ଲକ୍ଷ୍ମୀଡୁଙ୍ଗୁରି ଟନେଲ ନିର୍ମାଣରେ ବିଳମ୍ବ: ୧୬ ବର୍ଷ ହେଲା ୪ ମାସ ବନ୍ଦ ରହୁଛି ରାଜପଥର ଗୋଟିଏ ପାର୍ଶ୍ବ

ସମ୍ବଲପୁର: ୧୬ ବର୍ଷ ହେଲା ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରୁ ଅତଡ଼ା ଖସିବା ଯୋଗୁ ଜାତୀୟ ରାଜପଥ-୫୩ରେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବର୍ଷର ପାଖାପାଖି ୪ ମାସ (ଜୁନ୍‌ ଅଧାରୁ ଅକ୍ଟୋବର ଅଧା) ପର୍ଯ୍ୟନ୍ତ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବ ବନ୍ଦ ରଖାଯାଉଛି। ବର୍ଷାଦିନ ଆସିବା ପରେ ଲକ୍ଷ୍ମୀଡ଼ୁଙ୍ଗୁରି ପାହାଡ଼ରୁ ଅତଡ଼ା ଖସିବା ନେଇ ଭୟ ସଂଚାର ହୋଇଥାଏ।

ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସେଠାରେ ଏକ ଟନେଲ୍‌ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା ବେଳେ ବଳବନ୍ତ ସିଂ ସମ୍ବଲପୁର ଜିଲ୍ଲାପାଳ ଥିବା ସମୟରେ ସେହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ି ରହିବା ପରେ ୨୦୨୨ ମସିହାରେ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିଲେ। ପରବର୍ତ୍ତୀ ସମୟରେ ୩୭ କୋଟି ଟଙ୍କା ମଂଜୁର କରାଯାଇଥିବା ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ନଭେମ୍ବର ୨୦୨୨ରେ ‌ଟନେଲ୍‌ର ଡିଜାଇନ୍ ପ୍ରସ୍ତୁତ ପାଇଁ ଭୁବନେଶ୍ବର ଆଇଆଇଟିକୁ ଦାୟିତ୍ବ ଦିଆଯାଇଥିଲା। ଆଇଆଇଟି, ଭୁବନେଶ୍ବର ଅନ୍ୟ ଏକ ସଂସ୍ଥା ସହିତ ମିଶି ପ୍ରସ୍ତୁତ କରିଥିବା ଡିଜାଇନ୍‌କୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ହେଲେ, ତାହାକୁ ଅନୁମୋଦନ ମିଳିନଥିବା ଜଣାପଡ଼ିଛି। ଏନ୍‌ଏଚ୍‌ଏଆଇର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୀତିନ କୁମାର ଗୁପ୍ତା କହିଛନ୍ତି ଯେ, ଯେଉଁ ପ୍ରସ୍ତାବ ପୂର୍ବରୁ ପଠାଯାଇଥିଲା, ବୈଷୟିକ ଦୃଷ୍ଟିକୋଣରୁ ସାମାନ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଇଥିଲା। ତେଣୁ ଆଇଆଇଟି ଭୁବନେଶ୍ବରକୁ ନୂଆକରି ଏକ ଡିଜାଇନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର