ବେଆଇନ୍‌ ମାଟି ଉଠାଣ: ଏନ୍‌ଜିଟିରେ ମାମଲା

କେନ୍ଦ୍ରାପଡା : ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣରେ ଲଘୁ ଖଣିଜ ସ˚ପଦ ଲୁଟ୍‌ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ମାମଲା ରୁଜୁ ହୋଇଛି। ନିର୍ମାଣାଧୀନ ୮୨ କିମି ରେଳପଥ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ଦେଇ ୪୨ କିମି ରେଳପଥ କାମ ଚାଲିଛି। ଏହି ରାସ୍ତା ନିର୍ମାଣ ପାଇଁ ପରିବେଶ ମଞ୍ଜୁରି ନ ଥାଇ ବେଆଇନ୍‌ ଭାବେ ମାଟି, ବାଲି, ମୋରମ(ଲଘୁ ଖଣିଜ ସ˚ପଦ) ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି। ପରିବେଶ ଆଇନ୍‌ ୨୦୦୬ ଅନୁସାରେ ଲଘୁ ଖଣିଜ ସ˚ପଦ ଉତ୍ତୋଳନ ପାଇଁ ମାଇନିଂ ପ୍ଲାନ ଆବଶ୍ୟକତା ଥିଲେ ମଧ୍ୟ ଠିକା ସ˚ସ୍ଥା, ଜିଲ୍ଲା ପ୍ରଶାସନ ଏହାକୁ ପାଳନ କରିନାହିଁ ।

ସୂଚନା ଅଧିକାର ଆଇନ୍‌ ଆଧାରରେ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାର ଡେରାବିଶ, କେନ୍ଦ୍ରାପଡା, ମହାକାଳପଡା ଓ ମାର୍ଶାଘାଇ ତହସିଲ ଅଧୀନରେ ରେଳପଥ ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ଲଘୁ ଖଣିଜ ସ˚ପଦ ପାଇଁ ପ୍ରଶାସନିକ ସ୍ତରରେ କୌଣସି ଅନୁମତି ମିଳିନାହିଁ। ଜିଲ୍ଲାରେ ଉକ୍ତ ୪୨ କିମି ରେଳପଥ ନିର୍ମାଣ କାର୍ଯ୍ୟ ନେଇଥିବା ୪ଟି ଠିକା ସ˚ସ୍ଥା ପରିବେଶ ଆଇନ୍‌କୁ ଉଲ୍ଲଂଘନ କରି ଖୁଲମ୍‌ଖୁଲା ମାଟି ଚୋରି କରିଥିବା ଅଭିଯୋଗ କରି ଏନ୍‌ଜିଟିରେ ମାମଲା ଦାଏର‌୍‌ ହୋଇଛି। ଏଥିରେ ରେଳବିକାଶ ନିଗମ, ସ˚ପୃକ୍ତ ଠିକାସ˚ସ୍ଥା, ରାଜ୍ୟ ପ୍ରଦୂଷଣ ବିଭାଗ, କେନ୍ଦ୍ରାଞ୍ଚଳ ଆରଡିସି, କେନ୍ଦ୍ରାପଡା ଜିଲ୍ଲାପାଳ, ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର