ବିଦେଶୀ ପର୍ଯ୍ୟଟକଙ୍କ ଉନ୍ମତ୍ତକାଣ୍ଡ: ପୁଲିସ, ସେବାୟତଙ୍କୁ ପିଟିଲା

ଡାକ୍ତରଖାନାରେ ଭଙ୍ଗାରୁଜା

ପୁରୀ: ଇଂଲଣ୍ଡରୁ ପୁରୀ ବୁଲି ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଆଜି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ପ୍ରଥମେ ସ୍ବର୍ଗଦ୍ବାର ଓ ପରେ ଶ୍ରୀମନ୍ଦିରରେ ଗଣ୍ଡଗୋଳ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ ବେଳେ ପୁଲିସ ଓ ସେବାୟତ ଅଟକାଇବାକୁ ଚେଷ୍ଟା କରି ମାଡ଼ ଖାଇଛନ୍ତି। ଜଣେ ସେବାୟତଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପରେ ଟାଉନ୍‌ ଥାନା ପୁଲିସ ସଂପୃକ୍ତ ବିଦେଶୀ ଯୁବକଙ୍କୁ କାବୁ କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ବେଳେ ସେଠାରେ ବି ସେ ଗଣ୍ଡଗୋଳ କରିଛନ୍ତି, ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନେକ ବିଦେଶୀ ପୁରୀରେ ଆସି ଏଭଳି ବିଚରଣ କରିବା ସହ ଉନ୍ମତ୍ତକାଣ୍ଡ ଘଟାଉଥିବା ବେଳେ ତୁରନ୍ତ ଏମାନେ କେଉଁଠୁ ଆସୁଛନ୍ତି, କାହିଁକି ଆସୁଛନ୍ତି, ବୈଧ କାଗଜପତ୍ର ଅଛି କି ନାହିଁ ତାହାର ବିଧିବଦ୍ଧ ଯାଞ୍ଚ କରିବାକୁ ସ୍ବର୍ଗଦ୍ବାର ସେବା ସମିତିର ସଦସ୍ୟ ସିଦ୍ଧାର୍ଥ ରାୟ କହିଛନ୍ତି। ସେ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ନିବେଦନ କରିଛନ୍ତି।

ଗତ କିଛିଦିନ ହେବ ଇଂଲଣ୍ଡର ଏହି ଯୁବକ ଜଣକ ଗତକାଲି ନିଶାଗ୍ରସ୍ତ ଅବସ୍ଥାରେ ସ୍ବର୍ଗଦ୍ବାରରେ ପଶି ପାଟିତୁଣ୍ଡ କରିବା ସହ କର୍ମଚାରୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କିନ୍ତୁ ବିଦେଶୀ ହୋଇଥିବାରୁ, କର୍ମଚାରୀମାନେ ଛାଡ଼ି ଦେଇଥିଲେ। ଆଜି ବି ସଂପୃକ୍ତ ଯୁବକ ପୁଣିଥରେ ସ୍ବର୍ଗଦ୍ବାରକୁ ଆସି ଗଞ୍ଜେଇ ଟାଣିବା ସହ ନିଶାଗ୍ରସ୍ତ ଅବସ୍ଥାରେ ସ୍ବର୍ଗଦ୍ବାରରେ ଗଣ୍ଡଗୋଳ କରିଥିଲେ। ବାରଣ କରୁଥିବା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଅଟକାଇବାକୁ ବହୁ ଚେଷ୍ଟା ପରେ ବିଫଳ ହେବାରୁ କର୍ମଚାରୀମାନେ ସମୁଦ୍ରକୂଳ ଥାନାକୁ ଜଣାଇଥିଲେ। ସମୁଦ୍ରକୂଳ ଥାନା ପୁଲିସ ଆସି ଯୁବକଙ୍କୁ ଥାନାକୁ ନେଇଥିଲା। ପରେ ଯୁବକର ଭିସା ଓ ଅନ୍ୟ କାଗଜପତ୍ର ଯାଞ୍ଚ କରି ଛାଡ଼ି ଦେଇଥିଲା। ସମୁଦ୍ରକୂଳ ଥାନାରୁ ଛାଡ଼ିବାର କିଛି ଘଣ୍ଟା ପରେ ବିଦେଶୀ ଜଣକ ଶ୍ରୀମନ୍ଦିର ବେହରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ନିୟୋଜିତ ପୁଲିସ ଓ ପାଖରେ ଥିବା ସେବାୟତମାନେ ତାଙ୍କୁ ଅଟକାଇବା ବେଳେ ସେ ମାରପିଟ୍‌ କରିଥିଲେ। ବିଦେଶୀଙ୍କ ମାଡ଼ରେ ହରିହର ପ୍ରତିହାରୀ ନାମକ ସେବକ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ଯୁବକଙ୍କୁ ଟାଉନ୍‌ ଥାନା ଅଟକ ରଖିଥିଲା। ସଂଧ୍ୟାରେ ଯୁବକଙ୍କୁ ଡାକ୍ତରଖାନାରେ ନେଇ ଚିକିତ୍ସା କରାଉଥିବାବେଳେ ପୁଣିଥରେ ନିଶାଗ୍ରସ୍ତ ଅବସ୍ଥାରେ ସେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସଂଧ୍ୟାରେ ପୁଲିସ ତାଙ୍କୁ ଛାଡ଼ିଦେବା ପରେ ସେ ପୁଣି ଯାଇ ସ୍ବର୍ଗଦ୍ବାର ଭିତରେ ପଶିଛନ୍ତି।

ସମ୍ବନ୍ଧିତ ଖବର