ବାଘ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଭାଉଜ-ଦିଅର

ରାଇରଙ୍ଗପୁର: ବାଘ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ଦିଅର ଭାଉଜ। ଏହିପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନ ତାରଣା ଗ୍ରାମଠାରେ ଦେଖିବାକୁ ମିଳିଛି। ସୂଚନା ଥାଉକି, ଉକ୍ତ ଗ୍ରାମରେ ରହୁଥିବା ମାଇନ ହାଁସଦା (୪୭) ଗତକାଲି ନିଜ ଘରେ ଶୋଇଥିବା ସମୟରେ ରାତ୍ରି ପ୍ରାୟ ୨ ଘଟିକା ସମୟରେ ପରିଶ୍ରା ନିମନ୍ତେ ବାହାରକୁ ଉଠିଥିଲେ।

ତେବେ,ଠିକ ଏହି ସମୟରେ ମାଇନକୁ ଏକ କଲରା ପତରିଆ ବାଘ ଝାମ୍ପିବା ଫଳରେ ମାଇନ ଭୟରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଘରେ ଶୋଇଥିବା ମାଇନଙ୍କ ଦିଅର ସମାଏ ହାଁସଦା (୪୨) ବାଘକୁ ଘଉଡାଇବା ପାଇଁ ପ୍ରୟାସ କରିଥିଲେ ମାତ୍ର ବାଘଟି ଓଲଟା ସମାଏକୁ ଆକ୍ରମଣ କରି ସମାଏଙ୍କ ହାତ ଆଙ୍ଗୁଳିକୁ କାମୁଡି ଗଭୀର ଆଘାତ ପହଞ୍ଚାଇଥିଲା।

ଉଭୟଙ୍କ ଚିତ୍କାର ଶୁଣି ସ୍ଥାନୀୟ ପଡୋଶୀ ଘଟଣା ସ୍ଥଳକୁ ଦୌଡ଼ି ଆସିବା କାରଣରୁ ବାଘ ଗ୍ରାମ ନିକଟସ୍ଥ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପଳାଇଥିଲା।ପରେ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ମାଇନ ଓ ସମାଏ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ଏହି ବିଷୟରେ ଖବର ପାଇ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କ ନେତୃତ୍ୱରେ ବନ ବିଭାଗ ଟିମ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର