ବିଷ ପାଲଟୁଛି ସମ୍ପର୍କ: ୫ ‌ମାସର ଝିଅକୁ ଧରି ନଈକୁ ଡେଇଁଲା ମା’

କାଠ ଫାଳିଆରେ ପିଟି ପତ୍ନୀଙ୍କୁ ହତ୍ୟା

ଗୋପାଳପୁର: ପାରିବାରିକ କଳହର କୁପରିଣତି କେତେ ଭୟାବହ ହୋଇପାରେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଧୀନ ମନସୁରକୋଟା ଗ୍ରାମରେ ତାହା ଦେଖିବାକୁ ମିଳିଛି। ଜଣେ ଲୋକ ନିଜ ପତ୍ନୀଙ୍କୁ କାଠ ଫାଳିଆରେ ଅତି ଜଘନ୍ୟ ଭାବେ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ହେଉଛନ୍ତି ନାନୁ ଦାସ। ଦୁଇବର୍ଷ ତଳେ ସେ ତନୁ ଦାସଙ୍କୁ ବିବାହ କରିଥିଲେ। ତନୁଙ୍କ ବାପଘର ପୁରୀ ଜିଲ୍ଲା। ସେମାନଙ୍କର ଗୋଟିଏ ୧୦ ମାସର ଶିଶୁ କନ୍ୟା ଅଛି। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ସେମାନେ ପୁଣି ଝଗଡ଼ା କରିଥିଲେ। ତନୁ ଉତ୍‌କ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ନାନୁଙ୍କ ମୁଣ୍ଡକୁ ବାରମ୍ବାର ପିଟିବାରୁ ସେ ଗୁରୁତର ହୋଇଥିଲେ। ଭୋର୍ ୩ଟାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ନାନୁଙ୍କ ମା’ଙ୍କ ଏତଲାକୁ ଆଧାର କରି କେସ୍‌ ନମ୍ବର ୯୭/୧୯ରେ ମାମଲା ରୁଜୁ ସହ ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ନାଉଗାଁ: ନାଉଗାଁ ବ୍ଲକ୍ ବଛାଳୋ ପଞ୍ଚାୟତ ପୋକାକୂଳ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ରାତି ୮ଟା ବେଳେ ଜଣେ ମହିଳା ନିଜ ୫‌ମାସର ଝିଅକୁ ଧରି ଦେବୀ ନଦୀକୁ ଡେଇଁ ପଡ଼ିଛନ୍ତି। ରିପୋର୍ଟ‌୍ ଲେଖାଯିବା ପର୍ଯ୍ୟନ୍ତ ମା’-ଝିଅଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ପାରିବାରିକ କଳହକୁ କେନ୍ଦ୍ର କରି ଏମିତି ଘଟିଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ରୋହିଆ ଗାଁର କାଳନ୍ଦୀ ରାଉତଙ୍କ ଝିଅ ଲିପି ଦୁଇବର୍ଷ ତଳେ ପୋକାକୂଳ ଗାଁର ବାବୁ ରାଉତଙ୍କ ପୁଅ ଅରକ୍ଷିତଙ୍କୁ ବିବାହ କରିଥିଲେ। ଅରକ୍ଷିତ ଚେନ୍ନାଇରେ ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି। ଆଜି ରାତି ପ୍ରାୟ ୮ଟା ବେଳେ ଲିପି ନିଜ ୫ ମାସର ଝିଅକୁ ଧରି ଦେବୀ ନଦୀ କୂଳକୁ ଯାଇଥିଲେ। ଝିଅକୁ ଧରି ନଦୀକୂଳକୁ କାହିଁକି ଯାଉଛନ୍ତି ସେ ସମ୍ପର୍କରେ କେହି କିଛି ଅନୁମାନ କରି ପାରି ନ ଥିଲେ। ନଦୀକୂଳକୁ ଯାଇ ସେ ହଠାତ୍‌ ନଦୀର ଭିତରକୁ ଡ଼େଇଁ ପଡ଼ିଥିଲେ। ବର୍ଷା ଯୋଗୁଁ ନଦୀରେ ଭରା ପାଣି ଥିବାରୁ ମୁହୂର୍ତ୍ତକ ଭିତରେ ଦୁହେଁ କେଉଁଆଡ଼େ ଭାସି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ଲିପି କାହିଁକି ଏମିତି ଚରମ ପଦକ୍ଷେପ ନେଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ।

ସମ୍ବନ୍ଧିତ ଖବର