ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ଟଙ୍କା ଦେବି, କେମିତି ପଠାଇବି କୁହ, ଜେଲରୁ ଚିଠି ଲେଖିଲା ମହାଠକ ସୁକେଶ

ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ୧୦ କୋଟି ଟଙ୍କା ଦାନ ଗ୍ରହଣ କରିବାକୁ ଅନୁରୋଧ କରିଛି । ଜୁନ୍ ୨ରେ ଘଟିଥିବା ଦୁର୍ଘଟଣାରେ ୨୯୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଦିନ ଲେଖାଯାଇଥିବା ଚିଠିରେ ସୁକେଶ ଲେଖିଛି ଯେ ଏହି ଅର୍ଥ ରାଶି ସେ ନିଜ ରୋଜଗାରରୁ ଦେବ ଓ ୧୦ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ସହିତ ରିଟର୍ନ ଦାଖଲ ଏବଂ ଅନ୍ୟାନ୍ୟ ଦଲିଲ ମଧ୍ୟ ଦେବ । ନିଜ ଓକିଲଙ୍କ ମାଧ୍ୟମରେ ପଠାଇଥିବା ଚିଠିରେ ସୁକେଶ ଲେଖିଛି ଯେ ବାହାନଗା ରେଳ ଦୁର୍ଘଟଣା ମୋତେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଗତ କିଛି ଦିନ ହେବ ମୋତେ କିଛି ଭଲ ଲାଗୁନାହିଁ | ଯେଉଁମାନଙ୍କର ସମ୍ପର୍କୀୟମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ |

ସେ ଲେଖିଛି ଯେ କେନ୍ଦ୍ର ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି, ମୁଁ ଜଣେ ଦାୟିତ୍ୱବାନ ନାଗରିକ ଭାବରେ, ବିଶେଷ କରି ଯେଉଁ ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ଘରର ପିଲାମାନଙ୍କ ଭବିଷ୍ୟତ ପାଇଁ ୧୦ କୋଟି ଟଙ୍କା ଦେବାକୁ ଚାଁହୁଛି | ଏହି ଅର୍ଥ ମୃତକଙ୍କ ପରିବାରର ପିଲାମାନଙ୍କର ପାଠପଢା ପାଇଁ ଖର୍ଚ୍ଚ ହେବ | ଡିମାଣ୍ଡ ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ସେ ସମ୍ପୃକ୍ତ ବିଭାଗର ନାମ ଏବଂ ରେଳ ମନ୍ତ୍ରୀଙ୍କ ଠାରୁ ଅନ୍ୟାନ୍ୟ ସୂଚନା ମାଗିଛି ଯାହା ଦ୍ୱାରା ଯଥାଶୀଘ୍ର ଏହି ଡ୍ରାଫ୍ଟ କରି ପଠାଯାଇପାରିବ |

ଏହି ପତ୍ରରେ ସୁକେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ରିଲିଫ କାର୍ଯ୍ୟକୁ ପ୍ରଶଂସା କରିଛି । ଉଲ୍ଲେଖ ଥାଉ କି ଯେ ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣା ହୋଇଥିଲା | ଏଥିରେ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା | କରମଣ୍ଡଳ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହୋଇ ଧାରଣାରେ ପଡିଥିବାବେଳେ ଏହାକୁ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଧକ୍କା ଦେଇଥିଲା |

ସମ୍ବନ୍ଧିତ ଖବର