ଲକ୍‌ଡାଉନ୍‌ରେ ଉଜୁଡ଼ିଗଲା ସଂସାର, ଦାରିଦ୍ର୍ୟ ଓ ରୋଗର ତାଡ଼ନାରେ ଆଖି ବୁଜିଲେ ମହିଳା

୪ ସନ୍ତାନ ଏବେ ମା’ ଛେଉଣ୍ଡ

ଝାରସୁଗୁଡ଼ା: ରାତି ମାଡ଼ି ଆସୁଛି। କରୋନା କଟକଣା ଯୋଗୁଁ ହସ୍‌ପିଟାଲ୍‌ରେ ଲୋକଙ୍କ ଗହଳି ନାହିଁ। ୱାର୍ଡରେ ମଧ୍ୟ ବିଶେଷ ରୋଗୀ ନାହାନ୍ତି। ଏଭଳି ଏକ ସମୟରେ ଶଯ୍ୟା ଉପରେ ପଡ଼ିଥାଏ ଜଣେ ମହିଳାଙ୍କ ମୃତଦେହ। ବେଞ୍ଚ୍‌ ଉପରେ ବସିଥାନ୍ତି ୪ ନିଷ୍ପାପ ଶିଶୁ। ସମସ୍ତେ ନିର୍ବାକ। ଅପଲକ ନୟନରେ ଚାହିଁ ରହିଛନ୍ତି ମୃତ ମା’ର ଶବକୁ। ଜାଣି ପାରୁ ନାହାନ୍ତି, ତାଙ୍କ ମା ଆଉ ଏ ଦୁନିଆରେ ନାହିଁ। ପାଖରେ ଛିଡ଼ା ହୋଇଥିବା ମହିଳାଙ୍କ ସ୍ବାମୀ ମଧ୍ୟ କିଛି କହିବା ଅବସ୍ଥାରେ ନାହାନ୍ତି। ଏହି ଶିଶୁମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ପୁଅର ବୟସ ୧୦ ବର୍ଷ। ତା’ କୋଳରେ ଜୁଳୁଜୁଳ ଚାହିଁଛି ଦେଢ଼ ମାସର ସବା ସାନ ଭଉଣୀ। ଭୋକରେ ଶିଶୁକନ୍ୟାଟି କାନ୍ଦୁଥିବା ବେଳେ ସେ ତାକୁ ଚୁପ୍‌ କରିବାକୁ ଚେଷ୍ଟା କରୁଛି। ତା’ପାଖକୁ ଲାଗି ବସିଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା ଓ ୪ ବର୍ଷର ଶିଶୁ ପୁତ୍ର। ଏଭଳି ଏକ କରୁଣ ଚିତ୍ର ଦେଖି ଯାହାର ହେଲେ ବି ମନ ତରଳି ଯିବା ନିଶ୍ଚିତ। ଏହି ଶିଶୁମାନଙ୍କୁ କିଛି କିଛି ଖାଦ୍ୟ ଓ କୋଳରେ ଥିବା ଦେଢ଼ ମାସର ଛୁଆକୁ ସେଠାରେ କେହି କେହି କ୍ଷୀର ଦେଇ ଶାନ୍ତ କରୁଥିବା ଦେଖା ଯାଇଥିଲା। ଗୋଟିଏ ପଟେ ସ୍ତ୍ରୀଙ୍କ ମୃତ୍ୟୁ ଓ ଅନ୍ୟପଟେ ତାଙ୍କ ୪ଟି ସନ୍ତାନଙ୍କୁ ଏକୁଟିଆ ସମ୍ଭାଳିବା ଧୈର୍ଯ୍ୟ ଓ ସାହସ ପିତା ସୁନିଲ ପାଣ୍ଡେଙ୍କର ନଥିଲା।

