ପରୀକ୍ଷାର୍ଥୀଙ୍କୁ +୨ ପ୍ରଥମ ବର୍ଷ ପାସ୍‌ ପାଇଁ ଦୁଇଟି ସୁଯୋଗ

ଭୁବନେଶ୍ବର: ଯୁକ୍ତ୨ ପ୍ରଥମ ବର୍ଷ ପାସ୍‌ କରିବାକୁ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ। ଫେବ୍ରୁଆରି ୧୫ରୁ ୨୯ ଯାଏ ପ୍ରଥମ ସୁଯୋଗ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ପରୀକ୍ଷାରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ତଥା ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରବର୍ତୀ ସମୟରେ ଆଉ ଗୋଟିଏ ସୁଯୋଗ ଦିଆଯିବ। ତେବେ ଏହା ପୂର୍ବରୁ ଫେଲ୍‌ ପରୀକ୍ଷାର୍ଥୀଙ୍କ ପାଇଁ ରିମେଡିଆଲ୍ କ୍ଲାସ୍ କରାଯିବ। ଏଥିରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକମାନେ ପଢ଼ାଇବେ ଏବଂ ମେ’ ମାସ ଶେଷ ସପ୍ତାହରେ ଦ୍ବିତୀୟ ସୁଯୋଗ ଦିଆଯିବ। ଏଥିରେ ଯଦି ପରୀକ୍ଷାର୍ଥୀ ଫେଲ୍‌ ହୁଅନ୍ତି ତେବେ ଆଉ ସୁଯୋଗ ମିଳିବ ନାହିଁ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀରେ ଯେଉଁ ଢାଞ୍ଚାରେ ପରୀକ୍ଷା ହେଉଛି ପ୍ରଥମ ବର୍ଷରେ ବି ସମାନ ଢାଞ୍ଚାରେ ପରୀକ୍ଷା ହେବ। ଦ୍ବାଦଶ ଶ୍ରେଣୀକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷରେ ଅତିକମ୍‌ରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। କଲେଜଗୁଡ଼ିକ ପ୍ରଥମ ବର୍ଷ ପରୀକ୍ଷା ପରିଚାଳନା କରିବେ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପରୀକ୍ଷା ଫଳ ଜଣାଇବେ। ତେବେ ଚୂଡ଼ାନ୍ତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର