ଭକ୍ତି, ଭାବ ଓ ଭଲ ପାଇବା ଭିତରେ ଜଗନ୍ନାଥଙ୍କୁ ବୁଝି ହୁଏ : ରାଜ୍ୟପାଳ

ଭଦ୍ରକ ରୋଟା‌ରୀ କ୍ଲବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

ଭଦ୍ରକ: ଭଦ୍ରକ ରୋଟାରୀ କ୍ଲବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ସହିଦ୍ ସ୍ମୃତି ଭବନ ପରିସରରେ ଆଜି ସଂଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ନିଜ ବକ୍ତବ୍ୟରେ ଓଡ଼ିଶା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂପର୍କରେ ବିଷଦ ଭାବେ ଆଲୋଚନା କରିବାକୁ ଯାଇ କହିଲେ, ଜଗନ୍ନାଥ ସଂସ୍କୃତି ହେଉଛି ଏକ ମହାନ ସଂସ୍କୃତି। ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ସବୁ କିଛି ହେଉଛି। ତାଙ୍କ ବିନା ଇଚ୍ଛାରେ ଆମେଉ କିଛି କାର୍ଯ୍ୟ କରାପାରିବାନି। ମୁଁ କିଛି ନୁହେଁ, ସବୁ ପ୍ରଭୁଙ୍କର ଇଚ୍ଛା। ଜଗନ୍ନାଥଙ୍କୁ ବୁଝିବା ସହଜ ନୁହେଁ। ମଣିଷର ଅନ୍ତରଣରେ ଭକ୍ତି, ଭାବ ଓ ଭଲ ପାଇବା ଥିଲେ ଜଗନ୍ନାଥଙ୍କୁ ବୁଝିହୁଏ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଥିଲେ।

ସେ ଆହୁରି କହିଲେ, ଦୁନିଆରେ ସ୍ବର୍ଗ ଓ ନର୍କ ବୋଲି କିଛି ସ୍ଥାନ ନାହିଁ। ଆମ କର୍ମୟର ଫଳ ଆମକୁ ଏଇ ମର୍ତ୍ୟରେ ସ୍ବର୍ଗ ଓ ନର୍କର ପ୍ରାପ୍ତି କରାଇଥାଏ। ନିସ୍ବାର୍ଥ ସେବା ହେଉଛି ବାସ୍ତବ ସେବା । ସେବା କରି ପ୍ରଚାର କଲେ ତାର କିଛି ମୂଲ୍ୟ ରୁହେ ନାହିଁ। ଭଦ୍ରକ ରୋଟାରୀ କ୍ଲବ ୫୦ ବର୍ଷଧରି ନିରବଛିନ୍ନ ଭାବେ ବିଭିନ୍ନ କ୍ଷେତ୍ରରେ ସେବା କାର୍ଯ୍ୟ କରୁଥିବାରୁ ଆଜିର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତୀ ଉତ୍ସବରେ ସମସ୍ତ ରୋଟାରୀ ସଦସ୍ୟ ବୃନ୍ଦଙ୍କୁ ରାଜ୍ୟପାଳ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ରୋଟାରିଆନ ଅଜୟ ଅଗ୍ରୱାଲ, ଭଦ୍ରକ ରୋଟାରୀ ବ୍ଲକର ସଭାପତି ଇଂ ବସନ୍ତ ପାଣିଗ୍ରାହୀ, ରୋଟାରୀ କ୍ଲବ ସୁବର୍ଣ୍ଣ ଜୟନ୍ତୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଇଂ ଅମ୍ବିକା ବଲ୍ଲଭ ସ୍ବାଇଁ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରୋଟାରିଆନ ଅଭିଜିତ ନାୟକ ସଂଯୋଜନା କରିଥିଲେ। ଏହି ଅବସରରେ ଭଦ୍ରକ ରୋଟାରୀ କ୍ଲବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ମରଣିକା ‘ସୁବର୍ଣ୍ଣ ଭଦ୍ରା’କୁ ଉନ୍ମୋଚନ କରାଯାଇଥିଲା। ଉତ୍ସବରେ ବରିଷ୍ଠ ରୋଟାରିଆନମାନଙ୍କୁ ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।

 

ସମ୍ବନ୍ଧିତ ଖବର