ସୁନିଲ ହେଉଛନ୍ତି ଜଣେ ଦିନ ମଜୁରିଆ। ଘର ତାଙ୍କର ଉତ୍ତରପ୍ରଦେଶର ବଳିଆ ଗ୍ରାମରେ। ପେଟ ପାଇଁ ସେ ବନ୍ଧବାହାଲ ଗ୍ରାମରେ ଏକ ଭଡ଼ାଘରେ ରହି କୋଇଲା ଖଣିର ଠିକା କମ୍ପାନିରେ କାମ କରୁଥିଲେ। ଏହି କମ୍ପାନି ଚାଲିଗଲା ପରେ ସେ ଅନ୍ୟ ଏକ କମ୍ପାନିରେ କାମ ଖୋଜୁଥିଲେ। ଏଥି ମଧ୍ୟରେ ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ ହୋଇ ଯାଇଥିଲା। ସେ କାମ ପାଇ ନଥିଲେ। ଏପଟେ ସ୍ତ୍ରୀ ଶୋଭା ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇ ପଡ଼ିଥିଲେ। ଦାରିଦ୍ର୍ୟ ଓ ରୋଗ ଉଭୟ ସହିତ ଲଢ଼େଇ କରିବା ବେଳେ ଛୋଟ ଛୁଆମାନଙ୍କ ମୁହଁରେ ଆହାର ଦେବାରେ ସଂପୂର୍ଣ୍ଣ ଅକ୍ଷମ ହୋଇ ପଡ଼ିଥିଲେ ସୁନିଲ। ଏଠାରେ ତାଙ୍କର ଆଉ କେହି ସଂପର୍କୀୟ ବି ନାହାନ୍ତି। ଗତ ୩ ତାରିଖ ଦିନ ସ୍ତ୍ରୀ ଶୋଭା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ ଏକ ଆମ୍ବୁଲାନ୍‌ସରେ ୪ ସନ୍ତାନକୁ ସାଙ୍ଗରେ ଧରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏଭଳି ଏକ ହୃଦୟବିଦାରକ ଘଟଣା ସଂପର୍କରେ ଖବର ପାଇ ସହାୟତାର ହାତ ବଢ଼ାଇଥିଲା ଝାରସୁଗୁଡ଼ା ମାନବ ସେବା ସଂଘ। ସଭାପତି ସୁବାସ ସାହାରେଙ୍କ ନେତୃତ୍ବରେ ମଙ୍ଗଳବାର ମୃତ ମହିଳାଙ୍କ ଶବକୁ ସଂପୂର୍ଣ୍ଣ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ରମେଶ ଗାନ୍ଧୀ, ଜେ.କେ.ସିଂହ, ଅଜୁ ବାରିକ, ମାନସ ସିହ୍ନା, ବୁଣ୍ଟି ଶ୍ରୀୱାସ, ସୋଫିଆ ମିଞ୍ଜ, ସରୋଜ ସିଂହ, ସନ୍ତୁକୋ ବେହେରା ଏବଂ ମୃତ ମହିଳାଙ୍କ ସ୍ବାମୀ ସୁନିଲ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସୁନିଲଙ୍କ ମା’ ଛେଉଣ୍ଡ ୪ ଶିଶୁଙ୍କ ସେବା ଯତ୍ନ କରିବା ପାଇଁ ଝାରସୁଗୁଡ଼ା ଚାଇଲ୍‌ଡଲାଇନ୍‌ ଆଗେଇ ଆସିଥିଲା। ଖବର ପାଇ ସଂଯୋଜକ ଆଶିଷ ପଣ୍ଡା ହସ୍‌ପିଟାଲରେ ପହଞ୍ଚି ଏହି ଅସହାୟ ଶିଶୁମାନଙ୍କୁ ରାତିରେ ରହିବାର ବ୍ୟବସ୍ଥା କରିଥିଲେ। ସକାଳେ ଶ୍ରୀ ପଣ୍ଡା, ଚାଇଲ୍‌ଡଲାଇନ୍‌ ସଦସ୍ୟା ଟିକେଶ୍ବରୀ ପଟେଲ, ଝରଣା ଦୀପ ପ୍ରମୁଖ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସିରେ ଉପସ୍ଥାପନ କରିଥିଲେ। ସିଡବ୍ଲୁସି ନିର୍ଦ୍ଦେଶ ଅନୁସାରେ ଦେଢ଼ ମାସର ଶିଶୁ କନ୍ୟାକୁ ବ୍ରଜରାଜନଗରଠାରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିଲା। ଅନ୍ୟ ତିନି ଜଣଙ୍କୁ ବେଲପାହାଡ଼ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇ ତାଙ୍କର ସେବା ଯତ୍ନର ଦାୟିତ୍ବ ଦିଆଯାଇଛି। ଲକ୍‌ଡାଉନ୍‌ ପରେ ଶିଶୁମାନଙ୍କୁ ତାଙ୍କ ଘରକୁ ଫେରେଇ ନେବେ ବୋଲି ସୁନିଲ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର