ସାର ପାଇଁ ତାତିଲେ ଚାଷୀ, ଉମରକୋଟ୍‌ରେ ବିସ୍ଫୋରକ ପରିସ୍ଥିତି

ରାସ୍ତା ଅବରୋଧ, ପୁଲିସ ସହ ଧସ୍ତାଧସ୍ତି, କୃଷି ଅଧିକାରୀଙ୍କୁ ଚଲାଇ ଚଲାଇ ନେଲେ

ଉମରକୋଟ: ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଟ ସାର ଅଭାବ ଦେଖିବାକୁ ମିଳୁଛି। ଏ ନେଇ ଚାଷୀଙ୍କ ଅସନ୍ତୋଷ ଲାଗିଥିରହିଥିବା ବେଳେ ନବରଙ୍ଗପୁରର ଉମରକୋଟ ସହରରେ ଆଜି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ଚାଷୀ ଆଜି ରାସ୍ତାକୁ ଓହ୍ଲାଇ ଆସିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଉତ୍ତ୍ୟକ୍ତ ଚାଷୀ କୃଷି ଅଧିକାରୀଙ୍କୁ ବନ୍ଧକ ରଖିବା ସହ ପୂରା ସହର ପାଦରେ ଚଲାଇଥିଲେ। ବିଭିନ୍ନ ସ୍ଥାନରେ ଚାଷୀ ରାସ୍ତା ଅବରୋଧ କରି ରଖିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ହସ୍ତକ୍ଷେପ କରିବାରୁ ଧସ୍ତାଧସ୍ତି ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ କ୍ବିଣ୍ଟାଲ ଲେଖାଏଁ ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ସ୍ବାଭାବିକ ହୋଇଛି।

ସୂଚନା ଅନୁଯାୟୀ, ମାସେ ହେଲା ଉମରକୋଟ ଅଞ୍ଚଳରେ ସାର ଅଭାବ ଲାଗି ରହିଛି। ଚାଷୀ ବାରମ୍ବାର ସାର ପାଇଁ ଯୋଗାଯୋଗ କରୁଥିଲେ ବି ସନ୍ତୋଷଜନକ ଉତ୍ତର ମିଳୁ ନଥିଲା। ଏମିତି ସ୍ଥିତିରେ ଫସଲ ନଷ୍ଟ ହେବାର ଆଶଙ୍କା ହେବାରୁ ତାତି ଯାଇଥିଲେ ଚାଷୀ। ଅପରପକ୍ଷରେ କୃଷି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ସାର ଯୋଗାଇ ଦିଆଯିବ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ସାର ପହଞ୍ଚି ଯିବାରୁ ବଣ୍ଟନ ଆରମ୍ଭ ହୋଇଥିଲା। ଏହି ଖବର ପାଇ ଆଜି ହଜାର ହଜାର ଚାଷୀ ଉମରକୋଟରେ ପହଞ୍ଚିଥିଲେ। ସାର ନ ଦେଲେ ଏଠାରୁ ଯିବେ ନାହିଁ ବୋଲି ଅଡ଼ି ବସିଥିଲେ। ମାତ୍ର ୨୪ଶହ ପ୍ୟାକେଟ ସାର ମହଜୁଦ ରହିଥିବା ବେଳେ ଯେତିକି ଚାଷୀ ଆସିଥିଲେ ସମସ୍ତଙ୍କୁ ଦେବା ସମ୍ଭବ ହୋଇ ନଥିଲା। ତେଣୁ ଦ୍ବନ୍ଦ୍ବରେ କୃଷି ବିଭାଗ ଅଧିକାରୀ ପଡ଼ି ଯାଇଥିଲେ। ସମୟକ୍ରମେ ସ୍ଥିତି ଅଧିକ ଜଟିଳ ହେବାରୁ ୨ହଜାରରୁ ଊର୍ଦ୍ଧ୍ବ ଚାଷୀ ସହରର ବିଭିନ୍ନ ଛକକୁ ଅବରୋଧ କରିବା ଆରମ୍ଭ କରିଥିଲେ। ଏପରିକି ସ୍ଥାନୀୟ ଦୋକାନ, ବଜାର ସହ ସରକାରୀ କାର୍ଯ୍ୟାଳୟକୁ ବି ବନ୍ଦ କରି ଦେଇଥିଲେ। ଏତିକିରେ ବି ଚାଷୀଙ୍କ ମନ ବୁଝି ନଥିଲା, ଉମରକୋଟ ବ୍ଲକ୍‌ କୃଷି ଅଧିକାରୀ ବିଧୁ ଭୂଷଣ ମହାକୁଲ ଏବଂ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କୁ ବହୁ ସମୟ ଧରି ବନ୍ଧକ କରି ରଖିଥିଲେ। ଏହାପରେ ମହିଳା ଚାଷୀ ଉଭୟ ଅଧିକାରୀଙ୍କୁ ଚାରି ପଟୁ ଘେରି ଯାଇ ପୂରା ସହର ଚଲାଇ ଚଲାଇ ବୁଲାଇଥିଲେ।

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ବାଧ୍ୟ ହୋଇ ପୁଲିସ ହସ୍ତକ୍ଷେପ କରିଥିଲା। ଯାହାକି ଚାଷୀଙ୍କୁ ଅଧିକ ତତାଇ ଦେଇଥିଲା। ଶେଷରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଚାଷୀଙ୍କୁ ଅଟକାଇବା ପାଇଁ ପୁଲିସ ଚେଷ୍ଟା କରିବାରୁ ଧସ୍ତାଧସ୍ତି ହୋଇଥିଲା। ତହସିଲଦାର ଡ. ହିମାଚଳ ମାଝୀ, ପୁଲିସ ଏସ୍‌ଡିପିଓ ଦିନେଶ ଚନ୍ଦ୍ର ନାୟକ ପ୍ରମୁଖ ଚାଷୀଙ୍କୁ ବୁଝାସୁଝା କରିଥିଲେ। ତଥାପି କୌଣସି ସୁଫଳ ମିଳି ନଥିବା ବେଳେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ସଂଧ୍ୟା ପ୍ରାୟ ୫ଟାରେ ଖବର ପାଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ତପନ କୁମାର ଦେବନାଥ ପ୍ରମୁଖ ପହଞ୍ଚିଥିଲେ। କୃଷି ଅଧିକାରୀଙ୍କୁ ଡକାଇ କେତେ ପରିମାଣରେ ସାର ଗଚ୍ଛିତ ଅଛି ପଚାରି ବୁଝିଥିଲେ। ଉମରକୋଟ ଲ୍ୟାମ୍ପସରେ ଏକ ହଜାର ପ୍ୟାକେଟ୍‌ ଏବଂ ବେସରକାରୀ ଡିଲରଙ୍କ ପାଖରେ ୧୪ଶହ ପ୍ୟାକେଟ୍‌ ସାର ମହଜୁଦ ଥିବା କୃଷି ବିଭାଗ ଅଧିକାରୀ ଅବଗତ କରାଇଥିଲେ। ଏହାପରେ ଚାଷୀଙ୍କୁ ଡକାଇ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ କ୍ବିଣ୍ଟାଲ ଲେଖାଏଁ ସାର ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଏଥିରେ ଚାଷୀ ରାଜି ହୋଇଯିବାରୁ ସ୍ଥିତି ସ୍ବାଭାବିକ ହୋଇ ଡଙ୍ଗରିଗୁଡ଼ା ଓ ଲ୍ୟାମ୍ପସ ଠାରେ ସାର ବଣ୍ଟନ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର