ବିଦ୍ୟୁତ ଚୋରି ଧରିବାକୁ ସେସୁ ଡିଭିଜନରେ ଚଢ଼ଉ ହେବ

ଗୁଣାତ୍ମକ ବିଦ୍ୟୁତ ସେବା ପାଇଁ ମାନସ ମନ୍ଥନ, ପୁଣି ମିଳିଲା ପ୍ରତିଶ୍ରୁତି

ସୂଚନା ପ୍ରଦାନକାରୀଙ୍କୁ ଜରିମାନା ଅର୍ଥରୁ ୧୦% ପ୍ରଦାନ କରାଯିବ
ମିଟିର ରିଡିଂ, ବିଲ ଆଦାୟ ପାଇଁ ଏସଏଚଜି ଗ୍ରୁପକୁ ଦାୟିତ୍ବ ମିଳିବ
ସୋସିଆଲ ମିଡିଆରେ ଅଭିଯୋଗ ଦାଖଲ କରିହେବ
ସେସୁର ଏଟିସି କ୍ଷତି ୩୦%ରେ ପହଞ୍ଚିଲାଣି

ଭୁବନେଶ୍ବର : ବିଦ୍ୟୁତ ଚୋରଙ୍କୁ ଏଣିକି ନିସ୍ତାର ନାହିଁ। ହୁକ, ମିଟର ଟାମ୍ପରିଂ ବନ୍ଦ କରିବାକୁ ଆସନ୍ତା ୨ରୁ ୩ ମାସ ଭିତରେ ସେସୁ ବିଦ୍ୟୁତ ଡିଭିଜନରେ ଚଢ଼ଉ ଜୋରଦାର କରାଯିବ। ଏହାସହିତ ବିଦ୍ୟୁତ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାକୁ ସବୁ ପ୍ରକାର ଯତ୍ନ ନିଆଯିବ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନୂଆକରି ଦାୟିତ୍ବ ନେବା ପରେ ଭୁବନେଶ୍ବରରେ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସେସୁ ଅଞ୍ଚଳରେ ବିଦ୍ୟୁତ ଚୋରିକୁ ରୋକିବାକୁ ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ବିଦ୍ୟୁତ ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନା ପ୍ରଦାନକାରୀଙ୍କୁ ଜରିମାନା ଅର୍ଥରୁ ୧୦% ଅର୍ଥ ପୁରସ୍କାର ସ୍ବରୁପ ଦେବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ଗ୍ରାମାଞ୍ଚଳରେ ଉପଭୋକ୍ତାଙ୍କ ମିଟର ରିଡିଂ, ବିଦ୍ୟୁତ ବିଲ ଆଦାୟ ଓ ଇ-ପେମେଣ୍ଟ କାର୍ଯ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।

ଗୁରୁବାର ବୈଠକ ସମ୍ପର୍କରରେ ସୂଚନା ଦେଇ ସେସୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା କହିଥିଲେ, ସେସୁ ଡିଭିଜନରେ ୧୦% ଲୋକ ବିଦ୍ୟୁତ ଚୋରି କରିବା ଯୋଗୁଁ ୯୦% ଉପଭୋକ୍ତା ଗୁଣାତ୍ମକ ବିଦ୍ୟୁତସେବା ପାଇପାରୁନାହାନ୍ତି। ଏଣିକି ଏସବୁ ବିଦ୍ୟୁତ ଚୋରିକୁ ବନ୍ଦ କରିବାକୁ ନିୟମିତ ଚଢ଼ଉ କରାଯିବ। ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କ ଘରକୁ ଯାଇ ଯାଞ୍ଚ ଟିମ୍ ମିଟର ଟାମ୍ପରିଂ କିମ୍ବା ବେଆଇନ ବିଦ୍ୟୁତ ବ୍ୟବହାର ନେଇ ଯାଞ୍ଚ କରିବେ। ବିଦ୍ୟୁତ ଚୋରି ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ, ଲୋ-ଭୋଲଟେଜ୍ ସମସ୍ୟ ଲାଗିରହୁଛି। ବିଶେଷକରି ପୂଜା ଆସୁଥିବାରୁ ଏଭଳି ଚୋରି ବ୍ୟାପକ ହେବା ଆଶଙ୍କା ରହିଛି। ତେଣୁ ଏବେଠୁ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ବୋଥ୍ରା କହିଥିଲେ ସେସୁ ଡିଭିଜନରେ ଥିବା ମୋଟ ୨୭ ଲକ୍ଷ ଉପଭୋକ୍ତା ଅଛନ୍ତି। ସେମାନଙ୍କ ଭିତରୁ ବ୍ୟବସାୟିକ ଉପଭୋକ୍ତାଙ୍କଠାରୁ ଘରୋଇ ଉପଭୋକ୍ତାମାନେ ବେଶୀ ବିଦ୍ୟୁତ ଚୋରି କରୁଥିବା ନେଇ ଅଭିଯୋଗ ଆସୁଛି। ଯାହାଯୋଗୁଁ ବିଦ୍ୟୁତ ପରିବହନ ଓ ବଣ୍ଟନଜନିତ କ୍ଷତି (ଏଟିସି) ୩୦%ରେ ପହଞ୍ଚିଲାଣି। ଲୋକଙ୍କୁ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟୁତ ଚୋରି ଅଭିଯୋଗରେ ଗତଦୁଇଦିନ ଧରି ଢେଙ୍କାନାଳ ଓ କଟକ ସାଲେପୁରରେ ଦୁଇଟି ମାମଲା ଦାୟର କରାଯାଇଛି ବୋଲି ଶ୍ରୀ ବୋଥ୍ରା କହିଥିଲେ। ପରଜଙ୍ଗରେ କମର୍ସିଆଲ ଉପଭୋକ୍ତାଙ୍କୁ ୪୬ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିବାବେଳେ ସାଲେପୁରରେ ଜଣେ ଘରୋଇ ଉପଭୋକ୍ତା ବିଦ୍ୟୁତ ଚୋରି କରିଥିବା ମାମଲାରେ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଦ୍ୟୁତ ଚୋରଙ୍କୁ ଧିରିବା ପାଇଁ ସେସୁକୁ ପ୍ରାକ୍ ସୂଚନା ପ୍ରଦାନ କଲେ ସୂଚନା ପ୍ରଦାନକାରୀଙ୍କୁ ନାମ ଗୋପନ ରଖାଯିବା ସହ ଜରିମାନା ଅର୍ଥର ୧୦% ଅର୍ଥ ସମ୍ପୃକ୍ତ ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ। ପୂର୍ବରୁ ଏହି ବ୍ୟବସ୍ଥା ଥିଲେ ବି ଏଣିକି କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ବିଦ୍ୟୁତ ଉପଭୋକ୍ତାଙ୍କ ମିଟର ରିଡିଂ, ବିଦ୍ୟୁତ ବିଲ ଆଦାୟ ଓ ଇ-ପେମେଣ୍ଟ ବ୍ୟବସ୍ଥାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନିୟୋଜିତ କରାଯିବ। ଏଥିପାଇଁ ସେମାନଙ୍କୁ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହାସହିତ ସେସୁର ସୋସିଆଲ ମିଡିଆରେ ଅଭିଯୋଗ ଦାଖଲ କରିବାକୁ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଚୋରି ରୋକିବାକୁ ନେଇ ସରକାରଙ୍କ ପଦକ୍ଷେପ ନୂଆ ନୁହେଁ। ବିଦ୍ୟୁତ ଚୋରି ରୋକିବାକୁ ସରକାର ବିଦ୍ୟୁତ ଥାନା ଖୋଲିଥିଲେ। କିନ୍ତୁ ସେଥିରେ ସଫଳତା ପାଇଲେନି। ବିଦ୍ୟୁତ ବଣ୍ଟନ କମ୍ପାନୀମାନେ ପ୍ରତିବର୍ଷ ୨% ହାରରେ ଏଟିସି କ୍ଷତି କମାଇବାକୁ ଓଇଆରସି ପାଖରେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କାର୍ଯ୍ୟକାରି କରିପାରିନାହାନ୍ତି। ବିଦ୍ୟୁତ ଚୋରି ରୋକିବାକୁ ସରକାରଙ୍କ ଏବର ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିନି ବିଦ୍ୟୁତ ଉପଭୋକ୍ତା ସଂଘ। ସଂଘ ସଭାପତି ରମେଶ ଶତପଥୀ ଅଭିଯୋଗ କରି କହିଛନ୍ତି, ୨୦୧୬ରେ ଓଇଆରସିଙ୍କ ଅଡିଟ ରିପୋର୍ଟରେ ଦର୍ଶାଯାଇଥିଲା ୫୦ ହଜାର ଟଙ୍କାରୁ ଅଧିକ ଓ କମ୍ ବିଲ ପଇଠ କରି ନଥିବା ଉପଭୋକ୍ତାଙ୍କ ଉପରେ ୮୮୩ କୋଟି ୬୨ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲା। ସେଥିରୁ ୫୦ ହଜାର ଟଙ୍କାର ଅଧିକ ଅନାଦେୟ ବିଲ ବାବଦରେ ୧୨୧ କୋଟି ୮୧ ଲକ୍ଷ ଟଙ୍କା ଉପରେ ମାମଲା ହୋଇଛି। ୫୦ ହଜାର ଟଙ୍କାରୁ କମ ଅନାଦେୟ ବିଲ ଥିବା ପ୍ରାୟ ୭୦୦ କୋଟି ଟଙ୍କା ବିଭାଗ ଆଦାୟ କରିପାରିନି। ଏ ନେଇ କାହାକୁ ଉତ୍ତରଦାୟୀ ମଧ୍ୟ କରାଯାଉନି। ବର୍ଷକୁ ୧ ପ୍ରତିଶତ ଏଟିସି କ୍ଷତି କମାଇପାରିଥିଲେ ସେସୁକୁ ୪୫ କୋଟି ଟଙ୍କା ମିଳିପାରିଥାନ୍ତା। ଦୀର୍ଘ ୨୦ ବର୍ଷ ଧରି ବିଦ୍ୟୁତ ସଂସ୍କାର ନାଁରେ କିଛି ବି କାର୍ଯ୍ୟ ହୋଇନି। ଶ୍ରୀ ଶତପଥୀ କହିଥିଲେ ରାଜ୍ୟରେ ସେସୁ ଡିଭିଜନରେ ଏବେ ମୋଟ ୨୬ ଲକ୍ଷ ୪୬ ହଜାର ୪୫୬ ଜଣ ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ଭିତରୁ ୨୧ ଲକ୍ଷ ୮୩ ହଜାର ୬୭୬ ଜଣ ଉପଭୋକ୍ତାଙ୍କ ମିଟର ଠିକ ଥିବାବେଳେ ୧ ଲକ୍ଷ ୯୬ ହଜାର ୪୨୬ଟି ମିଟର ଖରାପ। ପ୍ରାୟ ୨ ଲକ୍ଷ ଉପଭୋକ୍ତାଙ୍କ ଘରେ ଆଦୌ ମିଟର ଲାଗିନାହିଁ। ସେହିପରି ୮ ହଜାର ଥ୍ରୀ-ଫେଜ୍ ଉପଭୋକ୍ତାଙ୍କ ମିଟର ନଥିବାବେଳେ ୫ ହଜାର ୪୭୫ ଜଣ ଉପଭୋକ୍ତାଙ୍କର ମିଟର କାମ କରୁନି ବୋଲି ଶ୍ରୀ ଶତପଥୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର