ଡ୍ରାଇଭରଙ୍କ କବ୍‌ଜାରେ ରାଜଧାନୀ ଘଟଣା: ଗୁଇନ୍ଦା ଚେତାଇଥିଲା, ପୁଲିସ ଅଣଦେଖା କଲା କାହିଁକି?

ଭୁବନେଶ୍ବର: ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘ ବଡ଼ ଆନ୍ଦୋଳନ କରିବେ। ୪୦ ହଜାରରୁ ଅଧିକ ଆନ୍ଦୋଳନକାରୀ ସମାବେଶରେ ଯୋଗ ଦେବେ। ଏମିତିକି ଗତ ଅକ୍ଟୋବରରେ ସେମାନଙ୍କ ଦାବି ପୂରଣ ହୋଇ ନ ଥିବାରୁ ଏଥର ଆକ୍ରମଣାତ୍ମକ ପନ୍ଥା ଗ୍ରହଣ କରିପାରନ୍ତି। ହିଂସାକାଣ୍ଡ ଘଟାଇବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରନ୍ତି। ଏଥିପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିବାକୁ ଚିଠି ଲେଖିଥିଲା ଗୁଇନ୍ଦା। ଜିଲ୍ଲା ଏସପି, ଭୁବନେଶ୍ବର ଓ କଟକ ଡିସିପି, ରେଳବାଇ ପୁଲିସ, ସ୍ପେଶାଲ ବ୍ରାଞ୍ଚର ଜୋନାଲ୍ ଅତିରିକ୍ତ ଏସପି, ଡିଏସପି ମାନଙ୍କୁ ଏଭଳି ଚିଠି ଲେଖା ଯାଇଥିଲା। ସେହିପରି ଗୃହ ବିଭାଗ ଅତିରିକ୍ତ ସଚିବ, କମିସନରେଟ ପୁଲିସ, ଆଇନଶୃଙ୍ଖଳା ଏଡିଜି, ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କୁ ମଧ୍ୟ ଅବଗତ କରାଯାଇଥିଲା। ୧୭ ତାରିଖ ରାତିରୁ ଟ୍ରେନ୍, ବସ୍ ଓ ବିଭିନ୍ନ ଗାଡ଼ି ଯୋଗେ ଆସିବେ ଏ କଥା ମଧ୍ୟ ଲେଖା ଯାଇଥିଲା। ଗତ ୧୬ ତାରିଖରୁ ଏହି ଚିଠି କରା ଯାଇଥିଲା। ଏତେ ସୂଚନା ସତ୍ତ୍ବେ କମିସନରେଟ ପୁଲିସ ନା ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିପାରିଥିଲା ନା ଲୋକଙ୍କ ଯାତାୟତ ରାସ୍ତାକୁ ଖାଲି କରି ପାରିଥିଲା। ଆମ୍ବୁଲାନ୍ସ, ପୁଲିସ ଭଳି ଜରୁରିକାଳୀନ ସେବା ଭିଡ଼ ଭିତରେ ବନ୍ଦୀ ହୋଇ ଯାଇଥିବା ବେଳେ ସାଧାରଣ ଲୋକ, ସରକାରୀ କର୍ମଚାରୀ, ଅଫିସର, ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

କାହିଁକି ଏଭଳି ପରିସ୍ଥିତି ଉପୁଜିଥିଲା? ଗୋଟିଏ ପଟେ ୪୦ ହଜାର ଆନ୍ଦୋଳନକାରୀ ଆସିବେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିବା ବେଳେ ଦେଢ଼ ଲକ୍ଷ କେମିତି ହେଲେ? ୧୭ ତାରିଖ ରାତିରୁ ରାଜଧାନୀକୁ ଆନ୍ଦୋଳନକାରୀ ଆସିବେ ବୋଲି ଗୁଇନ୍ଦା ରିପୋର୍ଟ ଥିଲେ ମଧ୍ୟ କାହିଁକି ପ୍ରବେଶ ପଥକୁ ଜଗି ନ ଥିଲା ପୁଲିସ? ଗୋଟିଏ ଦିନ ପୂର୍ବରୁ କାହିଁକି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇ ନ ଥିଲା? ଏତେ ସଂଖ୍ୟାରେ ଆନ୍ଦୋଳନକାରୀ ଆସିବେ ବୋଲି ଗୁଇନ୍ଦା ରିପୋର୍ଟ ଥିବା ସତ୍ତ୍ବେ କାହିଁକି ଧାରଣାକୁ ଅନୁମତି ପ୍ରଦାନ କରାଯାଇଥିଲା? କାହିଁକି ହିଂସାକାଣ୍ଡକୁ ଅଟକାଇ ପାରିଲା ନାହିଁ ପୁଲିସ? କାହିଁକି ଲୋକ, ଆମ୍ବୁଲାନ୍ସ, ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ି ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଗଲା ନାହିଁ? ସେହିପରି ରାତିରେ ପ୍ରବେଶ ପଥରେ କାହିଁକି କୌଣସି ପୁଲିସ ଅଧିକାରୀ ଉପସ୍ଥିତ ନ ଥିଲେ? ଏଇଠି ଗୃହ ବିଭାଗ, ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ, କମିସନରେଟ ପୁଲିସ ମୁଖ୍ୟାଳୟ ସତ୍ତ୍ବେ କାହିଁକି ଆନ୍ଦୋଳନକୁ ମୁକାବିଲା କରିବାରେ ଫେଲ୍ ମାରିଲା ପୁଲିସ? ଏଭଳି ଏକାଧିକ ପ୍ରଶ୍ନ ପୁଲିସକୁ କାଠଗଡ଼ାରେ ଛିଡ଼ା କରିଛି। ସେହିପରି ଗୁଇନ୍ଦାର ଗୁପ୍ତ ଚିଠି କେମିତି ଓ କିଏ ଭାଇରାଲ୍ କଲା ତାହା ଆଉ ଏକ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ଏତେସବୁ ପରେ ବି ରାଜ୍ୟ ସରକାର କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଆଜି ସବୁଠି ଚର୍ଚ୍ଚା ହେଲାଣି। ଗତକାଲିର ଘଟଣା ପରେ ପୁଲିସର ପ୍ରସ୍ତୁତି ଦେଖି ଗୁଇନ୍ଦା ସୂଚନା ନେଇ ପ୍ରଶ୍ନ ଉଠିଥିଲା। ହେଲେ ଆଜି ସଂପୃକ୍ତ ବିଭାଗ ବୁଲେଇ ବଙ୍କେଇ ଜଣାଇ ଦେଇଥିଲା ଯେ ସେମାନେ ଖବର ଦେଇଥିଲେ। କିନ୍ତୁ ଯେଉଁ କଥାଟି ଗୁଇନ୍ଦା ହିସାବକୁ ଗୋଳମାଳ କରିଦେଇଥିଲା, ତାହା ହେଲା, ସେମାନେ ମଧ୍ୟ ଏତେ ସଂଖ୍ୟକ ଆନ୍ଦୋଳନକାରୀ ଆସିବେ ବୋଲି ଜାଣିପାରିନଥିଲେ। ପୂର୍ବଦିନ ରାତିରୁ ଡ୍ରାଇଭରମାନେ ରାଜଧାନୀରେ ରୁଣ୍ଡ ହୋଇଥିଲେ। ତା ପରେ ବି କେହି କେମିତି ଜାଣିପାରିଲେନି, ତାହା ଆଶ୍ଚର୍ଯ୍ୟ କରୁଛି।

କିଛି ପୂର୍ବତନ ଅଧିକାରୀଙ୍କ କହିବା କଥା ହେଉଛି, ଗୁଇନ୍ଦା ଓ ପୁଲିସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି। ଦୁଇଟି ବିଭାଗର ସମନ୍ବୟର ବଡ଼ ବଡ଼ ଆନ୍ଦୋଳନକୁ ମୁକାବିଲା କରାଯିବାର ନଜିର୍ ରହିଛି। ଯେପରି ରାଜଧାନୀରେ ପୂର୍ବରୁ ଶିକ୍ଷକ ସଂଘ, ନବ ନିର୍ମାଣ କୃଷକ ସଂଘ, ହୋମଗାର୍ଡ, ବଡ଼ ରାଜନୈତିକ ସଂଘକୁ ମୁକାବିଲା କରିବାରେ ପୁଲିସ ସଫଳ ମଧ୍ୟ ହୋଇଛି। କିନ୍ତୁ ପୁଲିସ ଗତକାଲି ପୂରା ଅସହାୟ ହୋଇ ପଡ଼ିଥିଲା। ଆନ୍ଦୋଳନକାରୀ ରାଜଧାନୀକୁ ନିଜ କବଜାକୁ ନେବା ପରେ ଯେମିତି ଚାହିଁଲେ ସେମିତି ହିଂସାକାଣ୍ଡ ଘଟାଇଲେ, ରାସ୍ତା ଅବରୋଧ କଲେ। ପୁଲିସ ମୁକାବିଲା କରିବାରେ ପୂରା ନାଚାର୍ ହୋଇ ପଡ଼ିଥିଲା। ବାଜିରେ ଲାଗିଥିଲା ଜନସାଧାରଣଙ୍କ ଜୀବନ। ଗୁଇନ୍ଦା ଓ ପୁଲିସ ମଧ୍ୟରେ ସମନ୍ବୟର ଅଭାବ ଜଳଜଳ ହୋଇ ଦେଖିବାକୁ ମିଳିଥିଲା। ଏହା ଭବିଷ୍ୟତ ଆନ୍ଦୋଳନ ପାଇଁ ମଧ୍ୟ ବିପଦର ମଞ୍ଜି ବୁଣିଛି। ସେହିଭଳି କେଉଁଠି ନା କେଉଁଠି ସଙ୍କେତ ମିଳୁଛି ଯେ ଶୃଙ୍ଖଳିତ ପୁଲିସରେ କିଛି ଠିକ୍ ଠାକ୍ ଚାଲିନାହିଁ।

ଏସବୁ ଭିତରେ ଆନ୍ଦୋଳନକାରୀଙ୍କ ମୁଣ୍ଡରେ ଦୋଷ ଲଦି ଖସି ଯିବାକୁ ଉଦ୍ୟମ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆନ୍ଦୋଳନକାରୀମାନେ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ନେତୃମଣ୍ଡଳୀ ଆସିବାର କାର୍ଯ୍ୟକ୍ରମ ଥିଲା। ସେହିପରି ଭିଡ଼ ଉପରେ ନେତାମାନଙ୍କ ନିୟନ୍ତ୍ରଣ ନ ଥିଲା। ଯାହାଫଳରେ ସେମାନେ ଗୋଟିଏ ଦୁଇଟି ଜାଗାରେ ହିଂସାକାଣ୍ଡ ଘଟାଇଛନ୍ତି, ରାସ୍ତା ଅବରୋଧ କରିଛନ୍ତି। ଲୋକମାନଙ୍କୁ ଗାଳିଗୁଲଜ, ହଇରାଣ ହରକତ ମଧ୍ୟ କରିଛନ୍ତି। ଆନ୍ଦୋଳନକାରୀଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର