ରାଜ୍ୟରେ କମିଲା ଚକ୍ଷୁ ପରୀକ୍ଷା

ଆହୁରି ୭ ଜିଲ୍ଲାରେ ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ଚକ୍ଷୁ ପରୀକ୍ଷା ହ୍ରାସ ପାଇଛି। ରାଜ୍ୟ ସରକାରଙ୍କ ‘ସୁନେତ୍ର’ ଯୋଜନାରେ ମୋବାଇଲ ଭିଜନ ସେଣ୍ଟର ଓ ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର ଜରିଆରେ ଛାତ୍ରଛାତ୍ରୀ ଓ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି। ମାତ୍ର କରୋନା ମହାମାରୀ ଏଥିରେ ବାଧକ ସାଜିଛି। ରାଜ୍ୟରେ ଚକ୍ଷୁ ଚିକିତ୍ସା ହାର ହ୍ରାସ ପାଇଥିବା ସରକାରୀ ଭାବେ କୁହାଯାଇଛି।

ରାଜ୍ୟ ସରକାର ‘ସୁନେତ୍ର’ ଯୋଜନାରେ ୨୦୨୨ ସୁଦ୍ଧା ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ତେବେ ରାଜ୍ୟରେ ଚକ୍ଷୁ ପରୀକ୍ଷା ହ୍ରାସ ପାଇବା ଯୋଗୁଁ ଆସନ୍ତାବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସୁନେତ୍ର’ ଯୋଜନାରେ ମୋବାଇଲ ଭିଜନ ସେଣ୍ଟର, ନିର୍ଧାରିତ ଭିଜନ ସେଣ୍ଟର ଓ ମଡ୍ୟୁଲାର ଓଟି ଜରିଆରେ ଚକ୍ଷୁର ଚିକିତ୍ସା କରାଯାଉଥିବା ନେଇ ଆଲୋଚନା ହୋଇଥିଲା। ୨୦୧୮/୧୯ରେ ଚକ୍ଷୁ ପରୀକ୍ଷା କରାଯାଇ ୧୧ହଜାରରୁ ଅଧିକ ଚଷମା ବଣ୍ଟନ କରାଯାଇଥିଲା। ୨୦୧୯/୨୦ରେ ୫୧ଲକ୍ଷରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୪୪ହଜାରରୁ ଅଧିକ ଚଷମା ବଣ୍ଟନ ହୋଇଥିଲା। ମାତ୍ର ୨୦୨୦/୨୧ବର୍ଷରେ କୋଭିଡ୍‌ କଟକଣା ଓ ସ୍କୁଲ ବନ୍ଦ ରହିବା କାରଣରୁ ଚକ୍ଷୁ ପରୀକ୍ଷା ସମ୍ଭବ ହୋଇପାରି ନାହିଁ।

ସେହିପରି ଗତବର୍ଷ ଡିସେମ୍ବର ସୁଦ୍ଧା ୨୦ଟି ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ଚଳିତବର୍ଷ ମାର୍ଚ ସୁଦ୍ଧା ଏହାକୁ ଅନୁଗୁଳ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୧/୨୨ରେ ବାଲେଶ୍ବର, ବୌଦ୍ଧ, କଟକ, ପୁରୀ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରିବ। ୨୦୧୯/୨୦ ବର୍ଷରେ ଏହା ଜରିଆରେ ୨୯ହଜାରରୁ ଅଧିକ ଚକ୍ଷୁ ପରୀକ୍ଷା ହୋଇଥିଲା। ୨୦୨୦/୨୧ ଡିସେମ୍ବର ସୁଦ୍ଧା ମାତ୍ର ୩ହଜାର ଚକ୍ଷୁ ଚିକିତ୍ସା ସମ୍ଭବ ହୋଇଥିବା କୁହାଯାଇଛି। ସେହିପରି ରାଜ୍ୟ ଔଷଧ ନିଗମ ପକ୍ଷରୁ ୫୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ଚଳିତବର୍ଷ ମାର୍ଚ ସୁଦ୍ଧା ରାଜ୍ୟର ଶହେଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୨୦୨୧ସୁଦ୍ଧା ଅଧିକ ୧୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସମସ୍ତ ଯନ୍ତ୍ରାପତି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ଫଣ୍ଡସ୍ କ୍ୟାମେରା ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାର ସଦର ମହକୁମା ହସ୍ପିଟାଲରେ ୨୦୧୯/୨୦ ସୁଦ୍ଧା ୩ଲକ୍ଷରୁ ଅଧିକ, ୨୦୨୦/୨୧ରେ ୨ଲକ୍ଷ ୫୦ହଜାରରୁ ଅଧିକ ଚକ୍ଷୁ ପରୀକ୍ଷା କରାଯାଇଥିବା ବୈଠକରେ କୁହାଯାଇଥିଲା।

ସମୀକ୍ଷା ବୈଠକରେ ରାଜ୍ୟ ଔଷଧ ନିଗମର ପରିଚାନଳା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଡିଏମ୍‌ଇଟି ପ୍ରଫେସର ଡା.ସି‌ବିକେ ମହାନ୍ତି, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର