ଭୁବନେଶ୍ବର: ଡେଙ୍ଗୁରେ ଓଡ଼ିଶାକୁ ନିସ୍ତାର ନାହିଁ। ଗତବର୍ଷ ଯେଉଁଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା, ଚଳିତବର୍ଷ ମଧ୍ୟ ଏହି ଧାରା ଜାରି ରହିଛି। ୯ମାସ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୩ହଜାର ଟପିଛି। ଖୋର୍ଧା ଜିଲ୍ଲା ଡେଙ୍ଗୁ ରୋଗୀଙ୍କ ଗଡ଼ ପାଲଟିଥିବା ବେଳେ ରାଜ୍ୟର ୩ଟି ଜିଲ୍ଲା ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଜ୍ବାଳାରୁ ବର୍ତି ଯାଇଛନ୍ତି। ମାତ୍ର ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ୁଥିବାରୁ ଚଳିତବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ୪ହଜାର ପାର୍ କରିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଯେଉଁ ପଦକ୍ଷେପ ଓ ରଣନୀତି ପ୍ରସ୍ତୁତ ହେଉଛି, ଡେଙ୍ଗୁ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ତେଣୁ ମ୍ୟାଲେରିଆ ଭଳି ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଧ୍ୟ ବିଶେଷ ରଣନୀତିର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।

Advertisment

ଚଳିତବର୍ଷ ରାଜ୍ୟରେ ସେପ୍ଟେମ୍ବର ମାସ ସୁଦ୍ଧା ୩୬୫୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୦୭୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ସେପ୍ଟେମ୍ବର ୧୮ତାରିଖ ବେଳକୁ ଖୋର୍ଧାରେ ୨୭୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ଫରକ୍ ଦେଖିବାକୁ ମିଳିନାହିଁ। ଖୋର୍ଧା ପରେ କୋରାପୁଟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୯ହଜାର ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଗତବର୍ଷ କୋରାପୁଟରେ ଏହି ସମୟରେ ମାତ୍ର ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ କୋରାପୁଟ ଦ୍ବିତୀୟ ସ୍ଥାନରେ ରହିଛି। ବର୍ତମାନସୁଦ୍ଧା ୩୮୯ଜଣ ଆକ୍ରାନ୍ତ ବାହାରିଛନ୍ତି। ରାୟଗଡ଼ା ୩୧୬, ମାଲକାନଗିରି ୨୨୩, ପୁରୀ ୧୦୪, ଜଗତସିଂହପୁର ୭୨, ବାଲେଶ୍ବର ୬୮ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କେବଳ ଦେବଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରେ କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ମାତ୍ର ଆଶ୍ବାସନାର ବିଷୟ ଯେ ସରକାରୀ ଭାବେ ଗତ ଦୁଇ ବର୍ଷ ହେବ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇନାହିଁ। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇଛି। ଗତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୧୫,୧୯୪ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ବା ଟିପିଆର ରହିଥିଲା ୨୪.୮ ପ୍ରତିଶତ। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୨୬,୯୧୮ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆର ରହିଛି ୧୩.୫ ପ୍ରତିଶତ। ଡେଙ୍ଗୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାର ପ୍ରସାର ସହିତ ଲୋକମାନେ ସଚେତନ ହେବା କାରଣରୁ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଅନେକ କ୍ଷେତ୍ରରେ ଲୋକମାନେ ସରକାରୀ ତୁଳନାରେ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରିବା ପାଇଁ ଇଚ୍ଛା କରୁଛନ୍ତି। ଘରୋଇ ଡାକ୍ତରଖାନା ଠିକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ରିପୋର୍ଟିଂ କରୁ ନ ଥିବା ଅଭିଯୋଗ ହେଉଛି। ଏପରିକି କିଛିମାସ ତଳେ ରାଜଧାନୀରେ ଜଣେ ବ୍ୟକ୍ତି ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲେ ବି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରି ନ ଥିଲା। ଯଦି ଘରୋଇ ଡାକ୍ତରଖାନାମାନେ ଠିକ୍‌ ଭାବେ ରିପୋର୍ଟିଂ କରନ୍ତି ତାହାଲେ ରାଜ୍ୟରେ ପ୍ରକୃତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଚଳିତବର୍ଷ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇଛି। ଏହାସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି। ଟିପିଆର ମଧ୍ୟ ହ୍ରାସ ପାଇଛି। ମାତ୍ର ଚଳିତବର୍ଷ ଦୀର୍ଘଦିନ ଧରି ବର୍ଷା ଲାଗି ରହିଛି। ଯାହାଫଳରେ ମୌସୁମୀ ଆରମ୍ଭରୁ ମୂଳ ଉତ୍ସକୁ ହଟାଇବା କାର୍ଯ୍ୟ ହୋଇଥିଲେ ବି ବର୍ଷା ପାଇଁ ପୁଣି ଏଥିରେ ବୃଦ୍ଧି ହୋଇଛି। ଡେଙ୍ଗୁ ଏକ ଭାଇରାଲ ରୋଗ ହୋଇଥିବାରୁ ବ୍ୟାପକ ସଚେତନତା ଓ ମୂଳ ଉତ୍ସକୁ ହ୍ରାସ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଯେଉଁ ଜିଲ୍ଲାରେ ଦେଶାନ୍ତର ବା ମାଇଗ୍ରେସନ୍ ରହିଛି ସେଠାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ୧୮-୪୪ବର୍ଗର ଲୋକ ଏଥିରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଯେହେତୁ ଏହି ବର୍ଗ କର୍ମଜୀବୀ ଶ୍ରେଣୀର ଓ ଡେଙ୍ଗୁ ରୋଗ ସୃଷ୍ଟିକାରୀ ମଶା ଦିନରେ କାମୁଡ଼ିବା ଯୋଗୁଁ ଅନ୍ୟ ବର୍ଗ ତୁଳନାରେ ଯୁବ ବର୍ଗ ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ତଥାପି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।