ରାଜ୍ୟରେ ପ୍ରଥମ ପାଇଲଟ୍‌ ପ୍ରକଳ୍ପ ‘ଇ-ଶୁଶ୍ରୁତ’

ଏସ୍‌ସିବିରେ ଅନ୍‌ଲାଇନ୍‌ ରୋଗୀ ଡାଟାବେସ ରେକର୍ଡ ବ୍ୟବସ୍ଥା, ପ୍ରଥମ ପର୍ଯ୍ୟାୟରେ ହୃଦ୍‌ରୋଗ ଓ ଚକ୍ଷୁ ବିଭାଗରେ କାର୍ଯ୍ୟକାରୀ

କଟକ : କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ରୋଗୀଙ୍କ ରେକର୍ଡ କଂପ୍ୟୁଟରରେ ରହିବ। ରୋଗୀଙ୍କ ସଂପର୍କିତ ସମସ୍ତ ତଥ୍ୟର ଅନ୍‌ଲାଇନ ଡାଟାବେସ୍‌ ପ୍ରସ୍ତୁତ କରାଯିବ। ସବୁ ବିଭାଗର ଉଭୟ ଆଉଟଡୋର ଏବଂ ଇନ୍‌ଡୋର ରୋଗୀଙ୍କ ରିପୋର୍ଟ ଭୁବନେଶ୍ବରରେ ରହି ସ୍ବାସ୍ଥ୍ୟ ସଚିବ ମଧ୍ୟ ଯାଞ୍ଚ କରି ପାରିବେ। ଏପରିକି ଜଣେ ରୋଗୀଙ୍କ ପରୀକ୍ଷା ରିପୋର୍ଟ କଣ ରହିଛି ତା’ ମଧ୍ୟ ଡାକ୍ତର ଅନଲାଇନରେ ଦେଖିପାରିବେ। ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାର ସିଡାକ୍‌ ସଂସ୍ଥା ସହ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲକୁ ରାଜ୍ୟର ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଯୋଜନା କରିଥିଲେ। ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ ଆଜିଠାରୁ ଏସ୍‌ସିବିରେ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏସ୍‌ସିବି ମେଡିକାଲର ହୃଦ୍‌ରୋଗ ବିଭାଗ ଓ ଚନ୍ଧୁ ବିଭାଗର ଓପିଡିରେ ଏହା ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବୋଲି ହସ୍‌ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ସୂଚନା ଦେଇଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକଭାବେ ଏହି ବ୍ୟବସ୍ଥ‌ା ଆରମ୍ଭ ହୋଇଥିବାବେଳେ ଦିନେ ଦୁଇ ଦିନ ଭିତରେ ଏହି ବ୍ୟବସ୍ଥା ବ୍ୟବସ୍ଥିତ କରାଯିବ। ‌ଇ-ଶୁଶ୍ରୁତ ସଫ୍ଟଓୟାର ମାଧ୍ୟମରେ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ପର୍ଯ୍ୟାୟ କ୍ରମେ ଏସ୍‌ସିବିର ସବୁ ବିଭାଗରେ ଏହି ଅନ୍‌ଲାଇନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର