ଜନସେବୀ ବୀରକଶୋରଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପାଳିତ : ବୀରକଶୋରଙ୍କ ସ୍ବପ୍ନକୁ ସାକାର କରିବାର ସଂକଳ୍ପ ହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଅନ୍ତର୍ଗତ ବିକ୍ରମତିରଣ ପଞ୍ଚାୟତର ସରପଞ୍ଚ, ଆଦର୍ଶ ଶିକ୍ଷକ ତଥା ଜଣେ ସଫଳ ଜନସେବୀ ବୀର‌କିଶୋର ଧଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରାଦ୍ଧୋତ୍ସବରେ ତାଙ୍କୁ ସ୍ମରଣ କଲେ , ତାଙ୍କୁ ଅନୁଭବ କଲେ ଏବଂ ଏ ଅଞ୍ଚଳ ପାଇଁ ସେ ସ୍ୱପ୍ନ ଦେଖିଥିବା ଭଲ କାମ ଗୁଡ଼ିକ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେଲେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ସୂଚନା ଓ ଲୋକ ସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଶ୍ରାଦ୍ଧୋତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ, ସ୍ୱର୍ଗତ ଧଳ ଏ ଅଞ୍ଚଳ ପାଇଁ ଜଣେ ପ୍ରଣମ୍ୟ ପୁରୁଷ ଥିଲେ। ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ କହିଲେ ଯେ, ସ୍ୱର୍ଗତ ଧଳ ଖାଲି ନିଜ ପଞ୍ଚାୟତ ନୁହେଁ ସମଗ୍ର ବଡ଼ଚଣା ପାଇଁ ଜଣେ ମୁରବି। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ବିଜେପି ନେତା ବିଷ୍ଣୁ ଦାସ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ବିଜେପି ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା, ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ଭୂୟାଁ, ଉମାକାନ୍ତ ବଳ, ଅରବିନ୍ଦ ସାମଲ, ସଂଜୟ ସ୍ୱାଇଁ, ବିପିନ ବିହାରୀ ଜେନା, ନଙ୍ଗୁଳିମଠ ମହନ୍ତ ପର୍ଶୁରାମ ଦାସ, ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ସରପଞ୍ଚ ନିରୂପମା ସ୍ୱାଇଁ, ସମିତି ସଭ୍ୟ ସୁବାସ ଚନ୍ଦ୍ର ନାୟକ, ସମିତି ସଭ୍ୟା ତପସ୍ୱିନୀ ବାରିକ, ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କୁ ପ୍ରଥମ ବୀରକିଶୋର ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଙ୍କୁ ବୀର କିଶୋର ସଂସ୍କୃତି ଜ୍ୟୋତି ସମ୍ମାନ, ସଂଗ୍ରାମୀ ଦିବାକର ବିଶ୍ୱାଳଙ୍କୁ ବୀର କିଶୋର ସେବା ଜ୍ୟୋତି ସମ୍ମାନ, ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀଙ୍କୁ ବୀର କିଶୋର ସାମ୍ବାଦିକ ଜ୍ୟୋତି ସମ୍ମାନ, ଆଶାରାଣୀ ମହାନ୍ତି ଓ ପ୍ରସନ୍ନକୁମାର ଶତପଥୀଙ୍କୁ ବୀର କିଶୋର ଶିକ୍ଷାଜ୍ୟାତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ନଗଦ ୫ ହଜାର ଟଙ୍କା ସହିତ ଚଳିତ ବର୍ଷ ଜିଲ୍ଲା ମାଟ୍ରିକ୍ ଟପର ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠର ସତ୍ୟଜିତ ନାୟକଙ୍କୁ ବୀର କିଶୋର ପ୍ରତିଭାଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ବୀର କିଶୋର ଧଳ ସ୍ମାରକୀ ଫାଉଣ୍ଡେସନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ଭୂୟାଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।ସାମ୍ବାଦିକ ସୁମନ୍ତ କୁମାର ଭୂୟାଁ ଧନ୍ୟବାଦ ଦେଇଥିଲେ। ସ୍ୱର୍ଗତ ଧଳଙ୍କ ଏକମାତ୍ର ପୁତ୍ର ଅନନ୍ତ ନାରାୟଣ ଧଳଙ୍କ ସମେତ ସୁଧାଂଶୁ ନାୟକ ଓ ଅନୀଲ କୁମାର ପଟ୍ଟନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର