ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆଉ ନାହାନ୍ତି, ହୃଦ୍‌ଘାତରେ ପରଲୋକ 

ରାଇରଙ୍ଗପୁର: ଓଡ଼ିଶାର ଜଣାଶୁଣା ଖ୍ୟାତନାମା ଝୁମର ବିଶାରଦ ଓ ପ୍ରଚାରକ ସଜନ ବଳ (୭୩)ଙ୍କ ଦେହାନ୍ତ ହୋଇଛି। ଆଜି ସକାଳୁ ରାଇରଙ୍ଗପୁରସ୍ଥିତ ନିଜ ବାସ ଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ, ଦରଦୀ ମଣିଷ ଥିଲେ। ସେ ସାରଳା ପୁରସ୍କାର ପ୍ରାପ୍ତ ସ୍ବର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ସହଯୋଗୀ ଥିଲେ। ନିଶାରେ ସେ କଳା ପାଇଁ ଉତ୍ସର୍ଗୀକୃତ ଥିଲେ। ଜଣେ ଝୁମର ବିଶାରଦ ହିସାବରେ ସେ ସାରା ଓଡ଼ିଶାରେ କୋଣେ ଅନୁକୋଣେ ପରିଚିତ ଥିଲେ।
ଓଡ଼ିଶାରେ ଝୁମର ପ୍ରଚାର ଓ ପ୍ରସାର ସଜନଙ୍କ ଭୂମିକା ଅତୁଳନୀୟ। ସେ ମୟୂରଭଂଜରୁ ମାଲକାନଗିରି, ସମ୍ବଲପୁରରୁ ଭୂବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ମହୋତ୍ସବରେ ତାଙ୍କର କଳା ନୈପୁଣ୍ୟତା ଦେଖାଇବା ସହ ବହୁ ବଡ଼ବଡ଼ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ସେ ମଧ୍ୟ କଟକ ରେଡ଼ିଓ ଷ୍ଟେସନରେ ସ୍ବୀକୃତି ପ୍ରାପ୍ତ କଳାକାର ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଶୁଭେଛୁ, ଜ୍ଞାତି ପରିଜନ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧି,ବିଭିନ୍ନ ସାମାଜିକ, କଳାକାର ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସ୍ବ
ରାଇରଙ୍ଗପୁର ଖଡଖାଇ ନଦୀ ସନ୍ନିକଟ ସ୍ଵର୍ଗଦ୍ଵାରରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି। ସାନ ପୁଅ ଦିପୁନ ମୁଖାଗ୍ନି ଦେଇଥିଲେ ।ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ଶାସ୍ଵ ତ ବଳ, ସୌମିତ ବଳ,ଦୁଇ ବୋହୂ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ। ରାଇରଙ୍ଗପୁରର ଶିକ୍ଷାବିତ୍ ପ୍ରଶାନ୍ତ ପରୀଚ୍ଛା, ନବୀନ ରାମ, କୁମାର ମନୁ, ସାମ୍ବାଦିକ ସୌରଭ ପଟ୍ଟନାୟକ, ଅକ୍ଷୟ ବିଶ୍ବାଳ, ତୁଷାର କାନ୍ତ ମହାନ୍ତ, ସରକାରୀ ଓକିଲ ପଙ୍କଜ ଦାସ, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ସମାଜ ସେବୀ କାଶୀନାଥ ହେମ୍ବ୍ରମ ବିଶିଷ୍ଟ ନୃତ୍ୟ ଗୁରୁ ସୁବାସ ପାତ୍ର, ଜଗନ୍ନାଥ ବଳ, ମେଘନାଦ ହେମ୍ବ୍ରମ, ନଗେନ୍ ପାତ୍ର ଏବଂ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ରାଇରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସମ୍ବନ୍ଧିତ ଖବର