୯.୨୯ କୋଟିର ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ପାଇଁ ଜମି ଅଡୁଆ

ଆରମ୍ଭ ହୋଇ ପାରୁନି କାମ, ଉଚ୍ଚସ୍ତରୀୟ ବୈଠକ ପରେ ବି ନିଷ୍କର୍ସ ବାହାରିଲାନି

ଜଳେଶ୍ବର: ଜଳେଶ୍ବର ସହରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯.୨୯ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରକଳ୍ପ କାର୍ଯ୍ୟ ଜମି ଅଡୁଆରେ ଛନ୍ଦି ହୋଇ ପଡ଼ିଛି। ଫଳରେ ପ୍ରକଳ୍ପ ପାଇଁ ଠିକାଦାରଙ୍କ ସହ ଚୁକ୍ତି ସରିଥିଲେ ମଧ୍ୟ କାମ ଆରମ୍ଭ ହୋଇ ନପାରୁ ନଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ ଜଳେଶ୍ବର ସହର ଉପକଣ୍ଠସ୍ଥ ଶାନ୍ତିଆ ଷ୍ଟାଡିୟମ ପରିସରରେ ଏକ ଅତ୍ୟାଧୁନିକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଓଡ଼ିଶା ସରକାର ୨୦୨୧ ମସିହା ଡିସେମ୍ବର ୧୭ ତାରିଖରେ ଚିଠି ନମ୍ବର ୧୨୮୪୧ରେ ପ୍ରଶାସନିକ ଅନୁମୋଦନ ଦେଇଥିଲେ। ସେହିପରି ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପାଇଁ ୨୦୨୧ ମସିହା ଡିସେମ୍ବର ୧୬ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଟେଣ୍ଡର ଜରିଆରେ କଟକର ଏମଏସସାସ କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଲା। ପ୍ରକଳ୍ପର ମୋଟ ମୂଲ୍ୟ ୯ କୋଟି ୨୯ ଲକ୍ଷ ୬୭ ହଜାର ଟଙ୍କା ଥିବା ବେଳେ ଠିକା ସଂସ୍ଥା ୧୧.୭୦ ପ୍ରତିଶତ କମରେ ଅର୍ଥାତ୍ ୭ କୋଟି ୨୮ ଲକ୍ଷ ୬୫୨୪୮ ଟଙ୍କାରେ ନିର୍ମାଣ ଦାୟିତ୍ବ ନେଇଥିଲା।

ଠିକାଦାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ୪.୪.୨୦୨୨ ମସିହାରେ କାମ ଆରମ୍ଭ ହୋଇ ୩.୩.୨୦୨୩ରେ କାମ ସରିବା କଥା। ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ପୂର୍ତ୍ତ ବିଭାଗର ବାଲେଶ୍ବର ସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କ ଆକାଉଣ୍ଟରେ ଜମା କରିଛି। ତେବେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ପୂର୍ତ୍ତ ବିଭାଗ ହାତକୁ ଆସି ନଥିବାରୁ କାମ ଆରମ୍ଭ ହୋଇ ପାରୁନାହିଁ ବୋଲି କୁହାଯାଇଛି। ପ୍ରସ୍ତାବିତ ଏହି ପ୍ରକଳ୍ପ ଜମିଟି ଜଳେଶ୍ବର ମ୍ୟୁନିସିପାଲଟିର ମାଲିକାନାରେ ଥିବା ବେଳେ ଏହାର କିଛି ଅଂଶ ସ୍ଥାନୀୟ ଅଞ୍ଚଳର ପିଲାମାନେ କ୍ରିକେଟ ଖେଳ ପାଇଁ ବ୍ୟବହାର କରିଥାନ୍ତି।

ପ୍ରକଳ୍ପ ପାଇଁ ୮୫ ମିଟର ଲମ୍ବ ଓ ୭୦ ମିଟର ଓସାର ଜମି ଆବଶ୍ୟକ ରହିଛି। ଉକ୍ତ ଜମିରେ ଯଦି ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହୁଏ ତେବେ ସ୍ଥାନୀୟ ଅଞ୍ଚଳର ପିଲାମାନେ ଖେଳପଡ଼ିଆ ପାଇଁ ସ୍ଥାନ ପାଇବେ ନାହିଁ। ଏନେଇ  ପ୍ରଶାସନ ନିକଟରେ ସ୍ଥାନୀୟ ଏକ କ୍ଲବ ଅଭିଯୋଗ କରିବା ସହ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି। ଏହି କାରଣରୁ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଗତ ୯ ତାରିଖ ଅପରାହ୍ନରେ ଶାନ୍ତିଆ ଷ୍ଟାଡିୟମରେ ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଜଳେଶ୍ବର ତହସିଲଦାର ସ୍ମୃତି ରଞ୍ଜନ ମଲ୍ଲିକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଜଳେଶ୍ବର ପୂର୍ତ୍ତ ଉପଖଣ୍ଡ ଯନ୍ତ୍ରୀ ଇଂ. ଅଶୋକ କୁମାର ପଣ୍ଡା, ସହରର ବହୁ ନେତୃସ୍ଥାନୀୟ ଓ ଶାନ୍ତିଆ ଗ୍ରାମବାସୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

ଏହାପରେ ଗତ ୧୧ ତାରିଖରେ ଉପଖଣ୍ଡ ଯନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ୫ଟି ପଏଣ୍ଟ ଉଲ୍ଲେଖ କରି ପଦକ୍ଷେପ ନେବାକୁ ଜଳେଶ୍ବର ତହସିଲଦାର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। କେବେ ଏହି ପ୍ରକଳ୍ପ କାମ ଆରମ୍ଭ ହେବ ନାଁ ଜମି ଅଡୁଆ କାରଣରୁ ସବୁଦିନ ପାଇଁ ବନ୍ଦ ହୋଇଯିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର