ବିସ୍ଥାପନ ପ୍ରକ୍ରିୟା ଉପରେ ସରକାରଙ୍କ ରୋକ୍: ସାତକୋ‌ଶିଆରୁ ହଟିବନି ଗାଁ

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଏହାର କୋର୍‌ ଅଞ୍ଚଳରୁ ଜନବସତି ହଟାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ଜୋର୍‌ କରି ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲା, ସେଥି‌ରେ ରୋକ୍‌ ଲାଗିଛି। ଏବେ ଅଭୟାରଣ୍ୟରୁ କୌଣସି ଗାଁ ହଟିବନି। ଏହା ସ‌ାତକୋଶିଆବାସୀଙ୍କୁ ଆଶ୍ବସ୍ତ କରିଥିଲା ବେଳେ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।

କିଛି ଦିନ ହେଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଏହାର କୋର୍‌ ଅଞ୍ଚଳର ଗାଁଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିସ୍ଥାପନ କରାଯାଉଥିଲା। ସରକାରୀ ଆଇନ ଓ ନୀତିକୁ ଭ୍ରୂକ୍ଷେପ ନ କରି ତରବରିଆ ଭାବେ ଏହି ବିସ୍ଥାପନ ଚାଲିଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଶୁଣି ନଥିଲା। ଏପଟେ ଏହି ଅଞ୍ଚଳରେ ବିକାଶମୂଳକ କାମ ଠପ୍‌ ହୋଇଯାଇଥିଲା। ଗାଁ ଉଠିବ ବୋଲି ଏଠାରେ କୌଣସି ଉନ୍ନୟନମୂଳକ କାମ ହେଉନଥିଲା। ଏହା ଭିତରେ ଅସନବାହାଳ, ଟୁଲୁକା, କଟରଙ୍ଗ ଓ ରାଇଗୋଡ଼ା ଗାଁକୁ ଅଭୟ୍ୟାରଣ୍ୟରୁ ବିସ୍ଥାପନ କରାଯାଇଛି। ଏଥିରେ ବନ ବିଭାଗ ଉତ୍ସାହିତ ହୋଇ କୋର୍‌ ଅଞ୍ଚଳ ଓ ଆଖପାଖରେ ଥିବା ଗାଁକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଏହାକୁ ବିଭିନ୍ନ ସ୍ତରରେ ଜୋରଦାର୍‌ ବିରୋଧ ସତ୍ତ୍ବେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ପୁରୁଣାକୋଟ୍, ଗୋପାଳପୁର, ଛୋଟକେଇ, ସାଲର, ଭୁର୍କୁଣ୍ଡି, ଟାକରସିଂହା, ଟିକରପଡ଼ା, ବଡ଼କ୍ଷେତା, ମଝିପଡ଼ା ପ୍ରଭୂତି ଗାଁ ବିସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହାକୁ ନେଇ ଏହି ଗାଁଗୁଡ଼ିକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରତି ଗାଁରେ ବିସ୍ଥାପନ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ସୃଷ୍ଟି ହୋଇଥିଲା। ଗାଁ ଉଠିବା ନେଇ ପ୍ରତି ଗାଁର ମୂଳ ପ୍ରଜା ଓ ଜମିବାଡ଼ି ରେକର୍ଡଧାରୀ ଗ୍ରାମବାସୀ ଆତଙ୍କିତ ଥିଲେ। ବନବିଭ‌ାଗର ପ୍ୟାକେଜ୍‌ରେ ସେମାନେ ସନ୍ତୁଷ୍ଟ ନ ଥିଲେ। ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବିନ‌ା ସେମାନେ ଭିଟାମାଟି ଛାଡ଼ିବେନି ବୋଲି ସିଧାସିଧା କହି ଦେଇଥିଲେ। ସାତକୋଶିଆ ଅଭୟ୍ୟାରଣ୍ୟରୁ ଗାଁ ହଟାଇବା ନିଷ୍ପତ୍ତି ବିରୋଧରେ ସ୍ଥାନୀୟ ପ୍ରଜା ଆନ୍ଦୋଳନ ପାଇଁ ସଜବାଜ ହେଉଥିଲା ବେଳେ ଏହାକୁ ନେଇ ବିଭିନ୍ନ ଫୋରମରେ ଅଭିଯୋଗ କରିଥିଲେ। ଏପରିକି ଏଥିନେଇ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ପାଖରେ ଯ‌ାଇ ଫେରାଦ ହୋଇଥିଲେ। ପରେ ଏ ସଂପର୍କରେ ସରକାରଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ। ଶେ‌ଷରେ ବିସ୍ଥାପନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଭୟ୍ୟାରଣ୍ୟ ଭିତରୁ ଗାଁଗୁଡ଼ିକୁ ହଟାଇବା ପାଇଁ ଯେଉଁ ପ୍ରକ୍ରିୟା ଚାଲିଥିଲା, ତାକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ କୌଣସି ଗାଁ ଉଠିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ପୂର୍ବପରି ଅଞ୍ଚଳରେ ବିକାଶମୂଳକ କାମ ଜାରି ରହିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ବିସ୍ଥାପନ ପ୍ରକ୍ରିୟା ବନ୍ଦ ହେବା ନେଇ ଜଣାପଡ଼ିବା ପରେ ସାତକୋଶିଆବାସୀଙ୍କ ମୁହଁରେ ହସ ଫେରିଛି। ବିସ୍ଥାପନ ଭୟରେ ଗାଁ ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଏବେ ସ୍ଥିତିରେ ସୁଧାର ଆସିବ ବୋଲି ଲୋକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର