ମହାନଦୀ ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

କଟକ : ମହାନଦୀ ପୋଲରୁ ‘ଜଗନ୍ନାଥ’ ବସ ଖସି ପଡିବା ଘଟଣାରେ ଆହତଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଛି। ଫଳରେ ଏହି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଘଟଣାସ୍ଥଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରମା କେୟାର ଆଇସିୟୁ ବେଡ୍ ନମ୍ବର ୫ରେ ଚିକିତ୍ସିତ ହେଉଥିବା ପୁରୀ ଜିଲ୍ଲାର ଭରତ ମଲିକ(୫୦)ଙ୍କର ଆଜି ସଂଧ୍ୟାରେ ମୃତ୍ୟୁ ଘଟିଛି। କଟକ ବଡ‌ ମେଡିକାଲ ଆଇସିୟୁରେ ଏବେ ବି ୬ ଜଣ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ଆଇସିୟୁରେ ଥିବା ୬ଜଣଙ୍କ ମଧ୍ୟରୁ ସେଣ୍ଟ୍ରାଲ ଆଇସିୟୁରେ ୨ଜଣ ଓ ଟ୍ରମା ଆଇସିୟୁରେ ୪ଜଣ ଚିକିତ୍ସିତ ହେଉଛନ୍ତି। ଗତ ୨୦ ତାରିଖ ସଂଧ୍ୟାରେ ତାଳଚେର ବଲଣ୍ଡାରୁ ଭୁବନେଶ୍ବର ଆସୁଥିବା ଏହି ଏସି ସ୍ଲିପର ବସ ମହାନଦୀ ‌େପାଲରେ ଏକ ମଇଁଷିକୁ ଧକ୍କା ଦେଇ ତଳକୁ ଖସି ପଡିଥିଲା। ଏହି ଦୁଘର୍ଟଣାରେ ଆହତଙ୍କ ମଧ୍ୟରୁ ଏବେ ୨୮ଜଣ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ୧୯ ଜଣ ରୋଗୀଙ୍କୁ ସେମାନଙ୍କ ସଂପର୍କୀୟମାନେ ଘରୋଇ ହସ୍ପିଟାଲକୁ ନେଇ ଯାଇଛନ୍ତି। ବସରେ ଦୁର୍ଘଟଣା ସମୟରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୫୮ ଜଣ ଥିଲେ।

ଅନ୍ୟପଟେ ଆଜି ନଈ ଭିତରୁ ଦୁର୍ଘଟଣାଗ୍ରସ୍ତ ବସକୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ସଂପର୍କରେ ଯାଞ୍ଚ କରୁଥିବା ତଦନ୍ତ କମିଟି ଆହତ ମାନଙ୍କ ବୟାନ ରେକର୍ଡ କରିଛନ୍ତି।

ସମ୍ବନ୍ଧିତ ଖବର