ପିଆଜ ଚା‌ଷୀ ଆଖିରେ ଲୁହ, ବିକିଥିଲା ୧୦ ଟଙ୍କାରେ, କିଣୁଛି ୩୦ରେ

ନାଲିଫିତା ତଳେ କଳାହାଣ୍ଡି ଶୀତଳଭଣ୍ଡାର ଯୋଜନା

କେସିଙ୍ଗା: କଳାହାଣ୍ଡିର ପିଅାଜ ଚାଷୀଙ୍କ ଆଖିରୁ ଏବେ ଲୁହ ଝରୁଛି। ଜିଲ୍ଲାରେ ପ୍ରଚୁର ପରିମାଣରେ ପିଆଜ ଉତ୍ପାଦନ ହେଲେ ମଧ୍ୟ ଶୀତଲଭଣ୍ଡାର କି ବିକ୍ରି ବ୍ୟବସ୍ଥା ନାହିଁ। ଫଳରେ ଉତ୍ପାଦନ ସମୟରେ ଚାଷୀ କେଜି ପ୍ରତି ୧୦ଟଙ୍କାରେ ବିକ୍ରି କରିଥିଲା ଏବଂ ବର୍ତ୍ତମାନ କେଜିପ୍ରତି ୩୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି। ସେତେବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ‌ହୋଇଥିଲା। ପିଆଜ ଋତୁ ସରୁ ସରୁ ଏହାର ଦର ବୃଦ୍ଧି ହେବାରେ ଲାଗିଲାଣି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ପ୍ରଚୁର ପିଆଜ ଉତ୍ପାଦିତ ହୋଇଥିଲା। ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଥିବା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ବିଭାଗକୁ ଏକ ରିପୋର୍ଟ ମାଗିଥିଲେ। ହେଲେ ତାହା ବି ନାଲିଫିତା ତଳେ ରହିଯାଇଛି। ପିଆଜ ଅଭାବୀ ବିକ୍ରି ତମ୍ବିତୋଫାନକୁ ନେଇ କିଛି ବର୍ଷ ତଳେ କୃଷି ମନ୍ତ୍ରୀ ଶୀତଳଭଣ୍ଡାର ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ହେଲେ ସେହି ଶୀତଳଭଣ୍ଡାର ଫାଇଲ ସେତିକିରେ ହିଁ ରହିଗଲା। ପିଆଜ ଅଭାବୀ ବିକ୍ରି କଥା ଉଠିଲେ ସରକାରଙ୍କ ଏହି ଭଣ୍ଡାର କଥା ମନେପଡ଼େ। ପୁଣି ପରେ ତାହା ଭୁଲିଯାଆନ୍ତି। ନିଜ ପାଖରେ ପର୍ଯ୍ୟାପ୍ତ ପିଆଜ ଉତ୍ପାଦନ ହେଉଥିଲେ ମଧ୍ୟ ତାକୁ ସଂରକ୍ଷଣ କରାଯାଇ ନ ପାରିବାରୁ ପୁଣି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।

ଏ ଜିଲ୍ଲାରେ ପ୍ରାୟ ୨୪ ହଜାର ହେକ୍ଟର ଜମିରେ ୩୮ହଜାର ମେଟ୍ରିକ ଟନ୍‌ରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଯାହା ଜିଲ୍ଲାର ଆବଶ୍ୟକତା ସହଜରେ ପୂରଣ କରିପାରିବ। କିନ୍ତୁ ଏତେ ପିଆଜ ଉତ୍ପାଦନ ହେଲେ ବି ଜିଲ୍ଲାରେ ୨ମାସକୁ ଛାଡ଼ିଦେଲେ ପିଆଜ ଦର ଆକାଶଛୁଆଁ ରହୁଛି। ଏମିତି କି ଥରେ ଥରେ ପିଆଜର ଦର କେଜି ପ୍ରତି ୭୦/-୮୦ ଟଙ୍କା ମଧ୍ୟ ଛୁଉଁଛି। ଏପ୍ରିଲ ମାସରୁ ଏହି ପିଆଜ ଉତ୍ପାଦନ ହୋଇଥାଏ। ବଜାର ବ୍ୟବସ୍ଥା କିଛି ନଥିବାରୁ ପିଆଜ ସବୁ କେଜିପ୍ରତି ୬ରୁ ୧୦ଟଙ୍କା ଦରରେ ଅନ୍ୟ ରାଜ୍ୟକୁ ଚାଲିଯାଏ। ଚାଷୀ ସାଇତି ରଖିବାର କିଛି ବ୍ୟବସ୍ଥା ନଥିବାରୁ ନିଜ ଖାଇବା ପାଇଁ ଗଣ୍ଡେ ପିଆଜ ମଧ୍ୟ ରଖିପାରେ ନାହିଁ। ଅତ୍ୟଧିକ ମୂଲ୍ୟ ପାଇଁ ଥରେ ଥରେ ଗରିବ ପରିବାରଙ୍କ ରନ୍ଧାଶାଳକୁ ପିଆଜ ଯିବା କଷ୍ଟ ହୋଇପଡ଼େ। ଜିଲ୍ଲାରେ ଆହୁରି ପିଆଜ ଉତ୍ପାଦନର ସୁଯୋଗ ରହିଛି। ହେଲେ ବଜାର ଓ ସାଇତି ରଖିବାର ବ୍ୟବସ୍ଥା ନଥିବାରୁ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁ ନାହିଁ।

ସମ୍ବନ୍ଧିତ ଖବର