ଆଦିବାସୀ ମହିଳାଙ୍କୁ ରୋଜଗାର ଦେଇଛି ମହୁଲ ତେଲ, ଲିଟର ପିଛା ମାତ୍ର ୨୦ରୁ ୨୫ ଟଙ୍କା

ରଞ୍ଜନ ପ୍ରଧାନ

ଫୁଲବାଣୀ: କରୋନା ମହାମାରୀ କାଳରେ ପାରମ୍ପରିକ ଗରା ତେଲ (ମହୁଲ ମଞ୍ଜିରୁ ପ୍ରସ୍ତୁତ) କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାଙ୍କୁ ‌ରୋଜଗାର ଦେଇଛି। ମହୁଲ ମଞ୍ଜିରୁ ପ୍ରସ୍ତୁତ ତେଲ ବିକ୍ରି କରି ଆଦିବାସୀ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ମହୁଲ ମଞ୍ଜିକୁ କନ୍ଧମାଳ ଜିଲ୍ଲାରେ କୁଇ ଭାଷାରେ ‘ଗରା’ କୁହାଯାଏ। କନ୍ଧମାନେ ଗରା ତେଲକୁ ରୋଷେଇ କରି ଖାଇବା ସାଙ୍ଗକୁ ଦେହ ଓ ମୁଣ୍ଡରେ ଲଗାଇଥାନ୍ତି। ଗରା ତେଲରେ ମାଂସ ରାନ୍ଧିଲେ ଏହାର ବାସ୍ନା ଖଣ୍ଡମଣ୍ଡଳ ବ୍ୟାପି ଯାଇଥାଏ ବୋଲି କହନ୍ତି ବେଲଘରର ଶିବରାମ ମାଝି।

ଏହି ତେଲ ପ୍ରସ୍ତୁତି ପାଇଁ ଆଦିବାସୀ ମହିଳାମାନେ ମେ ରୁ ଜୁନ୍‌ ମଧ୍ୟରେ ମହୁଲ ମଞ୍ଜି ସଂଗ୍ରହ କରିଥାନ୍ତି। ଗରା ପିଡ଼ିଆରୁ ସାବୁନ୍‌ ଓ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହାଛଡ଼ା ଗରା ପିଡ଼ିଆ ମଧ୍ୟ ମାଛଙ୍କ ଆହାର ହୋଇଥାଏ। ଯଦି ସରକାରଙ୍କ ପକ୍ଷରୁ ମହୁଲ ମଞ୍ଜି ସଂଗ୍ରହ ଏବଂ ଏହାର ପ୍ରୋସେସିଂ ପାଇଁ ବ୍ୟବସ୍ଥା କରାଯାଇ ପାରନ୍ତା ତେବେ କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ଉପକୃତ ହୋଇପାରନ୍ତେ। କନ୍ଧମାଳ ଜିଲ୍ଲାର ରାସ୍ତା ପାର୍ଶ୍ବଠାରୁ ଆରମ୍ଭ କରି ପୁରପଲ୍ଲୀ ଏବଂ ଘଞ୍ଚ ଜଙ୍ଗଲରେ ମାଳ ମାଳ ମହୁଲ ଗଛ ରହିଛି। ଏହି ମହୁଲ ଗଛ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ପାଇଁ ରୋଜଗାରର ମୁଖ୍ୟ ମାଧ୍ୟମ ପାଲଟିଛି। ମାର୍ଚ୍ଚ-ଏପ୍ରିଲ ମାସରେ ଆଦିବାସୀମାନେ ମହୁଲ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରି ବେଶ ଅର୍ଥ ଉପାର୍ଜନ କରିଥାନ୍ତି। ଏହା ପରେ ପରେ ମହୁଲ ମଞ୍ଜି (ଗରା) ସଂଗ୍ରହର ଋତୁ ଆସିଥାଏ। ଆଦିବାସୀ ମହିଳାମାନେ ଜଙ୍ଗଲରୁ ଗରା ସଂଗ୍ରହ କରି ସେଥିରୁ ତେଲ ପ୍ରସ୍ତୁତ କରନ୍ତି।

କନ୍ଧମାଳ ଜିଲ୍ଲାରେ ସୋରିଷ ତେଲ ଦର ୨୦୦ ଛୁଇଁଥିବା ବେଳେ ‘ଗରାତେଲ’ ଲିଟର ପିଛା ୨୦ରୁ ୨୫ ଟଙ୍କା ରହିଛି। ଆଦିବାସୀ ମହିଳାମାନେ ଗରା ମଞ୍ଜିକୁ ସପ୍ତାହେ ଖରାରେ ଶୁଖାଇବା ପରେ ଗୁଣ୍ଡ କରିଥାନ୍ତି। ଏହା ପରେ ଏହି ଗରା ଚୁନାକୁ ପାଣିରେ ସିଝାଇ ସେଥିରୁ ପାରମ୍ପରିକ ଉପାୟରେ ତେଲ ବାହାର କରାଯାଏ। ଏବେ ଆଦିବାସୀମାନେ ତେଲ ମିଲ୍‌ରେ ପେଷୁଛନ୍ତି ବୋଲି କହନ୍ତି କଟ୍ରିଙ୍ଗିଆ ପଞ୍ଚାୟତ ଶ୍ରାକି ଗ୍ରାମର ସାଇତି କହଁର ଓ ନମିତା ରଣା। ଏକ କିଲୋ ଗରା ମଞ୍ଜିରୁ ପ୍ରାୟ ୨୫୦ ଗ୍ରାମ ତେଲ ବାହାରିଥାଏ ବୋଲି ଶ୍ରାକି ଗ୍ରାମର ରଜନୀ ରଣା ଓ ରିନି ରଣା କହିଛନ୍ତି। ତେବେ ଆଜିକାଲି ଗରା ତେଲକୁ ଅଧିକ ସୁଆଦିଆ ଓ ପତଳା କରିବା ପାଇଁ ଏଥିରେ କିଛି ମାତ୍ରାରେ ସୋରିଷ ମିଶାଯାଇଥାଏ ବୋଲି କହନ୍ତି ସାଇତି କହଁର। କଟ୍ରିଙ୍ଗିଆ ପଞ୍ଚାୟତର ନେଡ଼ିପାଙ୍ଗା ଗ୍ରାମର ଆଦିବାସୀ ମହିଳା ସୁସ୍ମିତା କହଁର ଚଳିତ ଋତୁରେ ପ୍ରାୟ ୨୦ ଲିଟର ଗରା ତେଲ ଉତ୍ପାଦନ କରିଛନ୍ତି ବୋଲି କହନ୍ତି। ସେ ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ନିଜ ପରିବାର ଚଳାଉଛନ୍ତି।

ସମ୍ବନ୍ଧିତ ଖବର