ପୂର୍ବତଟ ରେଳପଥ ବିଭାଜନ ନେଇ ରାଜରାସ୍ତାକୁ ଓହ୍ଳାଇବ କଂଗ୍ରେସ

ରାଉରକେଲା ଓ ବାଲେଶ୍ବରକୁ ନୂଆ ରେଳ ଡିଭିଜନ୍‌ କରାଯାଉ, ଦୁଇ କେନ୍ଦ୍ରମନ୍ତ୍ରୀ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ
ଭୁବନେଶ୍ବର : ପୂର୍ବତଟ ରେଳପଥର ବିଭାଜନ ଘୋଷଣା ପଛରେ ବଡ଼ ଧରଣର ଷଡ଼୍‌ଯନ୍ତ୍ର ରହିଛି। ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେବା ଏଭଳି ବିଭାଜନର ମୁଖ୍ୟ ଲକ୍ଷ୍ୟ। ଏହା ବିରୋଧରେ ରାଜରାସ୍ତାକୁ ଓହ୍ଳାଇବ ବୋଲି ରାଜ୍ୟ କଂଗ୍ରେସ ଚେତାବନୀ ଦେଇଛି।

ଆଜି କ˚ଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ˚ଚାନନ କାନୁନ୍‌ଗୋ ଓ ମୁଖପାତ୍ର ଅମିୟ ପାଣ୍ତବ ରେଳମନ୍ତ୍ରୀଙ୍କ ଏଭଳି ଘୋଷଣା ନେଇ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ ତୁରନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେମାନେ ଆହ୍ବାନ ଦେଇଥିଲେ। ଉଭୟ ନେତା କହିଲେ, ଦୀର୍ଘଦିନର ଦାବି ଓ ଲଢେଇ ଫଳରେ ପ୍ରତିଷ୍ଠିତ ହୋଇଥିବା ପୂର୍ବତଟ ରେଳପଥକୁ ଶ୍ରୀହୀନ କରିଦେବା ପଛରେ ଏକ ବଡ଼ ଷଡ଼୍‌ଯନ୍ତ୍ର ରହିଛି।

ୱାଲ୍‌ଟିୟର ଡିଭିଜନକୁ କାଢ଼ିନେଲେ, ଭାଇଜାଗ୍‌ ଇସ୍ପାତ କାରଖାନା ଓ ବିଶାଖାପାଟଣା ବନ୍ଦରରୁ ମିଳୁଥିବା ରାଜସ୍ବ ପୂର୍ବତଟ ରେଳପଥ ହରାଇବ। ନୂତନ ରେଳ ଡିଭିଜନ ଭାବେ ରାୟଗଡ଼ାକୁ ଘୋଷଣା କରାଯିବା ସ୍ବାଗତଯୋଗ୍ୟ ହେଲେ ମଧ୍ୟ ଏଠାରୁ ବାର୍ଷିକ ସର୍ବାଧିକ ମାତ୍ର ୧୫୦ରୁ ୨୦୦ କୋଟି ଟଙ୍କାର ରାଜସ୍ବ ଆସିପାରିବ। ତେଣୁ ପୂର୍ବତଟ ରେଳପଥ ବର୍ଷକୁ ପ୍ରାୟ ୬୦୦ କୋଟି ଟଙ୍କାର ରାଜସ୍ବ ହରାଇବ। ଏହାର ପ୍ରଭାବ ରେଳବାଇ ବଜେଟ୍‌ରେ ଅନୁଦାନ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ଉପୁଜିଛି। ଏହା ବଦଳରେ ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ଓ ବାଲେଶ୍ବରକୁ ନୂଆ ରେଳ ଡିଭିଜନ୍‌ ଭାବେ ଘୋଷଣା କରି ପୂର୍ବତଟ ରେଳପଥ ଅଧୀନକୁ ଅଣାଯାଉ। ଏହା ସହିତ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥର ବିଳାସପୁର ଡିଭିଜନରେ ଆସୁଥିବା ଇବ୍‌-ବ୍ରଜରାଜନଗର ଅଞ୍ଚଳକୁ ମଧ୍ୟ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଜ୍ୟର ଦାବିକୁ ପୂରଣ କରାନଗଲେ, ବ୍ୟାପକ ଗଣ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତବନୀ ଦେଇଛି। ସେହିପରି ଘୋଷିତ ରେଳ ୱାଗନ କାରଖାନା, ରେଳବାଇ ମେଡ଼ିକାଲ କଲେଜ ଓ ଅନ୍ତର୍ଜାତୀୟ ରେଳ ଷ୍ଟେସନ ନିର୍ମାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଉତ୍ତର ରଖିବାକୁ ଶ୍ରୀ କାନୁନ୍‌ଗୋ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର