ମଙ୍ଗୋଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା, ପ୍ରସ୍ତାବିତ ତୈଳ ବିଶୋଧନାଗାରର ସମୀକ୍ଷା କଲେ

ଭୁବନେଶ୍ବର : ଗତ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ମଙ୍ଗୋଲିଆରେ ଗସ୍ତରେ ଯାଇଛନ୍ତି। ଏହି ତିନି ଦିନିଆ ଗସ୍ତ ସମୟରେ ସେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଉଖନାଗିନ୍ ଖୁରେଲସୁଖଙ୍କୁ ଭେଟି ଭାରତ-ମ‌େଙ୍ଗାଲିଆ ମଧ୍ୟରେ ଉର୍ଜା କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍‌ କରିବା ଦିଗରେ ମଧ୍ୟ ଉଭୟ ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ମଙ୍ଗୋଲିଆର ୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ଭାରତ ସହାୟତାରେ ମଙ୍ଗୋଲିଆରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ତୈଳ ‌ବିଶୋଧନାଗାର ପ୍ରକଳ୍ପର ସମୀକ୍ଷା କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଥିବା ପୁରୁଣା ସମ୍ପର୍କ ୨୦୧୫ ମସିହା‌େର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ‌ଦୀଙ୍କ ଗସ୍ତ ପରେ ଅଧିକ ମଜବୁତ୍ ହୋଇଛି। ୨.୨୩୬ ମିଲିୟନ୍ ଆମେରିକୀୟ ଡଲାର୍‌ର ଭାରତର ପୁଞ୍ଜିନିବେଶରେ ତୈଳ ବିଶୋଧନାଗାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ତୈଳ ବିଶୋଧନାଗାର ଆମ ବନ୍ଧୁତ୍ବର ପରିଚୟ। ପ୍ରକଳ୍ପଟି ମ‌େଙ୍ଗାଲିଆର ଅର୍ଥନୀତି ବୃଦ୍ଧି କରିବାରେ ସହାୟକ ହେବ। ଏହା ସହ ବିଶୋଧନାଗାର ଓ ପାଇପ୍‌ଲାଇନ୍ ସଞ୍ଚାଳନରେ ସହାୟକ ଉଦ୍ୟୋଗଗୁଡ଼ିକର ମଧ୍ୟ ବିକାଶ ହେବ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଉଭୟ ଦେଶର ସମ୍ପର୍କକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛି। ବୌଦ୍ଧ ପରମ୍ପରା ଓ ସଂସ୍କୃତି ହେତୁ ଭାରତ ଓ ମଙ୍ଗୋଲିଆ ଆଧ୍ୟାତ୍ମିକ ପଡ଼ୋଶୀ ମଧ୍ୟ ହୋଇପାରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗୋଲିଆର ଖଣିଜ ସମ୍ବଳ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଦକ୍ଷିଣ ମଙ୍ଗୋଲିଆର ଖଣିଜ ସମ୍ବଳ ବ୍ୟବହାର କରି ଭାରତୀୟ ଇସ୍ପାତ କ୍ଷେତ୍ରକୁ ମଜବୁତ୍‌ କରିବା ଦିଗରେ ଆଲୋଚନା କରିଥିଲେ। ମଙ୍ଗୋଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଉର୍ଜା ଓ ଖଣିଜ ପଦାର୍ଥର ଆଦାନପ୍ରଦାନର ସହଯୋଗ ନେଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର