ଦୃଷ୍ଟିହୀନ ଛାତ୍ରୀର ଆକୁଳ ନିବେଦନ; ପାଠ ପଢି ଶିକ୍ଷୟିତ୍ରୀ ହେବି, ପିଲାଙ୍କୁ ପଢାଇବି

ରାୟଗଡ଼ା: ରୀତା ପିଡିକା। ବୟସ ୧୨ ବର୍ଷ। ଦୃଷ୍ଟି ଶକ୍ତି ହରାଇ ସେ ଅଧାରୁ ପାଠ ଛାଡି ଘରେ ଗୋଟିଏ କୋଣରେ ପଡ଼ି ରହିଛି। ବାପା ସୁବାରାଓ ପିଡ଼ିକା ଜଣେ ଦିନ ମଜୁରିଆ। ଘର ତାଡମା ପଞ୍ଚାୟତର ଲୁହାଖାଲ ଗ୍ରାମ।ରିତା ପିଲାଟି ଦିନରୁ ବେଶ ବୁଦ୍ଧିମତୀ ହେବା ସହ ଗ୍ରାମର ବିଦ୍ୟାଳୟରେ ୫ ପର୍ଯ୍ୟନ୍ତ ନିୟମତି ସ୍କୁଲକୁ ଯାଉଥିଲା। ବିଦ୍ୟାଳୟରେ ଶିକ୍ଷକମାନେ ରୀତାକୁ ବେଶ ଭଲ ପାଉଥିଲେ। ତେବେ ଗତ ଏକ ବର୍ଷ ତଳେ ରୀତାକୁ ଜ୍ବର ହୋଇଥିଲା। ସ୍ଥାନୀୟ କ୍ବାକ ଏବଂ ନିକଟସ୍ଥ ଗ୍ରାମ୍ୟ ଡାକ୍ତରମାନଙ୍କ ଠାରୁ ଔଷଧ ଆଣି ଖାଇଥିଲା। ପରେ ଜ୍ବର ନଛାଡିବାରୁ ପୁଣି ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜଣାପଡିଥିଲା ଯେ ତାକୁ ଟିବି ରୋଗ ହୋଇଛି।

ପରିବାର ଲୋକେ ତୁରନ୍ତ ଡାକ୍ତରଖାନାକୁ ଯାଇ ଔଷଧ ଆଣି  ରୀତାକୁ ଖାଇବାକୁ ଦେଇଥିଲେ। ପ୍ରାୟ ୭ ମାସ ଔଷଧ ଖାଇବା ପରେ ତାର ଦେହ ସୁସ୍ଥ ହୋଇଥିଲା ସିନା ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ ଚାଲିଯାଇଥିଲା। ରୀତା ଏବେ ଆଦୌ ଦେଖିପାରୁ ନାହିଁ। ଶଦ୍ଦ ଶୁଣି କିମ୍ବା ପାଟିର କଥାକୁ ଶୁଣି କିଏ ଆସିଛି ବାରି ପାରୁଛି। ପିଲାଟି ଦିନରୁ ପାଠ ପଢି ନିଜ ଗ୍ରାମର ସ୍କୁଲରେ ହିଁ ଶିକ୍ଷୟତ୍ରୀ ହୋଇ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି ଅଭିଳାଷା ରଖିଥିଲା। ସେହି ସ୍ବପ୍ନ ଏବେ ଚୁରମାର ହୋଇଯାଇଛି। ଆଖି ଦେଖାଯାଉନଥିବାରୁ ସେ ଘରର ଗୋଟିଏ କୋଣରେ ପଡି ରହୁଛି। ପରିବାର କହିଲେ ବାପା ସୁବା ରାଓ, ମାଆ ସନିଆ ଏବଂ ଚାରି ଭାଇଭଉଣୀ। ବାପା କାମ କରି ଯାହା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳେ।

ରୀତାର ଚିକିତ୍ସା ପାଇଁ ବାପା ପାଖରେ ଟଂକା ନଥିବାରୁ ସେ ମଧ୍ୟ ଝିଅର ଉଚିତ ଚିକିତ୍ସା କରାଇପାରୁନାହାନ୍ତି। ରାୟଗଡା ଡାକ୍ତରଖାନାକୁ ବାରମ୍ବାର ଝିଅକୁ ଆଣିଥିଲେ ମଧ୍ୟ ଏଠାରେ କିଛି ହୋଇପାରିବ ନାହିଁ ବୋଲି ସଫା ସଫା ମନା କରିଦେଉଛନ୍ତି। ତେବେ ଭୁବନେଶ୍ବର କିମ୍ବା କଟକ ମେଡିକାଲ ଗଲେ ହିଁ କିଛି ଚିକିତ୍ସା ହୋଇପାରିବ ବୋଲି ଡାକ୍ତର କହୁଥିବା ରୀତା ପ୍ରକାଶ କରିଛି। ଗାଁରେ ରିତା ଛଡା କେହି ମଧ୍ ଓଡିଆରେ କଥା ହୋଇପାରନ୍ତି ନାହିଁ। ରୀତା ଓଡିଆ ପାଠ ପଢୁଥିବାରୁ ସେ ସ୍ପଷ୍ଟ କହିପାରୁଛି। ଏବେ ସେ ଆଗକୁ ପାଠ ପଢିବାକୁ ଚାହୁଁଛି।

ତେବେ ସରକାର କିମ୍ବା କେହି ବଦାନ୍ୟ ବ୍ୟକ୍ତି ରୀତାକୁ ସହଯୋଗର ହାତ ବଢାଇଲେ ନିଶ୍ଚିତ ଭାବେ ସେ ପୁଣି ନିଜର ଦୃଷ୍ଟି ଶକ୍ତି ପାଇପାରିବ ଏବଂ ଆଗକୁ ମଧ୍ୟ ପଢିପାରିବ ବୋଲି ଆଶା ପ୍ରକଟ କରିଛି। ବାପା ଆଗକୁ ଚିକିତ୍ସା କରାଇପାରିବେ ନାହିଁ ବୋଲି ମନା କରିଦେଇଥିବା ରୀତା କହିଥିଲା। ବାପାଙ୍କ ରୋଜଗାର ସେମିତି ଭଲ ନଥିବା ବେଳେ ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି ବୋଲି ରୀତା ଦୋହରାଇଥିଲା। ତେବେ ଭାଗ୍ୟକା ଆଦରି ରିତା ଘରେ ପଡି ରହିଛନ୍ତି। ଜଣେ ଦକ୍ଷ, ଶାନ୍ତ, ସରଳ ଛାତ୍ରୀକୁ କେହି ମଧ୍ୟ ସହଯୋଗର ହାତ ବଢାଉନଥିବାରୁ ରିତା ଦୁଃଖ ପ୍ରକାଶ କରିଛି। ଲୁହାଖାଲ ଗ୍ରାମଟି ଅତି ଦୁର୍ଗମ ଅଂଚଳରେ ରହିଥିବାରୁ କେହି ମଧ୍ୟ ତାଂକ ଗ୍ରାମ ଉପରେ ନଜର ରକାଉନଥିବା କହିଥିଲେ। ଅନ୍ୟ ଦିଗରେ ଗାଁର ଆଶାଦିଦି ମଧ୍ୟ ରିତାକୁ ନେଇ ଡାକ୍ତରଖାନା ଯାଇଥିବା କହିଥିଲେ। ତେବେ ଭୁବନେଶ୍ବର ନେବା ପାଇଁ ଯୋଜନା କରାଯାଉଥିବା ଆଶା ଦିଦି ଜୟଲତା କହିଥିଲେ। ଅନ୍ୟଦିଗରେ ବିଧାୟକ ମକରନ୍ଦ ମଦୁଲି ମଧ୍ୟ ଏନେଇ ଖବର ପାଇବା ପରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରୀତା କେବେ ନିଜର ଦୃଷ୍ଟିଶକ୍ତି ଫେରି ପାଉଛି ଏବଂ ସ୍କୁଲ ପିଣ୍ଡା ମାଡୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର