌ସିଆର୍‌/୨୧-୨୨/ସି-୨୪/୨୪୪)ଏକ ଚିଠି କରାଗଲା। କାମକୁ ବେଆଇନ୍‌ ଦର୍ଶାଯିବା ସହ ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଏହି ନିର୍ମାଣ ଉପରେ ଯଦି ଏନ୍‌ଏମ୍‌ଏ କୌଣସି ଅନୁମତିପତ୍ର ପ୍ରଦାନ କରିଛନ୍ତି, ତାହା ପ୍ରଦାନ କରିବାକୁ ଏଥିରେ କୁହାଯାଇଥିଲା। କିନ୍ତୁ ଓବିସିସି ଏହି ଚିଠିରେ କୌଣସି ଉତ୍ତର ଦେଲା ନାହିଁ। ଫେବ୍ରୁଆରି ୧୧ ତାରିଖ। ପୁନର୍ବାର ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟରୁ ଏକ ଜରୁରୀ ଚିଠି(ନଂ-୩/୧୩୩/୧୮-ଏମ୍‌-୫୨୨୯) ଜାରି କଲା। ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ଏହି ଚିଠିରେ ଫେବ୍ରୁଆରି ୫ ତାରିଖର ଚିଠିକୁ ସଂଲଗ୍ନ କରି ଦର୍ଶାଇଥିଲେ ଯେ ଯେହେତୁ ଶ୍ରୀମନ୍ଦିର କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜି, ଏହାର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ କୌଣସି କାର୍ଯ୍ୟ ହୋଇ ପାରିବନାହିଁ। ଆମ୍‌ସାର(ଏ ଓ ଭି) ଆଇନ-୨୦୧୦ର ସେକ୍ସନ୍‌-୨୦(ଏ)ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ବିନା କେହି ବି ଏହି ନିଷିଦ୍ଧାଞ୍ଚଳରେ କାମ କରିପାରିବେ ନାହିଁ ବୋଲି ଆମ୍‌ସାର ଆଇନ-୨୦୧୦ର ସେକ୍ସନ୍‌-୨୦(ସି)ରେ ବି ଉଲ୍ଲେଖ ରହିଛି। ଏଣୁ ପୁଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣର ଅନୁମତିପତ୍ର ସହିତ କର୍ତୃପକ୍ଷ ଡିପିଆର୍ ଦିଅନ୍ତୁ। ଏବଂ ନିର୍ମାଣ ଓ ଖନନ ବେଆଇନ୍‌ ହୋଇଥିବାରୁ ତୁରନ୍ତ କାମ ବନ୍ଦ କରିବାକୁ ଏଥିରେ କୁହାଯାଇଥିଲା। ଏହି ଚିଠିର ନକଲ ଆଇନ ବିଭାଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ଏସ୍‌ପି, ଏଏସ୍‌ଆଇ ଡିଜି ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଚିଠିର ମଧ୍ୟ କୌଣସି ଉତ୍ତର ଦିଆଗଲାନାହିଁ। ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାବତୀ ଗତ ଫେବ୍ରୁଆରି ୨୧ ତାରିଖରେ ଶ୍ରୀମନ୍ଦିର ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କଲେ। ଶ୍ରୀମନ୍ଦିର ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବାରୁ ପରିକ୍ରମା ପ୍ରକଳ୍ପର ରୂପରେଖ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ। ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ପ୍ରଶାସନ ଓ ଓବିସିସିକୁ ଜଣାଇଲେ। ଗତ ମାର୍ଚ୍ଚ ୫ ତାରିଖରେ ଏଏସ୍‌ଆଇ ଦିଲ୍ଲୀ କାର୍ଯ୍ୟାଳୟରୁ ନିର୍ମାଣ ବିଭାଗ ସଚିବଙ୍କୁ ଆଉ ଏକ ଚିଠି(ନଂ-ଟି-୧୯୦୩୮/୧୬/୨୦୨୧-ଏମ୍‌) ଜାରି କରାଗଲା। ଏଏସ୍‌ଆଇ ନିର୍ଦ୍ଦେଶକ(କୀର୍ତ୍ତିରାଜି) ଏନ୍‌. କେ. ପାଠକ ଏହି ଚିଠି କରିଥିଲେ। ଗତ ଫେବ୍ରୁଆରି ୨୧ ତାରିଖରେ ଏଏସ୍‌ଆଇ ଡିଜି ଓ ତାଙ୍କ ଟିମ୍‌ ଗସ୍ତ କରି ସରକାରଙ୍କ ସହ ଯେଉଁ ଆଲୋଚନା କରିଥିଲେ, ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାର ପରିବର୍ତ୍ତିତ ରୂପରେଖ ପ୍ରଦାନ କରିବାକୁ ଏଥିରେ କୁହାଯାଇଥିଲା।

ବିସ୍ମୟର କଥା ହେଲା, ଏ ଚିଠିର ବି କୌଣସି ଉତ୍ତର ଦିଆଗଲା ନାହିଁ। ପୁନର୍ବାର ମାର୍ଚ୍ଚ ୮ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟରୁ ଆଉ ଏକ ଚିଠି(ନଂ-୩/୧୩୯/୨୧-ଏମ୍‌-୫୮୦୫) ନିର୍ମାଣ ବିଭାଗ ସଚିବଙ୍କୁ ପ୍ରଦାନ କରାଗଲା। ଏଥିରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ପୂର୍ବ କଥାକୁ ଦୋହରାଇ ଫେବ୍ରୁଆରି ୨୧ ତାରିଖ ଆଲୋଚନା ବୈଠକ ପରେ ପରିବର୍ତ୍ତିତ ପ୍ରକଳ୍ପର ଡିପିଆର୍‌ ପଠାଇବା ସଂପର୍କରେ ସ୍ମରଣ କରାଇଲେ। ଏତେ ପରେ ବି ପରିବର୍ତ୍ତିତ ଡିପିଆର୍‌ ପଠାଯାଇଛି କି ନାହିଁ, ପ୍ରଶାସନ ସ୍ପଷ୍ଟ ଏଯାଏ କରିନି। ବରଂ ନିର୍ମାଣ ଓ ଖନନ ଜାରି ରହିଛି।

ଚିଠି ଲେଖିଲେଣି ପ୍ରତ୍ନତତ୍ତ୍ବ ବିଭାଗ, ଏତଲା ଦେବା ପାଇଁ କୁନ୍ଥ କୁନ୍ଥ କାହିଁକି?
କେନ୍ଦ୍ରୀୟ ବିଜେପି ନେତା ଓ କେନ୍ଦ୍ରୀୟ ସଂସ୍ଥାର ଭୂମିକା ସନ୍ଦେହରେ

ପୁରୀ: ସନ୍ଦେହ ବଢ଼ିବାର ଅନ୍ୟତମ କାରଣ ହେଲା, ନିର୍ମାଣ ଶୈଳୀ। ଅର୍ଥାତ୍ ଏହି ନିର୍ମାଣ ଏମିତି ଚାଲିଛି ଯେକେହି ସନ୍ଦେହ କରିବ। କାରଣ ଏଠାରେ କେତେ ବଡ଼ ବିଶାଳ ବା ଉଚ୍ଚର ନିର୍ମାଣ ହେବ ଯେ ୧୬ଏମ୍ ଏମ୍ ଓ ୨୦ ଏମଏମ ଲୁହାରଡ୍ ବ୍ୟବହାର ହେଉଛି? କେତେ ଘର ଏମିତି ନିର୍ମାଣ ହେବ ଯେଉଁଥିପାଇଁ ମାଳ ମାଳ ଖୁଣ୍ଟି ଉଠିଛି?
ଶ୍ରୀମନ୍ଦିର ନକ୍ସା ଦେଖିଲେ, ପ୍ରତି ପ୍ରକଳ୍ପର ପିଲାର ପାଇଁ ଗର୍ତ୍ତ ମାତ୍ର ଦେଢ଼ ମିଟର ହେବ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ସବୁ ନିର୍ମାଣ ଚାଲିଛି, ତାର ପିଲାର ପାଇଁ ପ୍ରାୟ ୨୦ ଫୁଟ ତଳରୁ ଭିତ୍ତିଭୂମି ପଡ଼ିଛି। କେଉଁ ପ୍ରକଳ୍ପର ପିଲାର ସଂଖ୍ୟା ୮ ତ’ କାହାର ୧୦। ଗୋଟିଏ ଗୋଟିଏ ପିଲାରରେ ୧୮ରୁ ୨୦ଟି ଲୁହା ରଡ୍‌ ଲଗାଯାଉଛି। କେଉଁଠି ୧୬ ଏମଏମ ତ’ କେଉଁଠି ୨୦ ଏମଏମ ରଡ୍‌ ଲଗାଯାଉଛି। ଯଦି କେବଳ ଶୌଚାଳୟ, ସେଲ୍‌ ପାଭିଲିୟନ୍‌ କାମ ହେଉଛି, ସେଠି ଏତେ ମୋଟାର ଏତେ ସଂଖ୍ୟକ ରଡ୍‌ କାହିଁକି ଲଗାଯାଉଛି ବୋଲି ପ୍ରଶ୍ନ ଉଠିଲାଣି।

ପୁରୀ ଓକିଲ ସଂଘ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ସରକାର, ଜିଲ୍ଲା ପ୍ରଶାସନ, ଠିକା ସଂସ୍ଥା କେବଳ ଦିନରେ ଦିଅଁ ଦେଖାଉଛନ୍ତି। ଏଠି ଯେଉଁ ମୂଳଦୁଆ ପକାଯାଉଛି, ଯେଉଁଭଳି ପିଲାର ତିଆରି ହେଉଛି, ତାହା ୫ମହଲା ଅବା ତଦୁର୍ଦ୍ଧ୍ବ ଉଚ୍ଚ ଘରର ମୁଳଦୁଆଠାରୁ କମ୍‌ ନୁହେଁ। ପିଲାରରେ ବ୍ୟବହାର ହେଉଥିବା ରଡ୍‌ ସଂପର୍କରେ ବରିଷ୍ଠ ଯନ୍ତ୍ରୀ ଇଂ. ଅକ୍ଷୟ ମହାନ୍ତିଙ୍କ ମତରେ, ଯଦି ୧୬ ଏମଏମ ରଡ୍‌ ବ୍ୟବହାର ହେଉଛି ଏବଂ ୧୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ଗୋଟିଏ ମହଲା ଘର ତିଆରି ହେଉଛି, ତେବେ ଗୋଟିଏ ପିଲାରରେ ୧୬ ଏମଏମର ୬ଟି ରଡ୍‌ ଦେଇ ହେବ। କିନ୍ତୁ ଯଦି ପିଲାରରେ ୧୬ ଅବା ଏହାଠାରୁ ଅଧିକ ଏମଏମ୍‌ର ୧୮ରୁ ଅଧିକ ରଡ୍‌ ବ୍ୟବହାର ହେଉଛି, ଏହା ୪/୫ ମହଲା କୋଠାର କ୍ଷମତାକୁ ଧାରଣ କରିବାର ସମର୍ଥ ରଖିବ ବୋଲି ଇଂ. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର