ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରି: ଚନ୍ଦ୍ର ମୃତ୍ତିକାର ତାପମାତ୍ରା ବିଷୟରେ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରଯାନ-୩

୮ ସେମି ତଳେ ବିଯୁକ୍ତ ୧୦ ଡିଗ୍ରି

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ବିଶ୍ବ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁର ମାଟି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ଏହାର ଭୂପୃଷ୍ଠ ତଳେ ୧୦ ସେମି ପର୍ଯ୍ୟନ୍ତ ତାପମାତ୍ରାର ସୂଚନା ଦେଇଛି। ଅଗଷ୍ଟ ୨୩ରେ ସଫଳ ନରମ ଅବତରଣର ଚାରିଦିନ ପରେ ରବିବାର ଇସ୍ରୋ ଚନ୍ଦ୍ରଯାନ-୩ ଦ୍ବାରା ପ୍ରଦତ୍ତ ତଥ୍ୟ ସେୟାର କରିଛି। ଇସ୍ରୋ ବିଭିନ୍ନ ଗଭୀରତାରେ ଚନ୍ଦ୍ର ମାଟିର ତାପମାତ୍ରା ଉପରେ ଏକ ଗ୍ରାଫ୍ ସେୟାର କରିଛି। ଚନ୍ଦ୍ରପୃଷ୍ଠର ତାପଜ ଆଚରଣକୁ ବୁଝିବା ପାଇଁ ଚେଷ୍ଟ (ଚନ୍ଦ୍ରଜ୍ ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ) ଦକ୍ଷିଣମେରୁ ଚାରିପାଖରେ ଥିବା ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ। ଏଥିରେ ୧୦ଟି ତାପମାତ୍ରା ସେନ୍ସର ଅଛି ବୋଲି ଇସ୍ରୋ କହିଛି। ଇସ୍ରୋ ଟ୍ବିଟ୍ କରି କହିଛି ଯେ, ଏହି ଗ୍ରାଫ୍ ବିଭିନ୍ନ ଗଭୀରତାରେ ଚନ୍ଦ୍ରପୃଷ୍ଠ/ନିକଟ-ପୃଷ୍ଠର ତାପମାତ୍ରା ପରିବର୍ତ୍ତନକୁ ସୂଚିତ କରୁଛି। ଚନ୍ଦ୍ରର ଦକ୍ଷିଣମେରୁ ପାଇଁ ଏହା ହେଉଛି ପ୍ରଥମ ପ୍ରୋଫାଇଲ୍। ବିସ୍ତୃତ ନିରୀକ୍ଷଣ ଜାରି ରହିଛି ବୋଲି ଇସ୍ରୋ କହିଛି। ଗ୍ରାଫରେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ସେଲସିୟସରୁ ୬୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ରହିଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରି ସେଲସିୟସ୍ ଥିବାବେଳେ ୮ ସେମି ତଳକୁ ଏହା ବିଯୁକ୍ତ ୧୦ ଡିଗ୍ରି ଅଟେ।

ଚନ୍ଦ୍ରଯାନ-୩ରେ ସାତଟି ପେଲୋଡ୍ ରହିଛି- ଚାରିଟି ବିକ୍ରମ ଲ୍ୟାଣ୍ଡରରେ, ଦୁଇଟି ପ୍ରଜ୍ଞା ରୋଭରରେ ଏବଂ ଗୋଟିଏ ପ୍ରପଲସନ ମଡ୍ୟୁଲ୍‌ରେ ଅଛି। ଏହି ପେଲୋଡ୍‌ଗୁଡିକ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବାକୁ ଡିଜାଇନ୍ କରାଯାଇଛି। ଚନ୍ଦ୍ର ମାଟିର ଅଧ୍ୟୟନ କରୁଥିବା ଚେଷ୍ଟ ବ୍ୟତୀତ ବିକ୍ରମ ପାଖରେ ରମ୍ଭା (ଆୟନ ଏବଂ ଇଲେକ୍ଟ୍ରନ୍ ଅଧ୍ୟୟନ ପାଇଁ ଉଦ୍ଦିଷ୍ଟ), ଇଲ୍‌ସା (ଭୂକମ୍ପକୁ ଅଧ୍ୟୟନ ପାଇଁ ଉଦ୍ଦିଷ୍ଟ) ଏବଂ ଏଲ୍‌ଆର୍‌ଏ (ଚନ୍ଦ୍ରର ଗତିଶୀଳତାକୁ ବୁଝିବା ପାଇଁ ଉଦ୍ଦିଷ୍ଟ) ପେଲୋଡ୍‌ ଅଛି ବୋଲି ଇସ୍ରୋ କହିଛି।

ସମ୍ବନ୍ଧିତ ଖବର