ଭାରତର ବିକାଶ ପାଇଁ ପ୍ରବାସୀମାନେ ନୂଆ ପ୍ରସ୍ତାବ ଦିଅନ୍ତୁ : ଧର୍ମେନ୍ଦ୍ର

ଦକ୍ଷିଣ-ପୂର୍ବ ଏସୀୟ ଦେଶର ଓଡ଼ିଆଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ପୂର୍ବ କାଳରେ ଓଡ଼ିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ବେପାର ବଣିଜ କରି ନାଁ କରିଥିଲେ। ବର୍ତ୍ତମାନ ଘଡ଼ସନ୍ଧି ମୂହୁର୍ତ୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ରହୁଥିବା ସଫଳ ଓଡ଼ିଆମାନେ ଭାରତ ତଥା ଓଡ଼ିଶାର ବିକାଶ ପାଇଁ ନୂଆ ପ୍ରସ୍ତାବ ଦେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।

ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନେସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡରେ ରହୁଥିବା ଓଡ଼ିଆ ବ୍ୟକ୍ତିଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହି ଦେଶଗୁଡ଼ିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍‌ କରିବା, ରାଷ୍ଟ୍ରୀୟ ଲକ୍‌ଡାଉନ୍ ତୁରନ୍ତ ଲାଗୁ କରିବା ସହ ଲକ୍‌ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରି କ‌େରାନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବା ନେଇ ଓଡ଼ିଆମାନେ ମତ ଦେଇଥିଲେ। କେରାନା ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା, ପରବର୍ତ୍ତୀ ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କ‌େର ଏହି ପ୍ରମୁଖ ବ୍ୟକ୍ତିମାନେ ଆଶା ଓ ଆଶଙ୍କା ପ୍ରକାଶ କରିଥିଲେ। କ‌େରାନା ପରେ ଚୀନ୍‌ରୁ ଶିଳ୍ପ ସଂସ୍ଥା ଅନ୍ୟ ଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ। ଭାରତରେ ଦେଶବାସୀଙ୍କ ତଥ୍ୟ ଆଧାର, ସମସ୍ତଙ୍କ ବ୍ୟାଙ୍କ ଖାତା ଓ ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଓ ଦେଶରେ ଲଜିଷ୍ଟିକ୍‌ର ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଓ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡ଼ିଆମାନେ ମତବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ କରୋନା ପରିସ୍ଥିତିରେ ଚୀନ୍‌ର ପାଖାପାଖି ହୋଇଥିଲେ ମଧ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକ କରୋନାର ସଫଳ ମୁକାବିଲା କରିପାରିଛନ୍ତି। ବନ୍ଦେ ଭାରତ ମିସନ୍‌‌େର ଭାରତ ସରକାର ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରଖିଛନ୍ତି। ଏହି କାମରେ ବିଦେଶରେ ରହୁଥିବା ସଫଳ ଓଡ଼ିଆମାନେ ସହାୟକ ହେବାକୁ ସେ କହିଥିଲେ।

ଇଣ୍ଡୋନେସିଆରୁ ଦେବର୍ଶୀ ଚରଣ ମଲ୍ଲିକ, ସରୋଜ କୁମାର ମହାନ୍ତି, ଅରୁଣ କୁମାର ନାୟକ, ମିଆଁମାରର ଶୀତଲ ପଲ୍ଲାବାବୁ, ଶ୍ରୀ ଜଗନ୍ନାଥ, ସିଙ୍ଗାପୁରରୁ ସ୍ବପ୍ନେନ୍ଦୁ ମହାନ୍ତି, ଆଲୋକ ପଣ୍ଡା, ଭିଏତନାମରୁ ନଭେନ୍ଦୁ ବେହେରା, ଶ୍ରୀମନ୍ତ ଜେନା, ମାଲେସିଆରୁ ରଙ୍ଗଧର ହରିଆ, ଦୀପ୍ତି ରଞ୍ଜନ ନନ୍ଦ, ସ୍ନିଗ୍ଧା ମିଶ୍ର, ସଞ୍ଜୟ ଦାଶ ଏବଂ ଥାଇଲାଣ୍ଡ୍‌ରୁ ଏସ୍‌ ସି ମହାପାତ୍ର ଓ ବିଶ୍ବାସ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର