ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ଦେହାନ୍ତ, ଲୋକସଭାକୁ ୫ଥର ହୋଇଥିଲେ ନିର୍ବାଚିତ

ଭୁବନେଶ୍ବର/ଯାଜପୁର/ଦଶରଥପୁର: ପୂର୍ବତନ ଲୋକସଭା ସାଂସଦ ଅନାଦି ଚରଣ ଦାସଙ୍କ ଆଜି ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମର ଶରୀର ଉପରେ ହାତ ଚିହ୍ନ ପତାକା ପକାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ସୂଚନାଯୋଗ୍ୟ ସ୍ବର୍ଗତ ଅନାଦି ଦାସ ଯାଜପୁର ଲୋକସଭା ଆସନରୁ ୫ ଥର ନିର୍ବାଚିତ ହୋଇଥିଲେ। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଭିପି ସିଂହ, ଚନ୍ଦ୍ରଶେଖର ଓ ପିଭି ନରସିଂହ ରାଓଙ୍କ ସମୟରେ ଶ୍ରୀ ଦାସ ଯାଜପୁରରୁ ସାଂସଦ ହୋଇ ସଂସଦରେ ପ୍ରତିନିଧିତ୍ବ କରିଥିଲେ। ସେ କଂଗ୍ରେସ ଟିକେଟରେ ୧୯୭୧, ୧୯୮୦ ଏବଂ ୧୯୮୪ ମସିହାରେ ନିର୍ବାଚିତ ହୋଇଥିଲେ। ସେହିପରି ଜନତା ଦଳ ଟିକେଟରେ ୧୯୮୯ ଓ ୧୯୯୧ ମସିହାରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।

ପୂର୍ବତନ ସାଂସଦ ଅନାଦି ଚରଣ ଦାସ ଅବିଭକ୍ତ କଟକ ଜିଲ୍ଲା ବିଜିପୁରରେ ୧୯୩୫ ମସିହା ଜାନୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ନେତ୍ରମଣୀ ଦାସଙ୍କୁ ବିବାହ କରିଥିଲେ। ତାଙ୍କର ୪ ପୁଅ ଓ ଏକ ଝିଅ। ରାଜନୀତି ବ୍ୟତୀତ ସମାଜ ସେବାକୁ ସେ ଭଲ ପାଉଥିଲେ। ସେ ଦୀର୍ଘ ଦିନରୁ ମଧୁମେହ ରୋଗରେ ପୀଡିତ ଥିଲେ। ଗତବର୍ଷ ଅଗଷ୍ଟ ମାସରେ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ତାଙ୍କର ଛାତିରେ ଅସ୍ତ୍ରୋପଚାର କରି ପେସମେକର ଲଗାଯାଇଥିଲା।

ସ୍ୱର୍ଗତ ଦାସ ଜଣେ ଗାନ୍ଧିବାଦୀ ନେତା ଭାବେ ବେସ ଜଣାଶୁଣା ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଖୁବ ନିକଟତର ଥିଲେ । ଭୂଦାନ ଆନ୍ଦୋଳନର ନେତୃତ୍ୱ ନେଇ କାର୍ଯ୍ୟକରୁଥିବାବେଳେ ପରବର୍ତ୍ତୀ ସମୟରେ ରାଜନୀତିକୁ ଆସିଥିଲେ। ସେ ରାଷ୍ଟ୍ରୀୟ ଆଦିବାସୀ ଏବଂ ହରିଜନ କଲ୍ୟାଣ ବୋର୍ଡର ଚେୟାରମ୍ୟାନ ହୋଇଥିଲେ। ତାଙ୍କର ୪ ପୁଅ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ହେମନ୍ତ ତାଙ୍କ ନିକଟରେ ରହି ଚିକିତ୍ସା କରାଉଥିଲେ। ଗତ ଫ୍ରେବ୍ରୁଆରି ୪ ତାରିଖ ଦିନ ତାଙ୍କ ପୁଅ ତଥା ପୂର୍ବତନ ବିଝାରପୁର ବିଧାୟକ ଅର୍ଜ୍ଜୁନୀ ଚରଣ ଦାସ ଏକ ସଡକ ଦୃଘଟଣାରେ ମୃତ୍ୟୁବରଣ କରିଥିଲେ। ସେ ସାଂସଦ ଥିବା ସମୟରେ ଟେଲିକମ ଏବଂ ପୋଷ୍ଟାଲ କ୍ଷେତ୍ରରେ ଅଂଚଳରେ କିପରି କାର୍ଯ୍ୟକାରୀ ହେବ ଏବଂ ଅଂଚଳର ଲୋକମାନଙ୍କୁ ନିଯୁକ୍ତି ଦେବେ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଯାଜପୁରଟାଉନସ୍ଥ ଜଗନ୍ନାଥ ମନ୍ଦିର, ବରାହ ମନ୍ଦିର, ବୀରଜା ମନ୍ଦିର, ତ୍ରିଲୋଚନଶ୍ୱର ମନ୍ଦିର, ଅଠରନଳା, ଶୁଭସ୍ତମ୍ବ ସମେତ ବହୁ ଶିକ୍ଷାନୁଷ୍ଠାନର ଉନ୍ନତି ଦିଗରେ କାର୍ଯ୍ୟ କରିଥିଲେ।

ଏହାଛଡା ଯାଜପୁର ରୋଡ ରେଲୱେ ଓଭରବ୍ରିଜ ତାଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ଦଳିତ ବ୍ୟକ୍ତି ହୋଇଥିବାରୁ ଦଳିତମାନଙ୍କ ନ୍ୟାୟ ପାଇଁ ସବୁଠି ପହଂଚିଯାଉଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ୱରରୁ ତାଙ୍କ ପାର୍ଥିବ ଶରୀର ଯାଜପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆସନ୍ତାକାଲି (ଶନିବାର) ସକାଳେ ତାଙ୍କର ଶେଷକୃତ୍ୟ ସମାପନ କରାଯିବ ବୋଲି ପୁଅ ହେମନ୍ତ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅଂଚଳ ଦାସ, ଜିଲ୍ଲା ସଭାପତି ମନୋଜ ରାଉତ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ସଭାପତି ଶିଶିର ନାୟକ, ସନ୍ତୋଷ ନନ୍ଦ, କନକଲତା ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଶ୍ୟାମସୁନ୍ଦର କର, ପିସିସି ସଭ୍ୟ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଶୋକ ପ୍ରକଟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର