ମହିଳା ସଶକ୍ତୀକରଣ ନେଇ ଫିକିର ରାଉଣ୍ଡ ଟେବୁଲ ବୈଠକ ‘ମହିଳାଙ୍କ ସ୍ବର ଶୁଣିବା ମିସନ୍‌ ଶକ୍ତିର ପ୍ରକୃତ ଲକ୍ଷ୍ୟ’

ସହରରେ ଖୋଲିବ ମିସନ ଶକ୍ତି ବଜାର, ସ୍କୁଲ୍‌ ୟୁନିଫର୍ମ ତିଆରି କରିବେ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ବର: ଦିଲ୍ଲୀ ହାଟ ଢାଞ୍ଚାରେ ରାଜ୍ୟର ବିଭିନ୍ନ ସହରରେ ଖୋଲାଯିବ ‘ମିସନ ଶକ୍ତି ବଜାର’। ଏଥିପାଇଁ ଭୁବନେଶ୍ବର, ଯାଜପୁର, ସମ୍ବଲପୁର, ବାଲେଶ୍ବର ଓ ବ୍ରହ୍ମପୁର ଭଳି ଜିଲ୍ଲାରେ ସ୍ଥାନ ଚିହ୍ନଟ କରାଯାଇଛି। ଏହି ବଜାର ଭିତରେ ୧୮-୨୦ଟି ଦୋକାନ ରହିଛି ଓ ସେହି ସବୁ ଦୋକାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ସାମଗ୍ରୀଗୁଡ଼ିକୁ ବିକ୍ରି କରାଯିବ। ବର୍ଷତମାମ ଦୋକାନଗୁଡ଼ିକ ଖୋଲା ରହିବ। ମିସନ ଶକ୍ତି ଅଧୀନରେ ଥିବା ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନିରନ୍ତର ଆୟ ଉତ୍ସ ପ୍ରଦାନ କରିବା ଲାଗି ଏହି ପରିକଳ୍ପନା ପ୍ରସ୍ତୁତ କରାଯାଇଛି ବୋଲି ମିସନ ଶକ୍ତିର କମିସନର ତଥା ଶାସନ ସଚିବ ସୁଜାତା ଆର୍ କାର୍ତ୍ତିକେୟନ କହିଛନ୍ତି।

ଆଜି ଭାରତୀୟ ଶିଳ୍ପ ବାଣିଜ୍ୟ ସଂଘ ‘ଫିକି’ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ ରାଉଣ୍ଡ୍‌ଟେବୁଲ୍‌ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ମହିଳାମାନଙ୍କୁ କେବଳ ଆୟ ଉତ୍ସ ପ୍ରଦାନ କରିବା ନୁହେଁ; ସେମାନଙ୍କ ସାମଗ୍ରିକ ସଶକ୍ତୀକରଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କୁ ଆମେ ସ୍ବର ପ୍ରଦାନ କରିବାକୁ ଚାହୁଛୁ। କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ନାଗରିକ ସମାଜ ପର୍ଯ୍ୟନ୍ତ ସବୁ ସ୍ଥାନରେ ସେମାନେ ଯେଭଳି ନିଜର ସ୍ବରକୁ ଉପସ୍ଥାପନ କରିପାରିବେ ସେଭଳି ସେମାନଙ୍କୁ ପ୍ରସ୍ତୁତ କରାଯିବ। ଗତବର୍ଷ ମହିଳା ଏସ୍‌ଏଚ୍‌ଜିଗୁଡ଼ିକୁ ୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଥିଲା। ଏବର୍ଷ ୮୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ଏସ୍‌ଏଚ୍‌ଜିଗୁଡ଼ିକ ଠିକ୍ ସମୟରେ ଋଣ ପରିଶୋଧ କରୁଛନ୍ତି ‌ରାଜ୍ୟ ସରକାର ସେମାନଙ୍କୁ ସୁଧ ବାବଦ ଟଙ୍କା ଫେରସ୍ତ କରୁଛନ୍ତି। ଏବେ ରାଜ୍ୟରେ ୫୦୦ ଏସ୍‌ଏଚ୍‌ଜି ସଦସ୍ୟା ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଆଉ ୨୦୦୦ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍କୁଲ ୟୁନିଫର୍ମ ତିଆରି କରିବା ଏବଂ ସ୍କୁଲ୍ ବ୍ୟାଗ୍ ସିଲାଇ କରିବା କାର୍ଯ୍ୟ ମଧ୍ୟ ଏସ୍‌ଏଚ୍‌ଜିଙ୍କୁ ଦେବା ଲାଗି ନିଷ୍ପତ୍ତି ହୋଇଥିବା ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି। ଚଳିତ ବର୍ଷ ଏସ୍‌ଏଚ୍‌ଜିମାନଙ୍କ ଠାରୁ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କାର ସାମଗ୍ରୀ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମିସନ ଶକ୍ତି ସହ ଯୋଡ଼ି ହେବା ଲାଗି ଜାତିସଂଘର ୩-୪ଟି ସଂସ୍ଥା ଯଥା ୟୁଏନ୍‌ସିଡିଏଫ୍‌, ୟୁଏନ୍‌ପିଏଫ୍ ଆଦି ଆଗ୍ରହ ପ୍ରକାଶ କରିଥିବା ମଧ୍ୟ ସେ କହିଛନ୍ତି।

ଆଉ ୨୦୦୦ ମହିଳା ହେବେ ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌
ମିସନ ଶକ୍ତି ସହ ଯୋଡ଼ିହେବେ ଜାତିସଂଘର ୩ଟି ସଂସ୍ଥା
ଏ ବର୍ଷ ଏସ୍‌ଏଚ୍‌ଜିଙ୍କୁ ୮୦୦୦ କୋଟିର ଋଣ

ଏହି ଅବସରରେ ଭୁବନେଶ୍ବର-କଟକର ଅତିରିକ୍ତ ପୁଲିସ କମିସନର ରେଖା ଲୋହାନି ମହିଳାମାନଙ୍କ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ମାମଲା ରୁଜୁ କରିବା ଲାଗି ଥାନାକୁ ଆସୁଥିବା ମହିଳାଙ୍କୁ ଅନୁକୂଳ ପରିବେଶ ପ୍ରଦାନ କରିବା ଲାଗି ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲାଯାଇଛି। ସ୍କୁଲ ଓ କଲେଜଗୁଡ଼ିକରେ କିଛି ଯୁବତୀଙ୍କୁ ଏସ୍‌ପିଓ ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କ ପାଇଁ ଏକ ହ୍ବାଟସ୍‌ଆପ୍‌ ଗ୍ରୁପ୍ ଖୋଲାଯାଇଛି। ଛାତ୍ରୀମାନେ ସାମ୍ନା କରୁଥିବା ସମସ୍ୟା ବିଷୟରେ ପୁଲିସକୁ ଏହି ଏସ୍‌ପିଓମାନେ ଅବଗତ କରୁଛନ୍ତି। ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ପାଖରେ ଯେଉଁ ସିସିଟିଭି ଫିଡ୍ ପହଞ୍ଚୁଛି ତାହା ପୁଲିସକୁ ମଧ୍ୟ ମିଳିବ। ଏନେଇ ଆଲୋଚନା ହୋଇଛି।
ପ୍ରାରମ୍ଭରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରି ବାତ୍ୟା ଓ କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ଟିକାକରଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଫିକି ଓଡ଼ିଶା ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛି। ଆଗାମୀ ଦିନରେ ଏହି ସହଯୋଗିତା ଜାରି ରହିବ ବୋଲି ସେ କହିଛନ୍ତି।
ନିଜ ବକ୍ତବ୍ୟରେ ଅଶ୍ବିନୀ ହସ୍ପିଟାଲ୍‌ର ନିର୍ଦେଶିକା (ଅର୍ଥ) ସୁମା ଦେବୀ ଦାଶ ପୁରୁଷ ପ୍ରାଧାନ୍ୟ ‘ଷ୍ଟେମ୍’ କ୍ଷେତ୍ରରେ କିଭଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାହା କହିଥିଲେ। ଅଶ୍ବିନୀ ହସ୍ପିଟାଲ୍‌ର ୬୦% କର୍ମଚାରୀ ମହିଳା ହୋଇଥିବା ବେଳେ ସମସ୍ତଙ୍କୁ ସେଠାରେ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି।ମହିଳାମାନଙ୍କୁ ସଶକ୍ତ ଓ ଉପାର୍ଜନକ୍ଷମ କରିବା ଲାଗି ପ୍ରଶିକ୍ଷଣ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ରୁଚି ଫ୍ରୋଜିଟ୍ ଡିଭିଜନ୍‌ର ନିର୍ଦେଶିକା ରଶ୍ମି ସାହୁ ଫ୍ରୋଜିଟ୍‌ର ଯାତ୍ରା ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ ଏସ୍‌ଏଚ୍‌ଜିଙ୍କ ଜରିଆରେ ଏହି ଉଦ୍ୟମ ଆରମ୍ଭ ହୋଇଥିଲା। କିଛି କିଛି ମହିଳାଙ୍କୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଲାଗି ପ୍ରଶିକ୍ଷଣ ଦିଆଯାଉଥିଲା। ଯେତେବେଳେ ପ୍ରଶିକ୍ଷଣ ପାଇଥିବା ମହିଳାଙ୍କ ସଂଖ୍ୟା ବଢ଼ିଗଲା ସେମାନଙ୍କୁ ରୋଜଗାରର ଏକ ମାଧ୍ୟମ ପ୍ରଦାନ କରିବା ଲାଗି ଫ୍ରୋଜିଟ୍‌ ଆରମ୍ଭ କରାଯାଇଥିଲା।

ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଛନ୍ତି ଯେ ଦେଶର ଅର୍ଥନୈତିକ ବିକାଶ ପ୍ରତି ମହିଳାମାନଙ୍କ ଯୋଗଦାନକୁ ଏବେ ସ‌ମସ୍ତେ ସ୍ବୀକାର କରୁଛନ୍ତି। ଜଣେ ମହିଳା ସଫଳ ହେଲେ ତାଙ୍କୁ ଦେଖି ଅନେକ ମହିଳା ଆଗକୁ ବଢ଼ିବା ଲାଗି ଉତ୍ସାହିତ ହୋଇଥାନ୍ତି। ଫିକି ଓଡ଼ିଶା ସହ ଚାଲିଥିବା କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ଟି ବ୍ଲକ୍‌ର ୫୦୦୦ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କୁ ଡିଜିଟାଲ୍ ସାକ୍ଷରତା ଓ ଆର୍ଥିକ ସାକ୍ଷରତା ଉପରେ ସଚେତନ କରାଯାଉଥିବା ସେ କହିଛନ୍ତି। କିଟ୍ ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍‌ସେଲର୍‌ ପ୍ରଫେସର ଡ. ସସ୍ମିତା ସାମନ୍ତ କହିଛନ୍ତି ଯେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ମହିଳାମାନଙ୍କ ପ୍ରତି ରହିଥିବା ଭାବନାକୁ ମିଶନ ଶକ୍ତି ବଦଳାଇ ଦେଇଛି। ମହିଳାମାନେ ଏବେ ଆର୍ଥିକ ସ୍ତରରେ ନିଜକୁ ସଶକ୍ତ ମନେ କରୁଛନ୍ତି। ମିଶନ ଶକ୍ତିକୁ ଏକ ବିଶ୍ବସ୍ତରୀୟ ଯୋଗାଣ ଶୃଙ୍ଖଳ ବ୍ରାଣ୍ଡ୍‌ ଭାବେ ଉପସ୍ଥାପିତ କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ କଟକ, କୋରାପୁଟ ଓ ବଲାଙ୍ଗୀର ତିନି ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀ ନିଜେ କିଭଳି ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିଛନ୍ତି ସେହି କାହାଣୀ ବର୍ଣ୍ଣନା କରିଥିଲେ। ଶେଷରେ ଓଡ଼ିଶା-୫୦ର ଟିମ୍‌ ଲିଡର୍‌ ତଥା ‘ସମ୍ବାଦ’ର ଡିଜିଏମ୍(ମାନବ ସମ୍ବଳ) ବୈଜୟନ୍ତୀ କର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର