ଅବସରପ୍ରାପ୍ତଙ୍କ କାନ୍ଧରେ ଉଚ୍ଚଶିକ୍ଷା ଭାର: ବିଶ୍ବବିଦ୍ୟାଳୟ, କଲେଜକୁ ଅତିଥି ଅଧ୍ୟାପକ ଭରସା

ଆଶାୟୀ ହାଉଯାଉ, ନୂଆ ନିଯୁକ୍ତି ନାହିଁ, ଅଣଶିକ୍ଷକ ନ ଥିବାରୁ ପ୍ରଭାବିତ ହେଉଛି ସରକାରୀ କାର୍ଯ୍ୟ

ଭୁବନେଶ୍ବର: ଚା’, ପାଣି ଯୋଗାଇବାକୁ ପିଅନ ନାହାନ୍ତି। କାର୍ଯ୍ୟାଳୟରେ ଝାଡ଼ୁ ମାରିବାକୁ ଝାଡ଼ୁଦାରଙ୍କ ଅଭାବ। ପାଠ ପଢ଼ାଇବାକୁ ପ୍ରଫେସର୍‌ ନାହାନ୍ତି କି ଫାଇଲ୍‌ କାମ କରିବାକୁ କର୍ମଚାରୀ ନାହାନ୍ତି। କେଉଁଠି ଲାଇବ୍ରେରିରେ ଲାଇବ୍ରେରିଆନ୍‌ ଅଭାବ ରହିଛି ତ ଆଉ କେଉଁଠି ପ୍ରାକ୍ଟିକାଲରେ ସହଯୋଗ କରିବାକୁ ଲାବରେଟୋରିଆନ୍‌ ନାହାନ୍ତି। ଏମିତି ନାହିଁ ନାହିଁରେ ଚାଲିଛି ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ। ଗୋଟିଏ କି ଦୁଇଟି କଲେଜ କିମ୍ବା ବିଶ୍ବବିଦ୍ୟାଳୟ ନୁହେଁ, ବରଂ ସାରା ଓଡ଼ିଶାରେ ଥିବା ୧୫ ସରକାରୀ ବିଶ୍ବବିଦ୍ୟାଳୟ, ୭୦୦ରୁ ଅଧିକ କଲେଜରେ ଏଭଳି ସମସ୍ୟା। କେବଳ କଲେଜ କିମ୍ବା ବିଶ୍ବବିଦ୍ୟାଳୟ ନୁହେଁ, ପୂରା ଉଚ୍ଚଶିକ୍ଷା ବିଭାଗରେ ଏବେ କର୍ମଚାରୀ ମରୁଡ଼ି। ସ୍ଥିତି ଏମିତି ହେଲାଣି ଯେ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ସରକାରୀ କର୍ମଚ‌ାରୀଙ୍କୁ ପୁନଃ ନିଯୁକ୍ତି ଦିଆଚାଲିଛି। ବିଭାଗର ଆସିଷ୍ଟାଣ୍ଟ ସେକ୍ସନ ଅଫିସର୍‌(ଏଏସ୍‌ଓ)ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ କାନ୍ଧରେ ଉଚ୍ଚଶିକ୍ଷାର ଭାର ଲଦା ଚାଲିଛି। ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷ ରଖାଯାଇଛି। ମାତ୍ର ତାହା ପରେ ବି ଓଏସ୍‌ଡି ଭାବେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯାଇ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ମାତ୍ର ନୂତନ ନିଯୁକ୍ତିର ନାଁ ଗନ୍ଧ ଧରୁନାହାନ୍ତି ରାଜ୍ୟ ସରକାର।

ବିଭାଗୀୟ କାର୍ଯ୍ୟାଳୟରେ ଆବଶ୍ୟକ ଅଧିକାରୀ ନ ଥିବାରୁ ଏବେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯାଉଛି। ଓଏସ୍‌ଏସ୍‌ କ୍ୟାଡର୍‌ର ୧୦ଟି ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌(ଏଏସ୍‌ଓ) ଓ ଏଚ୍‌ଓଡି କ୍ୟାଡର୍‌ର ୧୨ଟି ଜୁନିଅର ଆସିଷ୍ଟାଣ୍ଟ ପଦରେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯିବ। ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ବୟସ ୬୫ ବର୍ଷରୁ କମ୍‌ ହୋଇଥିବ ଏବଂ ଚୁକ୍ତିଭିତ୍ତିରେ ଗୋଟିଏ ବର୍ଷ ପାଇଁ ରହିବେ। ତେବେ ଯେକୌଣସି ସମୟରେ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇପାରେ। ସେହିପରି ବିଭାଗ ଅଧୀନ ୫ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବାକୁ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସମ୍ବଲପୁର, ଭୁବନେଶ୍ବର, ବ୍ରହ୍ମପୁର ଓ ଜୟପୁରଠାରେ ଥିବା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦୁଇଜଣ ଲେଖାଏଁ ଓ ବାଲେଶ୍ବର ନିର୍ଦ୍ଦେଶକଙ୍କ କାର୍ଯ୍ୟା‌ଳୟରେ ଖାଲି ପଡ଼ିଥିବା ଗୋଟିଏ ଜୁନିଅର ଆସିଷ୍ଟାଣ୍ଟ(ଷ୍ଟେଟ୍‌ କ୍ୟାଡର) ପଦରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି।

ସେପଟେ ୧୫ଟି ସରକାରୀ ବିଶ୍ବବିଦ୍ୟାଳୟରେ ୯୬୦ ପ୍ରଫେସର ପଦ ଖାଲି ପଡ଼ିଛି। ଯେଉଁଥିରେ ୧୮୧ଟି ପ୍ରଫେସର୍‌ ପଦ ରହିଥିବା ବେଳେ ୩୧୯ ଆସୋସିଏଟ୍‌ ପ୍ରଫେସର୍‌ ଓ ୪୬୦ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ରହିଛି। ନୂଆ କରି ପ୍ରତିଷ୍ଠା ହୋଇଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଓ ଧରଣୀଧର ବିଶ୍ବବିଦ୍ୟାଳୟରେ ଆଦୌ ପ୍ରଫେସର୍ ନାହାନ୍ତି। ରେଭେନ୍ସା ଓ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥିତି ସାଂଘାତିକ। ରେଭେନ୍ସାରେ ୧୫୬ରୁ ଅଧିକ ଓ ଉତ୍କଳରେ ୧୨୦ରୁ ଅଧିକ ପ୍ରଫେସର ନାହାନ୍ତି। ଯେଉଁଥିପାଇଁ ଏବେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଭିଡିଟିଂ ପ୍ରଫେସର ଭାବେ ଡକାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି। ବିଶ୍ବବିଦ୍ୟାଳୟଗୁଡ଼ିକର ଅଣଶିକ୍ଷକ ପଦରେ ମଧ୍ୟ ସମାନ ସ୍ଥିତି। ଝାଡ଼ୁଦାରଠାରୁ ଆରମ୍ଭ କରି ସେକ୍ସନ୍‌ ଅଫିସର୍‌ ପର୍ଯ୍ୟନ୍ତ ସବୁଠି କର୍ମଚାରୀ ଅଭାବ। ନିୟମିତ ନିଯୁକ୍ତି ହେଉ ନ ଥିବାରୁ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟକୁ କୁହାଯାଇଛି। ଯଦି ହିସାବ ଦେଖିବା ୧୫ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ମାତ୍ର ୧୦ଟି ପାଇଁ ୨୬୩୯ଟି ଅଣ-ଶିକ୍ଷକ କର୍ମଚାରୀ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୧୫୩୪ଟି ପଦରେ କେହି ନାହାନ୍ତି। ଅର୍ଥାତ୍‌ ୬୦%ରୁ ଅଧିକ ପଦ ଖାଲି ରହିଛି। ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟ ଉତ୍କଳରେ ମଞ୍ଜୁର ହୋଇଥିବା ୯୮୦ ପଦ ମଧ୍ୟରୁ ୬୬୭ଟି ଖାଲି ପଡ଼ିଛି। ଏଠାରେ ମଧ୍ୟ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯାଇ ସେମାନଙ୍କ କାନ୍ଧରେ ଉଚ୍ଚଶିକ୍ଷାର ଭାର ଲଦାଯାଇଛି। ନୂଆ କରି କଲେଜରୁ ବିଶ୍ବବିଦ୍ୟାଳୟକୁ ପଦୋନ୍ନତି ପାଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ନୂତନ ନିଯୁକ୍ତି ହେଉନାହିଁ। ଅବସରପ୍ରାପ୍ତ, ଚୁକ୍ତିଭିତ୍ତିକ ନ ହେଲେ କଲେଜର ଅଣ-ଶିକ୍ଷକ କର୍ମଚାରୀଙ୍କୁ ନେଇ ବିଶ୍ବବିଦ୍ୟାଳୟ ପରିଚାଳିତ ହେଉଛି। ଉପ କୁଳସଚିବ, ପରୀକ୍ଷା ନିୟନ୍ତ୍ରକ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ କେହି ନାହାନ୍ତି। ଲାଇବ୍ରେରି ଓ ଲାବରେଟୋରି ଆଟେଣ୍ଡାଣ୍ଟ, ରିସର୍ଚ୍ଚ ଆସିଷ୍ଟାଣ୍ଟ, ସେକ୍ସନ ଅଫିସର, ଉନ୍ନୟନ ଅଧିକାରୀ ପଦ ବି ଖାଲିପଡ଼ିଛି। ନୂଆ କରି ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ କାନ୍ଧରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି।

ମହାବିଦ୍ୟାଳୟ ତଥା ଡିଗ୍ରି କଲେଜଗୁଡ଼ିକରେ ଅବସରପ୍ରାପ୍ତ ଓ ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି। ସ୍ବୟଂଶାସିତ ମହାବିଦ୍ୟାଳୟ, ଡିଗ୍ରି ସରକାରୀ କଲେଜ ଲାଗି ମଞ୍ଜୁର ହୋଇଥିବା ୨ ହଜାର ୭୪୪ଟି ଅଧ୍ୟାପକ ପଦ ମଧ୍ୟରୁ ୧୨୦୦ରୁ ଅଧିକ ପଦବି ଖାଲି ରହିଛି। ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ହଜାର ହଜାର ଅଧ୍ୟାପକ ଓ ଅଣ-ଶିକ୍ଷକ ନାହାନ୍ତି। ବର୍ଷ ପରେ ବର୍ଷ ବିତିଚାଲିଥିଲେ ମଧ୍ୟ ପଦ ପୂରଣ ଦିଗରେ କେହି ଗୁରୁତ୍ବ ଦେଉ ନାହାନ୍ତି। ପରିଣାମ ସ୍ବରୂପ ଏବେ ବିଜେବି, ରମାଦେବୀ, ରେଭେନ୍ସ, ଫକୀର ମୋହନ ମହାବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଅତିଥି ଅଧ୍ୟାପକଙ୍କ ଭରସାରେ ଛାଡ଼ିଦିଆଯାଇଛି।

ସମ୍ବନ୍ଧିତ ଖବର