ଦାନଗଦୀ : ଗୁଣି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ, ବୃଦ୍ଧ ଦମ୍ପତିଙ୍କୁ ମାରି ଘର ସହ ଜାଳିଦେଲେ

ଦାନଗଦୀ : ଗୁଣିଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ଦୁଇଟି ମୁଣ୍ଡ। ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହିତ ଘର ସହିତ ଜାଳି ଦେଇଛନ୍ତି। କଳିଙ୍ଗନଗର ଥାନା ଅନ୍ତର୍ଗତ ତଥା ସୁକିନ୍ଦା ବ୍ଲକ୍ ପିଙ୍ଗଳ ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ଶୈଳ ବାଲମୁଛ(୬୦) ଓ ତାଙ୍କ ପତ୍ନୀ ସମ୍ବାରୀ(୫୦)। ଗତକାଲି ରାତିର ଏହି ଲୋମଟାଙ୍କୁରା ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଘଟଣା ଅନୁସାରେ, ନିମପଲ୍ଲୀ ଗାଁର ଜଣେ ଯୁବକଙ୍କ କିଛି ଦିନ ପୂର୍ବରୁ ଆକସ୍ମିକ ମୃତ୍ୟୁ ହୋଇଥିଲା। ‌ଇତିମଧ୍ୟରେ ଗ୍ରାମର ଏକାଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ବୃଦ୍ଧ ଶୈଳ ବାଲମୁଛ ଝଡ଼ଫୁଙ୍କା କରନ୍ତି। ଶୈଳଙ୍କ ଗୁଣିଗାରେଡ଼ି ଯୋଗୁଁ ଲୋକମାନେ ମରୁଛନ୍ତି ବୋଲି କିଛି ଜଣ ସନ୍ଦେହ କରି ଆସୁଥିଲେ। ଗତକାଲି ରାତିରେ ଏହି ଲୋକମାନେ ସଂଘବଦ୍ଧ ଭାବେ ଶୈଳଙ୍କୁ ଆକ୍ରମଣ କରିଥିଲେ। ପରେ ଶୈଳ ଏବଂ ତାଙ୍କ ପତ୍ନୀ ସମ୍ବାରୀଙ୍କୁ ହତ୍ୟା କରି ଘରେ ରଖି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ଏହି ଜଘନ୍ୟକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ପୋଡ଼ି ଯାଇଥିବା ଘର ପାଖରେ ଏକ କୋଠାଘରେ ସାନପୁଅ ଓ ବୋହୂ ‌ରହୁଥିବାବେଳେ ସେମାନେ ଭୟରେ କେଉଁଆଡ଼େ ଚାଲି ଯାଇଛନ୍ତି। ସାହିପଡ଼ିଶା ଲୋକ ମଧ୍ୟ ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାତିରେ ଘଟଣା ଘଟିଥିଲେ ବି ବହୁ ଘଣ୍ଟା ପର୍ଯ୍ୟନ୍ତ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ସୁକିନ୍ଦାରୁ ଦମକଳ ବାହିନୀ ପହଞ୍ଚି ନିଅାଁକୁ ଲିଭାଇଥିଲେ।

ଗୋଟିଏ କିଲୋମିଟର ଦୂର ଗୋଲାଗାଁରେ ରହୁଥିବା ମୃତ ଦମ୍ପତିଙ୍କର ଝିଅ ମିନତି ଗୁଡ଼ଉଲି ଓ ଜ୍ବାଇଁ ଟିପୁ ପହଞ୍ଚି ସେମାନଙ୍କ ବାପାମା’ଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ମିଳିବା ପରେ କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଏସ୍‌ପି ଚରଣ ସିଂ ମୀନା ଓ ଅତିରିକ୍ତ ଏସ୍‌ପି ଜୟରାମ ଶତପଥୀ, କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ। ସୁକିନ୍ଦା ତହସିଲଦାର ତଥା ମାଜିଷ୍ଟ୍ର‌େଟ ବୁଲବୁଲ ବେହେରାଙ୍କ ଉପସ୍ଥିତିରେ ପୁଲିସ ଶବକୁ ଜବତ କରି ଦାନଗଦୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଅନ୍ୟ ସାହି ଲୋକ ଓ ସ୍ଥାନୀୟ ସରପଞ୍ଚଙ୍କୁ ପଚରାଉଚରା କରି ଘଟଣାର ଖିଅ ଖୋଜିବାରେ ଲାଗିଛି। ହତ୍ୟାକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଦୃଢ଼ୋକ୍ତି ପ୍ରକାଶ କରିଛି।

ଅନ୍ୟପକ୍ଷରେ, ଗୁଣିଗାରେଡ଼ି ସନ୍ଦେହରେ ସମ୍ପୃକ୍ତ ଅଞ୍ଚଳରେ ହତ୍ୟାାକାଣ୍ଡ ବଢ଼ିବାରେ ଲାଗିଛି। ଗତ ୧୫ତାରିଖରେ ଦାନଗଦୀ ଫାଣ୍ତି ଅନ୍ତର୍ଗତ ଛତରା ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଇ ଯାଇଥିଲା। ପୁଲିସ କଟାମୁଣ୍ଡ ସହ ଅଭିଯୁକ୍ତକୁ ଧରିଥିଲା। ଏହି ଘଟଣାର ସପ୍ତାହେ ପୂରଣ ନ‌ହେଉଣୁ ପୁଣି ୨ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର