ଡରାଇଲେ ଓ ଭୁଲିଗଲେ: ୮ଲକ୍ଷ ଗାଡ଼ିରେ ଲାଗିନି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

କଟକ : ଏବେ ବି ରାଜ୍ୟରେ ଲକ୍ଷାଧିକ ଗାଡ଼ିରେ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍ଆର୍‌ପି) ନମ୍ବର ପ୍ଲେଟ୍ ଲଗାଯାଇନାହିଁ। ଭେଣ୍ଡର୍‌ ମଧ୍ୟ ଠିକଣା ସମୟରେ ନମ୍ବର୍‌ ପ୍ଲେଟ୍ ଯୋଗାଇ ପାରୁ ନାହିଁ। ଏ ପଟେ ରାଜ୍ୟରେ ଗାଡ଼ି ସଂଖ୍ୟା ଓ ଧାର୍ଯ୍ୟ ଲକ୍ଷ୍ୟ କେବେ ପୂରଣ ହେବ, ସେ ସଂପର୍କରେ ମଧ୍ୟ ସ୍ପଷ୍ଟ ଚିତ୍ର ନାହିଁ। ଗୋଟିଏପଟେ ବିଭାଗ ନମ୍ବର ପ୍ଲେଟ୍‌ ଲଗାଇ ପାରୁ ନ ଥିବାବେଳେ ଅନ୍ୟପଟେ ନମ୍ବର ପ୍ଲେଟ୍ ବୁକିଂ କରିବାକୁ ବି ଲୋକ ଭୁଲି ଗଲେଣି। ଏଭଳି ସ୍ଥିତିରେ ଏବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଯୋଜନା ବାଟବଣା ହୋଇଛି। ଓଇଏମ୍ ଭେଣ୍ଡର ମଧ୍ୟ ତାର କ୍ଷମତା ବଢ଼ାଉ ନାହିଁ। ଫଳରେ, ଏବେ ‌ରାଜ୍ୟରେ ୮ଲକ୍ଷ ଗାଡ଼ିରେ ନମ୍ବର ପ୍ଲେଟ୍ ଲଗାଯାଇ ନଥିବା ଜଣାପଡ଼ିଛି।

ତଥ୍ୟ ମୁତାବକ, ରାଜ୍ୟରେ ହାଇସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍ ଲଗାଇବାକୁ ନେଇ ସ୍ଲଟ୍‌ ବୁକିଂ ଓ ପ୍ଲେଟ୍ ଲଗାଇବା ଅନିଶ୍ଚିତତା ଭିତରେ ରହିଛି। ୨୦୧୯ ଏପ୍ରିଲ ପୂର୍ବରୁ କିଣାଯାଇଥିବା ସମସ୍ତ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ୨୦୧୦ ପରେ ରାଜ୍ୟରେ ୪୯ଲକ୍ଷ ଗାଡ଼ି ରହିଥିବା ବେଳେ ପରିବହନ ବିଭାଗ ଭେଣ୍ଡର୍‌କୁ ମାତ୍ର ୨୪ଲକ୍ଷ ଗାଡ଼ିରେ ନମ୍ବର ପ୍ଲେଟ୍ ଲଗାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। ଦୈନିକ ହାରାହାରି ୫୦ ହଜାର ନମ୍ବର ପ୍ଲେଟ୍ ଲଗାଇଥିଲେ ଏହା ଧାର୍ଯ୍ୟ ସମୟରେ ସରିଥା’ନ୍ତା। ମାତ୍ର, ଭେଣ୍ଡର୍‌ ଦୈନିକ ୩ ହଜାର ନମ୍ବର ପ୍ଲେଟ୍ ବି ଲଗାଇବାରେ ଅମସର୍ଥ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ଲକ୍ଷ ନମ୍ବର ପ୍ଲେଟ୍ ଲାଗିଛି। ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଆହୁରି ୮ଲକ୍ଷ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଇବା ବାକି ରହିଛି।

ସେପଟେ ୪୯ଲକ୍ଷ ଗାଡ଼ିକୁ ବିଚାରକୁ ନେଲେ ଆହୁରି ୨୫ଲକ୍ଷ ଗାଡ଼ି ପାଇଁ ଏଯାଏ ଟାର୍ଗେଟ ମଧ୍ୟ ଦିଆଯାଇନାହିଁ। ସରକାର ବାରମ୍ବାର ସମୟ ଘୁଞ୍ଚାଇବା ପରେ ମଧ୍ୟ ଏହି ନମ୍ବର ପ୍ଲେଟ୍ ଲଗାଯାଉ ନାହିଁ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁଥିଲେ ବି କିଭଳି ସମସ୍ତ ଗାଡ଼ିରେ ଠିକଣା ସମୟରେ ନମ୍ବର ପ୍ଲେଟ୍ ଲଗାଯାଇପାରିବ ତାହା ମଧ୍ୟ ସ୍ପଷ୍ଟ କରୁ ନାହାନ୍ତି। ରାଜ୍ୟରେ ଗାଡ଼ି ସଂଖ୍ୟା କେତେ, ପରିବହନ ବିଭାଗ ସେ ଚିତ୍ର ବି ସ୍ପଷ୍ଟ କରୁନାହିଁ। ଯେତିକି ସ୍ଲଟ୍ ବୁକିଂ ରହିଛି ‌ସେ ସବୁ ଗାଡ଼ିରେ ମଧ୍ୟ ନମ୍ବର ପ୍ଲେଟ୍ ଲଗାଯାଇ ପାରୁନାହିଁ। ଇତିମଧ୍ୟରେ ୫ଥର ଧାର୍ଯ୍ୟ ତାରିଖ ଘୁଞ୍ଚାଯାଇଥିଲେ ବି ଲକ୍ଷ୍ୟ ପୂରଣ ‌ହୋଇ ପାରିନାହିଁ।

ଏ ସଂପର୍କରେ ବିଭାଗୀୟ ଅଧିକାରୀ ଲାଲମୋହନ ‌ସେଠୀଙ୍କୁ ପଚାରିବାରେ ୧୬ଲକ୍ଷ ନୁହେଁ, ତା’ଠାରୁ ଅଧିକ ଗାଡ଼ିରେ ନମ୍ବର ପ୍ଲେଟ୍ ଲାଗିଛି। ଆଉ ୮ଲକ୍ଷ ଗାଡ଼ିରେ ଲାଗିବାକୁ ବାକି ଅଛି। ଖୁବ୍‌ଶୀଘ୍ର ଏ ନେଇ ପୁଣିଥରେ ଡ୍ରାଇଭ୍ ଆରମ୍ଭ କରାଯାଇ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର