ଦୁର୍ଘଟଣାରେ ୪ ମୃତ

ତୁମୁଡ଼ିବନ୍ଧ/ରାୟଗଡ଼ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମଣ୍ଡିଗଡ଼ ପଞ୍ଚାୟତ ଲଦର୍‌ଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଶେଷର ଗାଁର ଚମ୍ପାଳ ପାଟମାଝୀ ଓ ରିବିଶ ପାଟମାଝୀ। ନାଙ୍ଗୁ ମୁଠାମାଝୀ ଓ ମେଟଲା ପାଟମାଝୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।

ସୂଚନା ପ୍ରକାରେ କରୋନା ଟିକା ନେବା ଲାଗି ୪ଜଣ ଭଣ୍ଡରଙ୍ଗି ପଞ୍ଚାୟତରୁ ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ଆସିଥିଲେ। ଟିକା ନେଇସାରିବାପରେ ସେମାନେ ଚାଲି ଚାଲି ଭଣ୍ଡରଙ୍ଗିକୁ ଫେରୁଥିବା ସମୟରେ ହଠାତ୍ ପଛରୁ ଏକ ପିକ୍‌ଅପ୍‌ ଭ୍ୟାନ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଚମ୍ପାଳ ଓ ରିବିଶଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ନାଙ୍ଗୁ ଓ ମେଟଲା ଗୁରୁତର ହୋଇଥିଲେ। ସେମାନଙ୍କୁ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ପଠାଯାଇଛି।

ସେହିଭଳି, ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଡେଥ୍‌ଜୋନ୍ ମାର୍ଲବା ଘାଟିରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଦୁଇଭାଇଙ୍କ ଅକାଳ ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ମୃତକ ମାନେ ହେଲେ, ରାୟଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିର ମନୋଜ ସ୍ବାଲସିଂଙ୍କ ଦୁଇପୁଅ କ୍ଲିଣ୍ଟନ୍ (୨୨) ଓ ପ୍ରିୟତମ (୧୮)। ଉଭୟ କୌଣସି ଏକ କାମରେ ଖଜୁରୀପଦା ଯାଇ ନିଜ ଗ୍ରାମ ରାୟଗଡ଼କୁ ବାଇକ୍‌ରେ ଫେରୁଥିବା ବେଳେ ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ସାନଭାଇ ପ୍ରିୟତମର ମୃତ୍ୟୁ ହୋଇଥିବା ବେଳେ କ୍ଲିଣ୍ଟନଙ୍କୁ ଗୋଡ଼ା ଓ ମାର୍ଲବା ଗ୍ରାମର କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କ୍ଲିଣ୍ଟନ୍‌ଙ୍କୁ ଅଟୋ ଯୋଗେ ରାୟଗଡ଼ ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ କ୍ଲିଣ୍ଟନ୍‌ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ରାୟଗଡ଼ା ଥାନା ଏସ୍‌ଆଇ ସିନ୍ଧୁ ସାର୍‌କା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର